ବଲାଙ୍ଗୀର: ବଡ଼ ବର୍ଷା ହୋଇନାହିଁ। ଯଦି ବଡ଼ବର୍ଷା ଆସେ ତେବେ ଲୋୟର ସୁକତେଲ ବୁଡ଼ି ଅଞ୍ଚଳର ସମସ୍ୟା ଶୋଚନୀୟ ହୋଇ ପଡ଼ିବା ସହିତ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେବେ ଶ୍ରାବଣ ମାସରେ ଯୁଦ୍ଧକାଳୀନ ବିସ୍ଥାପନ ପଛରେ ନାନା କଥା ଶୁଣିବାକୁ ମିଳୁଛି। ଏପଟେ ବିସ୍ଥାପନ କଲୋନିରେ କୌଣସି ସୁବିଧା କରାଯାଇ ପାରିନଥିବା ବେଳେ ଗୋରୁ ରହିବା ଭଳି ଛୋଟ ଛୋଟ ଏକ ବଖରିଆ ଟିଣଘର କରାଯାଇଛି। ଏହି କଲୋନିକୁ ଯିବା ପାଇଁ ଥିବା ମାଟିରାସ୍ତା ବର୍ଷାରେ ଦବି ଯାଉଛି।
ଟିଣଘର ଚାରିଆଡ଼େ ପାଣି ଭର୍ତ୍ତି ହୋଇ ଯାଉଥିବା ବେଳେ ବିଦ୍ୟୁତ, ପାନୀୟଜଳ, ଶୌଚାଳୟ ଭଳି ଅତ୍ୟାବଶ୍ୟକ ବ୍ୟବସ୍ଥା ପ୍ରତି ଆଦୌ ଦୃଷ୍ଟି ଦିଆଯାଇନାହିଁ। ପ୍ରଶାସନ ପକ୍ଷରୁ ବିସ୍ଥାପିତ ପରିବାର ଯେଉଁମାନେ ଏତେ ବଡ଼ ତ୍ୟାଗ କରିଛନ୍ତି ତାଙ୍କ ସମସ୍ୟାକୁ ନବୁଝି ତାଙ୍କୁ ଗାଁରୁ ବାହାର କରିଦେବାକୁ ପ୍ରାଥମିକତା ଦେଇଛି। ଏବେବି ଗଡ଼ଶଙ୍କର ଡୁଙ୍ଗୁରିପାଲିରେ ଶତାଧିକ ପରିବାର ରହିଛନ୍ତି। ସକାଳ ହେଲେ ମେସିନ ଦ୍ବାରା ଗୋଟିଏ ପରେ ଗୋଟିଏ ଘରକୁ ମାଟିରେ ମିଶାଇ ଦିଆଯାଉଛି। ବିଦ୍ୟୁତ୍ ଓ ପାଣି ସଂଯୋଗ କେଉଁ ଦିନରୁ କାଟିଦିଆ ସରିଲାଣି। ଯେଉଁମାନେ ପ୍ରାପ୍ୟ ବାକି ଥିବା ଅଭିଯୋଗ କରୁଛନ୍ତି ତାଙ୍କ ଅଭିଯୋଗକୁ ପ୍ରଶାସନ ଗୁରୁତ୍ବ ନଦେଇ ଆଡ଼େଇ ଯିବା ବିସ୍ଥାପିତ ଓ ପ୍ରଶାସନ ମଧ୍ୟରେ ସଂଦେହ ସୃଷ୍ଟି କରିବା ସ୍ବାଭାବିକ ଅଟେ। ବହୁଲୋକ ପାଣିରେ ବୁଡ଼ି ମରିଯିବେ ପଛେ ପ୍ରାପ୍ୟ ନପାଇବା ପର୍ଯ୍ୟନ୍ତ ଗାଁ ଛାଡ଼ିବେ ନାହିଁ ବୋଲି ମନ୍ତବ୍ୟ ଦେଉଛନ୍ତି। ଲୋକେ ଅଭିଯୋଗ କରିଛନ୍ତି ଯେ, ଥଇଥାନ କଲୋନିରେ ଘର ତିଆରି ହୋଇନଥିବା ବେଳେ ଗାଁରେ ଘର ଭାଙ୍ଗି ଦେଇଛନ୍ତି। ପ୍ରଶାସନ ପକ୍ଷରୁ ରାତିରେ ଡ୍ୟାମ୍ ପାଣିକୁ ଛଡ଼ା ଯାଉନଥିବାରୁ ଗାଁ ଚାରିଆଡ଼େ ପାଣି ମାଡ଼ିଆସିଲାଣି। ଡ୍ୟାମ୍ ପାଣି ଛାଡ଼ିଦେବାକୁ ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। କିଛି ଲୋକ ଗାଁକୁ ଆସି ସେମାନଙ୍କ ବିଭିନ୍ନ ସାମଗ୍ରୀ ନେବାକୁ ଚାହୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ବାରଣ କରୁଛି। ସମ୍ପର୍କୀୟମାନେ ଗାଁକୁ ଆସିଲେ ପୁଲିସ ସେମାନଙ୍କୁ ଅଟକାଇ ଫେରାଇ ଦେଉଛି ବୋଲି ଅଭିଯୋଗ କରିଛନ୍ତି।