ଗ୍ରାମ୍ୟ ନିର୍ମାଣ ବିଭାଜନର କାମ ନିମ୍ନମାନର; ୧.୮୩ କୋଟିର ରାସ୍ତା, ଆୟୂଷ ମାତ୍ର ୨ ମାସ

ସୁନ୍ଦରଗଡ଼/ହେମଗିର:୧.୮୩ କୋଟିର ପକ୍କା ରାସ୍ତା, ଆୟୂଷ ମାତ୍ର ୨ ମାସ। ଅତି ନିମ୍ନମାନର ନିର୍ମାଣର ଚିତ୍ର ଦେଖାଉଥିବା ଏହି ରାସ୍ତାଟି ରହିଛି ହେମଗିର ବ୍ଲକ୍ ସୁମୁରା ପଞ୍ଚାୟତ ଟିକିଲିପଡ଼ାରେ। ଟିକିଲିପଡ଼ାରୁ ଖମାରପଡ଼ା ୨ କିଲୋମିଟର ବିଶିଷ୍ଟ ଏହି ରାସ୍ତାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ମାଣ କରିଛି।

୨୦୧୯-୨୦ ଆର୍ଥିକ ବର୍ଷରେ ଠିକାଦାର ରଞ୍ଜିତ କୁମାର ବରୁଆଙ୍କ ଦ୍ବାରା ସମ୍ପାଦିତ ଏହି ରାସ୍ତାର ନିର୍ମାଣ ଅବଧି ୨୦୨୦ ଅପ୍ରେଲ ୩୦ ତାରିଖ ଥିଲେ ମଧ୍ୟ ୨ ମାସ ତଳେ କାର୍ଯ୍ୟ ଶେଷ ହୋଇଛି। ଆଉ ୨ ମାସ ଯାଉ ଯାଉ ପକ୍କା ରାସ୍ତା ଫାଟି ଉଠିଗଲାଣି। ରାସ୍ତାର ପକ୍କାକରଣ ସହ ହୋମ ପାଇପ୍ ଦେଇ ୩ଟି ପୋଲ୍ ନିର୍ମାଣ ଓ ୪ଟି ପୁରୁଣା ପୋଲକୁ ସିମେଣ୍ଟ ପଲସ୍ତରା ମାରି, ଗାର୍ଡୱାଲ୍ ତିଆରି କରି ୧ କୋଟି ୮୩ ଲକ୍ଷ ୮୩ ହଜାର ଟଙ୍କା ସାରି ଦେଇଛନ୍ତି।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ସ୍ଥାୟୀ ଓ ଉନ୍ନତମାନର ଯାତାୟତ ସୁବିଧା ଦେବାକୁ ପକ୍କା ରାସ୍ତା ତିଆରି କରାଯାଇଥିବା ବେଳେ ମାତ୍ର ୨ ମାସରେ ରାସ୍ତା ଫାଟି ଉପୁଡ଼ିଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାସ୍ତା ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ମାତ୍ର ୨ ମାସରେ ରାସ୍ତା ଫାଟି ଲୋକଙ୍କ ପକ୍କା ରାସ୍ତାରେ ଚାଲିବାର ସ୍ବପ୍ନ ଭାଙ୍ଗି ଦେଇଥିବାରୁ ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର