ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଫେରିଘାଟକୁ ସିଲ୍ କରି ଦେଇଛନ୍ତି। ଗତ ୨୫ ତାରିଖଠାରୁ ଏଇ ନିୟମକୁ ଅଧିକ କଡାକଡି କରାଯାଇଛି। ଜିଲ୍ଲାର ଥିବା ସବୁ ଫେରିଘାଟଗୁଡିକରେ ବାଉଁଶ ବାଡ କରାଯାଇ ଅବରୋଧ କରାଯାଇଥିବା ବେଳେ ଫେରିଘାଟ ଆଗରେ ପୁଲିସ ମୁତୟନ ହୋଇଛନ୍ତି। ଫେରିଘାଟ ବନ୍ଦ ରହିଥିବାରୁ ଭଦ୍ରକ ଜିଲ୍ଲା ଓ ପଡୋଶୀ ଜିଲ୍ଲାର ଅନେକ ଲୋକ ଯାତାୟାତରେ ସମ୍ମୁଖୀନ ହେଉଛନ୍ତି। ଭଦ୍ରକ ଜିଲ୍ଲାରେ ବିଶେଷକରି ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀ ଉପରେ ବିଭିନ୍ନ ସ୍ଥାନରେ ଡଙ୍ଗା ଘାଟ କରାଯାଇଛି। ଏଇ ଡଙ୍ଗା ଘାଟ ଦେଇ ନଦୀ କୂଳିଆ ଲୋକମାନେ ଯାତାୟାତ କରୁଥିଲେ।

Advertisment

ଜିଲ୍ଲାର ଧାମରା, ଚାନ୍ଦବାଲି, ତିହିଡି, ବାସୁଦେପୁର, ଆରଡି, ଧାମନଗର, ଭଣ୍ଡାରୀପୋଖରୀ ବ୍ଲକର ଅଧିବାସୀମାନେ ବିଶେଷ ଭାବେ ହଇରାଣ ହେଉଥିବା ବେଳେ ଯାଜପୁର ଜିଲ୍ଲାର ମଙ୍ଗଳପୁର ଓ କେନ୍ଦାପଡି ଜିଲ୍ଲାର ରାଜନଗର ଓ ରାଜକନିକା ଲୋକମାନେ ଅସୁବିଧା ଭୋଗ କରୁଛନ୍ତି। ଭଦ୍ରକ ଜିଲ୍ଲର ଏଇ ୩ ପ୍ରମୁଖ ନଦୀ ଘାଟ ବନ୍ଦ ରହିଥିବାରୁ ଏହି ୩ ଜିଲ୍ଲାର ଯେଉଁ ଲୋକମାନେ ନଦୀ ଘାଟ ଉପରେ ନିର୍ଭର କରି ବର୍ଷ ବର୍ଷ ଧରି ଯାତାୟାତ କରୁଥିଲେ। ସେମାନଙ୍କର ଗମନା ଗମନର ପଥ ବନ୍ଦ ହୋଇଯାଇଛି। ରାତି ପାହିଲେ ମନ୍ତେଇ ନଦୀ ଘାଟ ଦେଇ ଜିଲ୍ଲାର ଚାନ୍ଦବାଲି, ଧାମରା, ତିହିଡ ଓ ବାସୁଦେବପୁର ବ୍ଲକର ହଜାର ହଜାର ଲୋକ ବିଭିନ୍ନ ନଦୀ ଘାଟ ପାର ହୋଇଥାନ୍ତି।

ଡଙ୍ଗା ହେଉଛି ସେମାନଙ୍କର ଗମନା ଗମନ ଓ ମାଲ ପରିବହନର ମୁଖ୍ୟ ମାଧ୍ୟମ। ମନ୍ତେଇ ନଦୀର ହାବେଳି ଘାଟ ସକାଳଠାରୁ ସଂଧ୍ୟା ପର୍ଯ୍ୟନ୍ତ ଚଳଚଞ୍ଚଳ ରହେ। ଏବେ ଏଥ ଘାଟ ଖାଁ ଖାଁ ଲାଗୁଛି। ଏଇ ଘାଟ ଦେଇ ଚରଦିଆରୁ ନରସିଂହପୁର ଦେଇ ଧାମରାକୁ ଲୋକମାନେ ନଦୀ ପାର ହୋଇ ଡଙ୍ଗାରେ ଯାତାୟାତ କରନ୍ତି। ସେହିପରି ମନ୍ତେଇ ନଦୀର ବାଂଶଡା ଘାଟ, ଦିଗଛିଆରୁ ଧାମରାକୁ ଯାତାୟାତ କରାଯାଏ। ମନ୍ତେଇ ନଦୀର ଚୌଧୁରୀ ଘାଟ ମତ୍ତୋରୁ ଗୋ ବିନ୍ଦପୁର ଦେଇ ଧାମରାକୁ ଲୋକମାନେ ଯାତାୟତ କରନ୍ତି।

ସେହିପରି ଘଣ୍ଟେଶ୍ବରର ପଞ୍ଚୁଟିକିରିରୁ କରଂଜମାଳ ଦେଇ ଧାମରାକୁ ଗମନା ଗମନ କରାଯାଉଥିବା ଘାଟ ଏବେ ବନ୍ଦ ରହିଛି। ବାଲିଆପାଳ ଘାଟ ଯାହା ମନ୍ତେଇ ନଦୀର ବାସୁଦେବପୁରକୁ ଯିବା ପାଇଁ ଲୋକମାନେ ଡଙ୍ଗାରେ ଯାତାୟାତ କରନ୍ତି। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀର ଚାନ୍ଦବାଲି ଘାଟ ଦେଇ ଲୋକମାନେ କେନ୍ଦ୍ରାପଡି ଜିଲ୍ଲାର ରାଜକନିକା ଅଞ୍ଚଳକୁ ଯାତାୟତ କରୁଥିବା ବେଳେ ତାହା ଏବେ ବନ୍ଦ ରହିଛି। ସେହିପରି ଏହି ନଦୀର ଆରଡିଠାରେ ତିନିତର ଓ ମୁଆଁ ଘାଟ ବନ୍ଦ ରହିଥିବାରୁ ଯାଜପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଗମନା ଗମନ ବନ୍ଦ ରହିଛି। ଏବେ କରୋନା କଟକଣା ପାଇଁ ସ୍ଥଳପଥର ସବୁ ରାସ୍ତା ସିଲ୍ ରହିଥିବା ବେଳେ ଲୋକମାନେ ଜଳପଥ ଦେଇ ଗମନା ଗମନ କରୁଥିଲେ। ତାହା ମଧ୍ୟ ଏବେ ପ୍ରଶାସନର କରୋନା କଟକଣଶ ମଧ୍ୟରେ ରହିଛି।

ସବୁ ଡଙ୍ଗା ଘାଟ ସିଲ୍ ହୋଇଥିବା ବେଳେ ଜଳ ପଥ ଦେଇ ଯେଭଳି କେହି ବାହାର ରାଜ୍ୟ କିମ୍ବା ଜିଲ୍ଲାର ଲୋକ ଭଦ୍ରକ ଜିଲ୍ଲା କମ୍ବା ଅନ୍ୟ ଦୁଇ ପଡୋଶୀ ଜିଲ୍ଲା କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା ଭିତରକୁ ପ୍ରବେଶ ନକରନ୍ତି ତାହା ଉପରେ କଡା ନଜର ପୁଲିସ ରଖିଛି। ପୁଲିସ ଓ ପ୍ରଶାସନର ଏଇ କଟକଣା ଯୋଗୁଁ ବିଶେଷ ଭାବେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ରୁ ଧାମରାକୁ ଯାତାୟା କରୁଥିବା ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାତି ପାହିଲେ ଏଇ ନଦୀପଥ ଦେଇ ସେମାନ ନିଜର ବେପାର ବାଣିଜ୍ୟ କରିବାକୁ ଯାଉଥିବା ବେଳେ କାମ ଧନ୍ଦା ପାଇଁ ଓ ମାଛ ମାରିବା ପାଇଁ ଧାମରାକୁ ଯାଇଥାନ୍ତି।

ସେହିପରି ଆରଡିର ତିନିତର ଘାଟ ବନ୍ଦ ରହିଥିବାରୁ ଚାନ୍ଦବାଲି ବ୍ଲକର ନଦୀ ଏପାଖରେ ଥିବା ୩ ଟି ପଞ୍ଚାୟତ ଆରଡି , ନାନ୍ଦପୁର, ସୁନ୍ଦରପୁରର ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କୌଣସି କାମ ପାଇଁ ସେମାନେ ଚାନ୍ଦବାଲି ବ୍ଲକକୁ ଯିବାକୁ ପଡେ। ଏବେ ନଦୀ ଘାଟ ବନ୍ଦ ରହିଥିବାରୁ ଏଇ ପଞ୍ଚାୟତର ଲୋକମାନେ ଚାନ୍ଦବାଲି ବ୍ଲକକୁ ଯାଇ ପାରୁ ନାହାନ୍ତି। ସେହିପରି ଆରଡି ମନ୍ଦିରକୁ ତିନିତର ଦେଇ କେନ୍ଦ୍ରାପଡା ଓ ମୁଆଁ ନଦୀ ଘାଟଦେଇ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଦଶରଥପୁର ଓ ମଙ୍ଗଳପୁରର ଲୋକମାନେ ଆରଡିକୁ ଆସିଥାନ୍ତି। ଏଇସବୁ ଲୋକମାନଙ୍କର ଗମନା ଗମନ ଏବେ ଠପ୍ ହୋଇଯାଇଛି। କେହି ବନ୍ଧୁ ବାନ୍ଧବ କାହାର ଅସୁବିଧା ହେଲେ ମଧ୍ୟ ନିଜର ସଂପର୍କୀୟ ଲୋକମାନେ ଆସି ପାରୁ ନାହାନ୍ତି। ଏମିତି ଅସୁବିଧା ଭିତରେ ଲୋକମାନଙ୍କୁ ଆଉ କେତେ ଦିନ ରହିବାକୁ ପଡିବ ତାହା ଏବେ ପ୍ରଶ୍ନ ହୋଇ ଠିଆ ହୋଇଛି।