ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତରେ ମଙ୍ଗଳବାର ଦିନ ପିଏମଜିକେୱାଇ ହିତାଧିକାରୀଙ୍କୁ ଅତ୍ୟନ୍ତ ନିମ୍ନ ମାନର ପୋକରା ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଯୋଗାଣ ସହାୟକ ପ୍ରମୋଦ ପ୍ରଧାନଙ୍କ ଅଭିଯୋଗ ମତେ ମଙ୍ଗଳବାର ସକାଳ ୫ଟା ସମୟରେ ପଞ୍ଚାୟତ ଗୋଦାମ ଗୃହ ନିକଟକୁ ସରପଞ୍ଚ ସୁମଞ୍ଜି ଲାଲ ନିଜ ୪୦୭ଗାଡି ଆଣି ସେଥିରୁ ପାଖାପାଖି ୬୦ରୁ ୬୫କୁଇଣ୍ଟାଲ ଚାଉଳ ଅନଲୋର୍ଡ କରିଥିଲେ। ସେହି ଚାଉଳରୁ ଅଧିକାଂଶ ବସ୍ତାରେ ଅତି ନିମ୍ନ ମାନର ଓ ପୋକ ଲାଗିଯାଇ ଚାଉଳ ଥିବା ଦେଖାଦେଇ ଥିଲା। ସେ ଏହି ଚାଉଳକୁ ଲୋକ ଲଗାଇ ଗୋଦାମ ଘରର ଅନ୍ୟ ଚାଉଳ ସହିତ ଏକାଠି ମିଶ୍ରଣ କରି ପରେ ସୁରୁଣ୍ଡି ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ।
ଉକ୍ତ ଚାଉଳ ଖରାପ ଥିବା ଦେଖି ସୁରୁଣ୍ଡି ଗ୍ରାମର ଅନେକ ହିତାଧିକାରୀ ଆପତ୍ତି ଉଠାଇଥିଲେ। ଏ ବିଷୟରେ ସରପଞ୍ଚ ଙ୍କ ମତାମତ ଜାଣିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ତାଙ୍କର ଫୋନ ସୁଇଚ ଅଫ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
ଏ ସମ୍ପର୍କରେ ହରଭଙ୍ଗା ବ୍ଲକ ଯୋଗାଣ ନିରୀକ୍ଷକ ଦାଇତ୍ୱରେ ଥିବା ବୌଦ୍ଧ ଜିଲ୍ଲା ଉପ ଯୋଗାଣ ଅଧିକାରୀ ପ୍ରତିମା ପ୍ରଧାନଙ୍କୁ ପଚାରିବାରୁ ସେ ଆମ ଯୋଗାଣ ବିଭାଗ ପକ୍ଷରୁ ଭଲ ଚାଉଳ ଦିଆଯାଇଛି। ଆମେ ସେଠାକୁ ଯାଇ ତଦନ୍ତ କରିବୁ। ଯଦି ଉକ୍ତ ଚାଉଳକୁ କିଏ ଅନ୍ୟ ଉଦ୍ଦେଶ୍ୟରେ ହେରଫେର କରିଥିବା ଜଣାପଡେ ତାଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ କରୋନା ସଙ୍କଟ ଜନିତ ସମୟରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଇ ଦେଉଛନ୍ତି। ହେଲେ ଏଭଳି ସ୍ଥିତିରେ ଲୋକଙ୍କୁ ନିମ୍ନ ମାନର ଚାଉଳ ବଣ୍ଟନ କରାଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/pds.jpg)