ଲକ୍ଡାଉନ୍ ନିର୍ଦେଶାବଳୀ ଜାରି କଲା ପ୍ରଶାସନ: ଖୋଲିବ ବହି ଦୋକାନ, ସପିଂ ମଲ ବନ୍ଦ

କୋରାପୁଟ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ୪ଟି ସହରାଞ୍ଚଳ ଓ ୫ଟି ପଞ୍ଚାୟତକୁ ଲକ୍ଡାଉନ କରାଯାଇଛି। ତେବେ ଏହି ଲକ୍ଡାଉନ୍ସମୟରେ କେଉଁ କେଉଁ ଦୋକାନ ଖୋଲିବ ଓ କ’ଣ ଖୋଲିବ ନାହିଁ ସେଥିନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ନିୟମାବଳୀ ଲାଗୁ କରାଯାଇଛି। ଏହି ଲକଡାଉନ୍ ଆସନ୍ତା ୨୭ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ। ଅପରପକ୍ଷରେ ପୂର୍ବପରି ଶନିବାର ଓ ରବିବାର ଜିଲ୍ଲା ସାରା ସଟ୍ଡାଉନ୍ ନିୟମ ଜାରି ରହିବ।

କୋରାପୁଟ ସହର ସମେତ ଜୟପୁର, ସୁନାବେଡା ଓ କୋଟପାଡ ସହରାଞ୍ଚଳରେ ଗତ ରାତିରୁ ସପ୍ତାହକ ପାଇଁ ଲକ୍ଡାଉନ୍ ଆରମ୍ଭ ହୋଇଛି। । ସେହିପରି ଲକ୍ଷ୍ମୀପୁର ବ୍ଲକ ସଦର ପଞ୍ଚାୟତ, ସେମିଳିଗୁଡା ବ୍ଲକର ଚାରାଙ୍ଗୁଲ ପଞ୍ଚାୟତ, ପଟାଙ୍ଗୀ ବ୍ଲକର ସଦର ପଞ୍ଚାୟତ, କୋରାପୁଟ ବ୍ଲକର ମାଥାଲପୁଟ ପଞ୍ଚାୟତ ଓ ବୋରିଗୁମ୍ମା ବ୍ଲକର ସଦର ପଞ୍ଚାୟତରେ ମଧ୍ୟ ଲକ୍ଡାଉନ ଲାଗିଛି। ଏହି ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଆଉ ସବୁ କିଛି ବନ୍ଦ ରହିବ। ଗାଡି ଚଳାଚଳ ଉପରେ କଟକଣା ଲଗା ଯାଇଥିଲାବେଳେ ବିନା କାରଣରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଲକଡାଉନ ସମୟରେ ଫଳ, ପନିପରିବା, ରାସନ ଦୋକାନ ଓ ଆମିଷ ଦୋକାନ ସକାଳ ୭ଟାରୁ ଦିନ ୧ଟା ପର୍ୟ୍ୟନ୍ତ ଖୋଲା ରହିବ।

ଏହି ସମୟ ଭିତରେ ବହି ଦୋକାନ, ସିମେଣ୍ଟ ଦୋକାନ, ଇଲେକ୍ଟ୍ରିକାଲ ଦୋକାନ, ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ ମଧ୍ୟ ଖୋଲ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ ସପିଂ ମଲ, କପଡା ଦୋକାନ, ଗହଣା ଦୋକାନ, ଜୋତା ଦ‌ୋକାନ, କସମେଟିକ, ଇଲେକ୍ଟ୍ରୋନିକ୍ସ ଶୋ’ ରୁମ, ସାଲୁନ, ସ୍ପା, ଉପହାର ଦୋକାନ, ଘଣ୍ଟ‌ୋ ଦୋକାନ, ଫର୍ଣ୍ଣିଚର ଦୋକାନ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ବିଭିନ୍ନ ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଛି। ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥା, ଔଷଧ ଦୋକାନ, ପାଥୋଲାବ, ଜଳଯୋଗାଣ, ବିଦ୍ୟୁତ ଯୋଗାଣ ଆଦି ସେବା ସ୍ବାଭାବିକ ଭାବେ ଚାଲିବ ବୋଲି ପ୍ରଶାସନ କହିଛି।

ମଦ ଦୋକାନ ବନ୍ଦ ରହୁଥିଲେ ମଧ୍ୟ ହୋମ ଡେଲିଭରି ଉପରେ କଟକଣା ନାହିଁ। ଜାତୀୟ ରାଜପଥ କଡରେ ଥିବା ଢାବାଗୁଡିକ ଖୋଲିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଦୋକାନ ଖୋଲିବା ନେଇ କୌଣସି କଟକଣା ନାହିଁ। ଜାତୀୟ ରାଜପଥ କଡରେ ଥିବା ଗାଡି ମରାମତି ଓ ସ୍ପେୟାର ପାର୍ଟସ ଦୋକାନ ମଧ୍ୟ ଖୋଲିବ ବୋଲି ଜଣାପଡିଛି। ବ୍ୟାଙ୍କଗୁଡିକ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ହେବ। ତେବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟ କରିବ। ପୋଷ୍ଟ ଅଫିସ ମଧ୍ୟ ଖୋଲା ରହିବ। ମାଲ ପରିବହନ ଓ ରେଳ ଷ୍ଟେସନକୁ ଯିବା ପାଇଁ ଗାଡି ବ୍ୟବହାର ଉପରେ କଟକଣା ରହିବ ନାହିଁ। ମଦ ଦୋକାନ ବନ୍ଦ ରହୁଥିଲେ ମଧ୍ୟ ହୋମ ଡେଲିଭରି ଉପରେ କଟକଣା ନାହିଁ।

ସମ୍ବନ୍ଧିତ ଖବର