ଘୁ.ଉଦୟଗିରି(ସମୀର ପାଢ଼ୀ):  ବାରମ୍ବାର ନିମ୍ନମାନର କାର୍ଯ୍ୟ ଅଭିଯୋଗ। ତଥାପି ସୁଧୁରୁନି ରାସ୍ତା କାମ। ଗୋଟିଏ ରାସ୍ତା ପାଇଁ ବାରମ୍ବାର ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରତିଥର ଭଳି ନିମ୍ନମାନର କାମ ହିଁ ହେଉଛି।  କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଚକରା ବିଷୋୟୀ ଛକଠାରୁ ଗ୍ରେସିଙ୍ଗିଆ ୨ କିମି. ରାଜ୍ୟ ରାଜପଥ   ବହୁବର୍ଷ ହେଲା ନିର୍ମାଣ ହେଉଛି। ଆଗକୁ କାମ ବଢ଼ିଲା ବେଳକୁ ପଛ ରାସ୍ତାର ପିଚୁ ଉଠିଯାଉଛି। ଅତ୍ୟନ୍ତ ନିମ୍ନମାନର ରାସ୍ତା କାମ ଯୋଗୁଁ ସବୁ ସମୟରେ ଏହି ରାସ୍ତା କାମକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଯିବା ସହ ପ୍ରତିବାଦ ବି ଦେଖିବାକୁ ମିଳିଛି । ଏହି କାମ ବେଳେ ସ୍ଥାନୀୟ ଶ୍ରୀରାମପଦା ଅଞ୍ଚଳବାସୀ ବିରୋଧ କରିଥିଲେ ଏବଂ ଭଲ କାମ କରିବା ପାଇଁ ବିଭାଗୀୟ ଅଧିକାରୀ ସମେତ ଠିକାଧାରୀଙ୍କୁ ତାଗିଦ କରିଥିଲେ । ପୁନର୍ବାର ବର୍ତ୍ତମାନ ଗତକାଲି ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ପୁଣିଥରେ ନିମ୍ନମାନର କାମ ହେଉଥିବା ଗ୍ରେସିଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହାତରେ ପିଚୁ ଖୋଳିଲେ  ବାହାରି ପଡ଼ୁଛି।  ଯାହାକି ଅତି ନିମ୍ନମାନର ବୋଲି ଗ୍ରେସିଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ  ୭ ନମ୍ବର ରାଜ୍ୟ ରାଜପଥର ରାସ୍ତାକାମ ପ୍ରାୟ ୩ବର୍ଷ ହେଲା ଟେଣ୍ଡର ହୋଇ ଠିକାଦାର କାର୍ଯ୍ୟ କରୁଥିଲେ। ଏପରିକି  ପୂର୍ତ୍ତବିଭାଗର ଚୁକ୍ତିକୁ ଖିଲାପ କରି ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ନ ଥିଲେ । ବିଭାଗୀୟ ଅଧିକାରୀଙ୍କ ଚାପରେ ଠିକାଦାର ତରବରିଆ ଭାବରେ କାର୍ଯ୍ୟ କରିବା ଯୋଗୁଁ ଉକ୍ତ ରାସ୍ତାରେ ପିଚୁ ସମ୍ପୂର୍ଣ୍ଣ ଉଠିଯାଇଥିଲା । ଏହି ସମୟରେ ମଧ୍ୟ ସାଧାରଣ ଜନତା ଉକ୍ତ ରାସ୍ତା ପାଇଁ ପ୍ରତିବାଦ କରିଥିଲେ। ବିଭାଗୀୟ ଅଧିକାରୀ ପ୍ରତିବାଦ ଓ ପିଚୁ ଉଠିଯିବାର ଦେଖି ପୁନର୍ବାର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସୋମବାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପୁନର୍ବାର ଏହି କାର୍ଯ୍ୟ ନିମ୍ନମାନର ବୋଲି ଗ୍ରେସିଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ନିଜ ପ୍ରତିକ୍ରିୟାରେ ଠିକ କାମ ହେଉଥିବା ପ୍ରକାଶ କରିଛନ୍ତି । ଏହି ନିମ୍ନ ମାନର କାର୍ଯ୍ୟକୁ ଗ୍ରେସିଙ୍ଗିଆର  ସୌମ୍ୟରଞ୍ଜନ ସାହୁ, ଅତୁଲ ମଲ୍ଲିକ, ଅରୁଣ ପ୍ରଧାନ, ଅଜୟ ପ୍ରଧାନ, ବିଶାଳ ପ୍ରଧାନ, ବଳିଆ ଦେହୁରୀ, ମାନସ ଦେହୁରୀ, ପବନ ସାହୁ, ମନୋଜ ଦେହୁରୀ, ମିକୁ ସାହୁ, ନିଳମାଧାବ ଦେହୁରୀ, ଶଙ୍କର ପ୍ରଧାନ, ସମୀନ ପ୍ରଧାନ, ରମାକାନ୍ତ ପ୍ରଧାନ ଓ ଦିପୁ ପ୍ରଧାନ ସମେତ ଗ୍ରେସିଙ୍ଗିଆ ଅଞ୍ଚଳର ଗ୍ରାମବାସୀ ପ୍ରତିବାଦ କରିବା ସହ ପିଚୁ ରାସ୍ତାକୁ ତାଡ଼ି ବାହାର କରିଦେଇଥିଲେ। ପ୍ରଶ୍ନ ଉଠୁଛି ଏତେ ନିମ୍ନମାନର କାମକୁ ବିଭାଗୀୟ ଅଧିକାରୀ ପ୍ରଶୟ ଦେଉଛନ୍ତି କେମିତି? ଗୋଟିଏ କାମ ଏତେ ବର୍ଷ ଧରି କିଭଳି ଚାଲୁଛି । ଠିକାଦାର ଚୁକ୍ତି ଖିଲାପ ପରେ ମଧ୍ୟ କାର୍ଯ୍ୟ କରିବାକୁ କେମିତି ସୁଯୋଗ ଦିଆଯାଉଛି। ଠିକାଦାରକୁ ଏତେ ଅନୁକମ୍ପା ଦେଖେଇବା ପଛର ରହସ୍ୟ କ’ଣ ବୋଲି ସାଧାରଣରେ ପ୍ରଶ୍ନ କରିଛନ୍ତି।