ଖୋର୍ଦ୍ଧା: ଜୁନ୍‌ରେ ଠିକଣା ସମୟରେ ମୌସୁମୀ ଆସିବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ପ୍ରାୟ ୧୨ ଦିନ ବିଳମ୍ବରେ ମୌସୁମୀ ଆସିଲା। ମୌସୁମୀ ପୂର୍ବରୁ ପ୍ରାକ୍‌ ମୌସୁମୀ ବର୍ଷା ହେବା ଏକ ସ୍ବାଭାବିକ ଘଟଣା, କିନ୍ତୁ ଚଳିତବର୍ଷ ପ୍ରାକ ମୌସୁମୀ ବର୍ଷା ନଗଣ୍ୟ ଥିଲା। ଚାଷୀ ଜୁଲାଇ ଶେଷ ଆଡ଼କୁ ଅପେକ୍ଷାକୃତ ଟିକିଏ ଭଲ ବର୍ଷା ଦେଖି ଚାଷ କାମ ଆରମ୍ଭ କରିଥିଲେ, କିନ୍ତୁ ଅଗଷ୍ଟ ମାସ ମଧ୍ୟ ନିରାଶ କରିଛି। ଗଲା ୨୨ ଦିନ ମଧ୍ୟରେ ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ଅଗଷ୍ଟ ମାସରେ ସାଧାରଣତଃ ସ୍ବାଭାବିକ ଭାବେ ୧୫ ଦିନ ମଧ୍ୟମରୁ ପ୍ରବଳ ବର୍ଷାରେ ହାରାହାରି ୩୨୦ ମିମି ହୋଇଥାଏ। ୨୦୨୧ରେ ୨୮୧.୬୬ମିମି ଓ ୨୦୨୨ରେ ୩୦୯.୬୭ ମିମି ବର୍ଷା ରେକର୍ଡ କରାଯାଇଥିଲା। ଚଳିତବର୍ଷ ଅଗଷ୍ଟ ମାସରେ ଆଜି (୨୨ ତାରିଖ ସୁଦ୍ଧା) ହାରହାରି ୨୨୦ ମିମି ବର୍ଷା ହୋଇଛି।

Advertisment

ଚଳିତବର୍ଷ ଅଗଷ୍ଟ ମାସରେ କେବଳ ୭ ଦିନ ୧୦୦ ମିମିରୁ ୩୦୦ ମିମି ବର୍ଷା ​ରେକର୍ଡ କରାଯାଇଛି। ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅଗଷ୍ଟ ମାସର ପ୍ରଥମ ତିନି ସପ୍ତାହରେ ବାଲିଅନ୍ତାରେ ମୋଟ ୩୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲିପାଟଣାରେ ୨୩୬ମିମି, ବାଣପୁରରେ ୧୫୮ ମିମି, ବେଗୁନିଆରେ ୧୪୮ ମିମି, ଭୁବନେଶ୍ବର ବ୍ଲକରେ ୩୧୭ ମିମି, ବୋଲଗଡ଼ରେ ୧୪୫ ମିମି, ଚଲିକାରେ ୧୮୪ ମିମି, ଜଟଣୀରେ ୧୮୮ ମିମି, ଖୋର୍ଦ୍ଧାରେ ୧୭୬ ମିମି, ଟାଙ୍ଗୀରେ ସର୍ବନିମ୍ନ ୧୩୧ ମିମି ବର୍ଷା ହୋଇଛି। ଭୁବନେଶ୍ବର ମହାନଗର ନିଗମରେ ଥିବା ୪ଟି ବର୍ଷାମାପକ କେନ୍ଦ୍ରର ତଥ୍ୟରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୨୫୬ ମିମି ବର୍ଷା ରେକର୍ଡ ହୋଇଛି।