ଲୋଇସିଂହା: ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେଉଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲି ଗାଁରେ ପ୍ରଶାସନ ପକ୍ଷରୁ ଘରଭଙ୍ଗା ଅଭିଯାନ ଜାରି ରହିଛି। ଗାଁର ଘରଗୁଡ଼ିକୁ ପୁଲିସ ଫୋର୍ସ ଉପସ୍ଥିତିରେ ଜେସିବି ଲଗାଇ ଭଙ୍ଗାଯାଇଛି। ପୁଲିସ ଫୋର୍ସ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଭୟରେ ସେମାନେ ପିଲାଛୁଆ ଧରି ଗାଁରୁ ପଳାୟନ କରୁଥିବା ଦେଖିବାକୁ ମିଳିଛି। ଏବେ ବି ପ୍ରାୟ ୨-୩ ପ୍ଲାଟୁନ ଫୋର୍ସ ଗାଁରେ ରହିଥିବା ଦେଖାଯାଇଛି। କିଛିଦିନ ତଳେ ଗ୍ରାମବାସୀଙ୍କୁ ଗାଁରୁ ତଡ଼ିବା ପାଇଁ ପାନୀୟ ଜଳଯୋଗାଣ ଓ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଥିଲା। ଏହା ସହ ଜଳଭଣ୍ଡାରରେ ପାଣି ଭର୍ତ୍ତି କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା।
ମାତ୍ର ଗ୍ରାମବାସୀମାନେ ବଲାଙ୍ଗୀର ଜିଲ୍ଲାର ଜୀବନରେଖା କହାଯାଉଥିବା ପ୍ରକଳ୍ପ ପାଇଁ ନିଜ ଭିଟାମାଟି ଛାଡ଼ି ଯିବାକୁ ପ୍ରସ୍ତୁତ ରହିଥିଲେ ହେଁ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ସହ ଥଇଥାନ ବ୍ୟବସ୍ଥା ପାଇଁ ଦାବି କରିଆସୁଥିଲେ। ବର୍ତ୍ତମାନ ସୁଦ୍ଧା ବହୁ ପରିବାର ସେମାନଙ୍କ କ୍ଷତିପୂରଣ ପାଇ ନଥିବା ତଥା ଥଇଥାନ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେଉ ନଥିବା ଅଭିଯୋଗ ହେଉଛି। ଏଭଳି ଅବସ୍ଥାରେ ପୁଲିସ ଉପସ୍ଥିତିରେ କେତେକ ପରିବାରର ଘର ଭଙ୍ଗାଯିବାରୁ ସେମାନେ କୌଣସି ପ୍ରତିବାଦ ନକରି ଜୀବନ ବିକଳରେ ସେମାନେ ନିଜ ଭାଗ୍ୟକୁ ଆଦରି ପଳାୟନ କରୁଥିବା ଦେଖାଯାଉଛି। ନଦୀଜଳ ବୃଦ୍ଧି ପାଇ ଗାଁ ନିକଟକୁ ଆସିଥିବା ଯୋଗୁଁ ବର୍ଷା ହେଲେ ଯେକୌଣସି ମୁହୂର୍ତ୍ତରେ ଗାଁ ବୁଡ଼ିଯିବା ସହ ବହୁ ଧନଜୀବନ ହାନି ହେବା ଆଶଙ୍କାରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଥିବା ଖବର ଗତ ୧ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ୪ ତାରିଖ ଦିନ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇ ବୃଦ୍ଧି ପାଉଥିବା ନଦୀଜଳ ନିଷ୍କାସନ କରାଯାଉଛି।
ମାତ୍ର ସଂପୂର୍ଣ୍ଣ କ୍ଷତିପୂରଣ ସହ ଉପଯୁକ୍ତ ଥଇଥାନ କରା ନଯାଇ ପୁଲିସ ଲଗାଇ ଘରଗୁଡ଼ିକ ଭାଙ୍ଗି ଗାଁରେ ଆତଙ୍କ ସୃଷ୍ଟି କରାଯାଉଛି ବୋଲି ବହୁ ପୁରୁଷ ମହିଳା ଓ ଛୋଟପିଲା କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ ହୋଇସାରିଛି ନା ବାକି ରହିଛି ତାର ସୂଚନା ପ୍ରଶାସନ ପକ୍ଷରୁ ମିଳି ପାରିନାହିଁ। ପ୍ରଶାସନ ଗ୍ରାମବାସୀମାନଙ୍କୁ ପ୍ରକଳ୍ପ ପ୍ରଭାବିତ ଗ୍ରାମାଞ୍ଚଳରୁ ଉଠାଇବା ପାଇଁ ଜିଦ୍ରେ ଅଟଳ ରହିଥିବା ବେଳେ ଏହି ଦୁଃଖଦ ପରିସ୍ଥିତିରେ ଅଞ୍ଚଳର ରାଜନେତା, ସମାଜସେବୀ ସଂଗଠକଙ୍କ ନିରବତାକୁ ନେଇ ସେମାନେ ତୀବ୍ର ସମାଲୋଚନା କରୁଛନ୍ତି।