କଂଗ୍ରେସକୁ ଲାଗିଲା ଝଟକା: ହାଇକୋର୍ଟରେ ଜିତିଲେ, ତଳ କୋର୍ଟରେ ହାରିଗଲେ

ରାୟଗଡ଼ା: ହାଇକୋର୍ଟରେ ଜିତିଲେ, ତଳ କୋର୍ଟରେ ହାରିଗଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବିକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍‌ ସୋମ ଶେଖର ଜେନା ଆଜି ପୁଣି ଅସିଦ୍ଧ ଘୋଷଣା କରିବା ପରେ କଂଗ୍ରେସକୁ ଲାଗିଛି ଝଟକା।

ସେପଟେମ୍ବର ମାସରେ ଏହି ମାମଲାର ଶୁଣାଣି ହାଇକୋର୍ଟ କଂଗ୍ରେସ ସପକ୍ଷରେ ମତ ଦେବା ସହ ତଳକୋର୍ଟରେ ନିଜର ମତ ରଖିବାକୁ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କୁ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଜିଲ୍ଲା ଜଜ୍‌ ମାମଲାର ପୁନଃ ଶୁଣାଣି କରି ଆଜି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଧ୍ୟକ୍ଷ ନିର୍ବାଚନ ଓ ପଦକୁ ଅସିଦ୍ଧ ଘୋଷଣା କରିବା ସହ ତୁରନ୍ତ ନିର୍ବାଚନ କରି ନୂତନ ଅଧ୍ୟକ୍ଷ ଚୟନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ୨୦୧୮ ଡିସେମ୍ବର ମାସରେ ରାୟଗଡା ଜିଲ୍ଲା ଜଜ୍‌ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବିକୁ ଅସିଦ୍ଧ ଘୋଷଣା କରିଥିଲେ। ବିଜେପି ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ଭୋଟଦାନ ସମୟରେ ନିଜ ଭୋଟ କଂଗ୍ରେସର ଇଲେକ୍ସନ୍‌ ଏଜେଣ୍ଟ୍‌ ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଦେଖାଇବା ଅଭିଯୋଗର ଶୁଣାଣି କରି ଜିଲ୍ଲା ଦୌରାଜଜ୍‌ ଉକ୍ତ ରାୟ ପ୍ରକାଶ କରିଥିଲେ। ଯାହାକୁ ହାଇକୋର୍ଟରେ ଚ୍ୟାଲେଂଜ୍‌ କରିଥିଲେ ଅଧ୍ୟକ୍ଷ ପୁରୁଷୋତ୍ତମ।

ପୁରୁଣା ନିୟମନୁସାରେ ମାମଲାର ଶୁଣାଣି ସମୟରେ ତତ୍କାଳୀନ ଜିଲ୍ଲା ଜଜ୍‌ ରାୟ ଶୁଣାଇଥିବା ଦର୍ଶାଇ ପୁରୁଷୋତ୍ତମ ହାଇକୋର୍ଟରେ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର ୨୦୧୯ ସେପ୍ଟେଟର ୧୯ ତାରିଖରେ ପୁରୁଷୋତ୍ତମଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାଧର ପୁଆଲା ପୁଣି ଜିଲ୍ଲା ଜଜ୍‌ କୋର୍ଟର ମାମଲାର ପୁନଃ ବିଚାର ପାଇଁ ଆବେଦନ କରିବା ପରେ ଜିଲ୍ଲା ଜଜ୍‌ ସୋମ ଶେଖର ଜେନା ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କୁ ନିଜ ପକ୍ଷ ରଖିବା ପାଇଁ କହିଥିଲେ।

ପୁରୁଷୋତ୍ତମ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିବା ବେଳେ ସାକ୍ଷ୍ୟ ଭାବେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରାଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା। ସେହିପରି ସରକାରଙ୍କ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ୍‌ ଋତୁରାଜ୍‌ ସରକାରୀ ଓକିଲ୍‌ ବ୍ରଜ ସୁନ୍ଦର ନାୟକ, ପ୍ରତିପକ୍ଷ ଓକିଲ ସହଦେବ ସାହୁଙ୍କ ଉପସ୍ଥିତିରେ ଜିଲ୍ଲା ଜଜଙ୍କ କୋର୍ଟରେ ନିଜ ପକ୍ଷ ରଖିଥିଲେ। ଏହା ପରେ ମାମଲାର ଚୂଡ଼ାନ୍ତ ଶୁଣାଣି କରି କୋର୍ଟ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ଓ ନିର୍ବଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର