ଲକ ଡାଉନ: କମିଛି ଚିଠିପତ୍ର, ବଢିଛି ଔଷଧ ଡେଲିଭରି
ଗାଁ ଡାକଘରୁ ଉଠୁଛି ସବୁ ବ୍ୟାଙ୍କ ଟଙ୍କା, ଟିପ ମାରିଲେ ଦୁଇ ମିନିଟରେ ଉଠାଣ
ଅନୁଗୁଳ: ଲକ ଡାଉନ ପାଇଁ ଆପଣ ଘରୁ ବାହାରି ପାରୁନାହାନ୍ତି ? ପୁଲିସ ଭୟରେ ଯାଇପାରୁନାହାନ୍ତି ବ୍ୟାଙ୍କ ? ଦୂରରେ ଅଛି ଏଟିଏମ। ଟଙ୍କା ଉଠାଣ ମୁସ୍କିଲ ହେଉଛି।ତେବେ ବିବ୍ରତ ହେବାର ନାହିଁ। ବର୍ତ୍ତମାନ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଟିପ ମାରିଲେ ଗାଁ ଡାକଘର ଯୋଗାଉଛି ଟଙ୍କା। ସେ ରାଷ୍ଟ୍ରାୟତ ହେଉ ଅବା ବେସରକାରୀ ବ୍ୟାଙ୍କ। ଯଦି ହିତାଧିକାରୀଙ୍କ ସଞ୍ଚୟ ଏକାଉଣ୍ଟରେ ଆଧାର ଲିଙ୍କ ହୋଇଛି ତେବେ ଯେକୌଣସି ବ୍ୟାଙ୍କ ଖାତାରୁ ଲୋକେ ଯେମିତି ଟଙ୍କା ଉଠାଇ ଘରେ ସୁରକ୍ଷିତ ରହି ପାରିବେ ବର୍ତମାନ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୫୦୦ ଡାକଘରୁ ଲୋକଙ୍କୁ ଏହି ସେବା ଉପଲବ୍ଧ କରାଯାଉଛି। କେବଳ ଟଙ୍କା କାରବାର ନୁହେଁ, ଲୋକେ ଗାଡି ମଟରରେ ଗାଁ ରୁ ସହରକୁ ଯାଇ ପାରୁ ନ ଥିବା ବେଳେ ଅତ୍ୟାବଶ୍ୟକ ଔଷଧ ଡେଲିଭରୀର ପ୍ରମୁଖ ମାଧ୍ୟମ ଏବେ ଡାକଘର ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଗତ ମାସରୁ ସରକାରଙ୍କ ଲକ ଡାଉନ ପର ଠାରୁ ପ୍ରାୟ ସେବାକୁ ସରକାର ବନ୍ଦ କରିଥିବା ବେଳେ ଜରୁରୀ ଭାବି ଡାକ ସେବାକୁ ପୂର୍ବ ପରି ନିୟମିତ ଚାଲୁ ରଖିଛନ୍ତି। ଲକ ଡାଉନ ସମୟରେ ଲୋକେ ଡାକ ସେବାକୁ ଭିନ୍ନ ଢଙ୍ଗରେ ବ୍ୟବହାର କଲେଣି। ଢେଙ୍କାନାଳ ଡାକ ସୁପରିଟେଣ୍ଡେଣ୍ଟ ବି. ବି. ମହାନ୍ତିଙ୍କ ତଥ୍ୟ ମୁତାବକ, ବର୍ତମାନ ଡାକ ଘରେ ଚିଠି ବାଣ୍ଟିବା ସଂଖ୍ୟା ଅପେକ୍ଷାକୃତ କମିଛି। ଲୋକେ ବହୁଳ ବ୍ୟବହାର କରୁଛନ୍ତି ପାସର୍ଲ ସେବା। ବିଶେଷ କରି ଔଷଧ ମଗାଇବାରେ ଗାଁ ଗହଳି ଲୋକଙ୍କ ପାଇଁ ବେଶ ଉପକାରୀ ହୋଇ ପାରିଛି। କାରଣ, ସବୁ ଯାନବାହନ ବର୍ତମାନ ବନ୍ଦ ରହିଥିବା ବେଳେ ବାହାର ରାଜ୍ୟ ସହିତ କେବଳ ଡାକ ବିଭାଗର ପରିବହନ ବ୍ୟବସ୍ଥା ଜାରି ରହିଛି। ଲୋକେ ଅନଲାଇନ ଜରିଆରେ ବିଭିନ୍ନ ଔଷଧ ସାମଗ୍ରୀ ଗାଁକୁ ମଗାଉଛନ୍ତି।ସହର ଠାରୁ ଗାଁ ଯାଏ ବିଛେଇ ହୋଇଥିବା ଆମ ନେଟୱର୍କ ଜରିଆରେ ଲକ ଡାଉନ ଭଳି ବିପତ୍ତି ବେଳାରେ ଆମେ ଗାଁରେ ପହଂଚି ପାରୁଛୁ। ପୂର୍ବ ଅପେକ୍ଷା ଲକ ଡାଉନ ସମୟରେ ଏ ପ୍ରକାର ପାର୍ଶଲ ବେଶି ଆସୁଛି ବୋଲି ସୁପରିଟେଣ୍ଡେଣ୍ଟ ଶ୍ରୀ ମହାନ୍ତି କହିଛନ୍ତି।
ବିପତ୍ତି ବେଳାରେ ଦ୍ୱିତୀୟ ବଡ଼ ସୁବିଧା ହେଉଛି ଟଙ୍କା କାରବାର। ଡାକ ଘରେ ଖାତା ଖୋଲି ରଖିଥିବା ଜମା ଟଙ୍କା କୁ ତ ଲୋକେ ସୁବିଧାରେ ଗାଁରେ ଥିବା ଡାକ ଘରୁ ଉଠାଇ ପାରୁଛନ୍ତି। ଏତତ ବ୍ୟତୀତ ଅନ୍ୟ ବ୍ୟାଙ୍କରେ ଜମା ଥିବା ଟଙ୍କାକୁ ଉଠାଇ ଲୋକଙ୍କୁ ମାତ୍ର ଦୁଇ ମିନିଟରେ ଯୋଗାଉଛୁ। ଏ ସେବା ଡାକଘରେ ପୂରା ନିଶୁଳ୍କ। ସେଥିପାଇଁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୫୦୦ ଗ୍ରାମାଞ୍ଚଳରେ ଥିବା ଡାକ ଘରକୁ ମୋବାଇଲ ଯୋଗାଇ ଦିଆଯାଇଛି। ଆଧାର ନେଟୱାର୍କ ସହିତ ପୋଷ୍ଟ ଅଫିସକୁ ଯୋଡ଼ା ଯାଇଛି।
ରାଷ୍ଟ୍ରାୟତ ହେଉ ଅବା ବେସରକାରୀ ବ୍ୟାଙ୍କ, ଲୋକଙ୍କ ଏକାଉଣ୍ଟ ସହ ଆଧାର ଲିଙ୍କ ହୋଇଥିଲେ ଲୋକଙ୍କ ଟିପ ସ୍କାନ କରାଇ ମାତ୍ର ଦୁଇ ମିନିଟରେ ଜମା ଟଙ୍କା ଲୋକଙ୍କୁ ଦେଉଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ବ୍ରାଞ୍ଚ ଅଫିସରେ ଜଣେ ଏକାଉଣ୍ଟ ଧାରୀଙ୍କୁ ୫ହଜାର ଏବଂ ସବ ପୋଷ୍ଟ ଅଫିସରେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଲୋକଙ୍କର ଉଠେଇ ପାରିବୁ। ଏଥିପାଇଁ ଲୋକ ଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଲକ ଡାଉନରେ ଗାଁ ଲୋକେ ଯେଉଁମାନେ ଘରୁ ବାହାରି ପାରୁ ନାହାନ୍ତି ସେମାନେ ଏହି ସେବା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ଏହା ଜରିଆରେ ଲୋକେ ନିଜ ଗ୍ୟାସ ସବସିଡ଼ି ମଧ୍ୟ ନେଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି।
ଏଭଳି ବିପତ୍ତି ସମୟରେ ଆମେ ଲୋକଙ୍କୁ ଔଷଧ ଭଳି ରାସନ ବାଣ୍ଟିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ। ବର୍ତମାନ ସରକାର ଡିଲର ଓ ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ ରାସନ ବାଣ୍ଟୁଛନ୍ତି। ସରକାର ଚାହିଁଲେ ସେ ଦିଗରେ ଆମ ନେଟୱାର୍କ କାମ କରିବ ବୋଲି ସେ କହିଛନ୍ତି।