ବଲାଙ୍ଗୀର: ବଲାଙ୍ଗୀରଠାରେ ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପର ଅସ୍ଥାୟୀ ବନ୍ଧରେ ବନ୍ୟାଜଳ ବୃଦ୍ଧି ପାଇଛି। ଏହି ବନ୍ୟାଜଳ ନିଷ୍କାସନ ପାଇଁ ଲୋୟର ସୁକତେଲ ନିର୍ମାଣ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସୁକତେଲ ନଦୀ ବ୍ୟବହାର କରୁଥିବା ତଳମୁଣ୍ଡର ଗ୍ରାମବାସୀମାନଙ୍କୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏନେଇ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ ସତର୍କସୂଚନା ଜାରି କରିଛନ୍ତି। ଲୋୟର ସୁକତେଲ ବନ୍ଧ ନିର୍ମାଣ କାମ ଚାଲିଥିବା ବେଳେ ଏହାର ଉପରମୁଣ୍ଡରେ ଏକ ଅସ୍ଥାୟୀ ମାଟିବନ୍ଧ ନିର୍ମାଣ କରାଯାଇଛି।

Advertisment

ଯେକୌଣସି ମୁହୂର୍ତ୍ତରେ ଖୋଲାଯିବ ଗେଟ୍‌
ତଳମୁଣ୍ଡ ଗ୍ରାମବାସୀଙ୍କୁ ସତର୍କ କଲା ବିଭାଗ

ଡ୍ୟାମ୍‌ ନିର୍ମାଣ ବେଳେ ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ଏପରି ଏକ ମାଟିବନ୍ଧ କରାଯାଇ ସେଥିରୁ ଏକ କେନାଲ ଅନ୍ୟ ଦିଗକୁ ନିର୍ମାଣ କରାଯାଇଥାଏ। ଏଠାରେ  ନିର୍ମିତ ମାଟିବନ୍ଧର ଉଚ୍ଚତା ଆର୍‌ଏଲ୍‌ ୧୮୮ ଅର୍ଥାତ ୯ ମିଟର ଅଟେ। ସୁକତେଲ ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜଳଭଣ୍ଡାରରେ ପ୍ରବେଶ କରିଛି। ବର୍ତ୍ତମାନ ଏଠାରେ ଆର୍‌ଏଲ୍‌ ୧୮୫ (୬ ମିଟର) ପାଣି ଗଚ୍ଛିତ ରହିଛି। ଏହି ବନ୍ୟାଜଳ ଯେ କୌଣସି ସମୟରେ ନିଷ୍କାସନ କରାଯିବା ପାଇଁ ମୁଖ୍ୟବନ୍ଧରେ ଥିବା ଦୁଇଟି ସ୍ଲୁଇସ୍‌ଗେଟ୍‌କୁ ଖୋଲାଯାଇ ପାରେ ବୋଲି ବିଭାଗ ପକ୍ଷରୁ କହାଯାଇଛି। ଲୋୟର ସୁକତେଲ ବୁଡ଼ି ଅଞ୍ଚଳ ଅଧୀନରେ ଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲି, ବନଛୋରପାଲି, ପୋଢ଼ମୁଡ଼, ଅନ୍ତପାଲି ଆଦି ଗ୍ରାମବାସୀ ଏପର୍ଯ୍ୟନ୍ତ ଗ୍ରାମ ଛାଡ଼ିନଥିବାରୁ ଏହି ଜଳଭଣ୍ଡାରରେ ଅଧିକ ପାଣି ହେଲେ ଉପରୋକ୍ତ ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ଫଳରେ ଏହି ଅସ୍ଥାୟୀ ଡ୍ୟାମ୍‌ରୁ ବନ୍ୟା ଜଳ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।