ଲକ୍‌ଡାଉନ୍‌ରେ ବାଇକ କଟକଣା: ସାଇକେଲ ଚାହିଦା ବଢ଼ିଲା, ମେକାନିକ୍‌ ଖୁସି

ସାଇକେଲ ମରାମତିକୁ ଅନୁମତି ଦାବି

ଝାରସୁଗୁଡ଼ା: ମହାମରୀ କରୋନା ଯେପରି ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି, ସେପରି ମଣିଷ ଜୀବନ ଶୈଳିକୁ ମଧ୍ୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବଦଳାଇ ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ପ୍ରଣୟନ ହେଉଛି ଓ ଏହାକୁ କାର୍ଯ୍ୟକାରୀ କରାଯିବାକୁ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଘରୁ ପଦାକୁ ନବାହାରି ଘରେ ରହିଲେ କରୋନା ଭୂତାଣୁର ମୁକାବିଲା କରାଯାଇ ପାରିବ ବୋଲି ବିଶେଷଜ୍ଞ ମାନେ କହୁଥିବାରୁ ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ବାରଣ କରାଯାଉଛି। ଅତି ଜରୁରୀ ହେଲେପଦାକୁ ଯିବାକୁ କୁହାଯାଉଛି।

ତେବେ ବହୁ ଲୋକ ବିନା କାରଣରେ ପଦାକୁ ବାହାରି ଆସୁଥିବା ଓ ବୁଲୁଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ବାହିନୀ ପକ୍ଷରୁ ବଳପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା। ରାସ୍ତାରେ ଯାନବାହାନ ଚଳାଚଳକୁ କଟକଣା କରାଗଲା। ବାଇକ ଚଳାଚଳକୁ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରାଗଲା। ତେବେ ଜଣେ ସାଇକେଲରେ ରାସ୍ତାରେ ଯିବାରେ କୌଣସି ପ୍ରକାର ବାରଣ କରାଯାଇନଥିବାରୁ ଏବେ ଲୋକେ ସାଇକେଲ ନେଇ ବାହାରକୁ ବାହାରୁଛନ୍ତି।

ସଂପ୍ରତି ଯାନ୍ତ୍ରିକ ଦୁନିଆଁରେ ଲୋକ ସବୁବେଳେ ମେସିନ ଉପରେ ନିର୍ଭରଶୀଳ ହୋଇଛନ୍ତି। ଘରୁ ବାହାରିଲେ ବାଇକ୍‌ ଓ କାର୍‌ ବ୍ୟବହାର କରୁଛନ୍ତି। ବିନା କାମରେ ମଧ୍ୟ ଘେରାଏ ବାଇକ୍‌ କିମ୍ବା କାର୍‌ରେ ବୁଲି ଆସିବା ସଉକ ହୋଇଯାଇଛି। ନିଜ କାର୍ମସ୍ଥଳୀକୁ ଯବିାପାଇଁ ଲୋକ ଆଉ ସାଇକେଲ ଉପରେ ନିର୍ଭର କରୁ ନାହାନ୍ତି। ଫଳରେ ସାଇକେଲ ଚାଳନାକୁ ଏକ ବ୍ୟାୟାମର ଅଂଶ ବିଶେଷ ଭାବରେ ଗ୍ରହଣ କରାଯାଉଛି। ମାତ୍ର କରୋନା କଟକଣା ଏବେ ବହୁ ଲୋକଙ୍କୁ ସେଇ ସାଇକେଲ ଦୁନିଆଁକୁ ନେବା ପାଇଁ ସକ୍ଷମ ହୋଇଛି। ଯାହା ଘରେ ସାଇକେଲଟିଏ ବ୍ୟବହାର ନହୋଇ ପଡ଼ି ରହିଥିଲା ତାକୁ ଏବେ ବ‌ାହାର କରି ଚଳାଇବାକୁ ଉଦ୍ୟମ କରାଯାଉଛି। କିଛି ଲୋକ ନିଜ ପୁଅ ଝିଅ ପାଖରେ ଥିବା ସାଇକେଲକୁ ମଧ୍ୟ ବ୍ୟବହାର କରିବା ଦେଖା ଯାଉଛି।

ଲକ୍‌ଡାଉନ୍‌ ଯୋଗୁଁ ସାଇକେଲ ଦୋକାନ ବନ୍ଦ ଥିବା କାରଣରୁ ବହୁ ଲୋକ ନିଜ ନିଜ ସାଇକେଲ ମରାମତି କରି ପାରୁ ନାହାନ୍ତି। ‌ସାଇକେଲର ବ୍ୟବହାର କମି ଥିବାରୁ ସାଇକେଲ ମରାମତି କରି ଜୀବିକା ନିର୍ବାହ କରୁଥିବା ମେକାନିକ୍‌ ମଧ୍ୟ ଆଉ ନାହାନ୍ତି। କାଁ ଭାଁ ସାଇକେଲ ମରାମତି କରୁଥିବା ମେକାନିକଙ୍କ ଏବେ ଚାହିଦା କାହିଁରୁ କାହିଁ ବଢ଼ି ଯାଇଛି। ଟ୍ୟୁବ୍‌ରେ ପ୍ୟାଚ୍‌ ପକାଇବା ଓ ପମ୍ପ ଭରିବା ସହିତ ଛୋଟ ମରାମତି ଏବେ ସାଇକେଲ ମେକାନିକଙ୍କୁ ସାମୟିକ ଆଶ୍ବସ୍ତ ଦେଇଛି ସତ ତେବେ ଏହି ସମୟ କେତେ ଦିନ ରହିବ ତାର କିଛି ଠିକଣା ନାହିଁ ବୋଲି କହିଛନ୍ତି ଜଣେ ସାଇକେଲ ମେକାନିକ୍‌ ନିତିଆ କୁମାର।

ଦୀର୍ଘ ଦିନ ହେଲା ଧିମେଇ ଯାଇଥିଲା ତାଙ୍କ ବ୍ୟବସାୟ। ସମସ୍ତେ ବାଇକରେ ଘିରି ଘିରି ବୁଳୁଥିବାରୁ ସାଇକେଲ ଧରି ତାଙ୍କ ପାଖକୁ କେହି ଆସୁନଥିଲେ। ସରବାହାଲ ଅଞ୍ଚଳରେ ଏକ ଛୋଟ ଦୋକାନରେ ସାଇକେଳ ମରାମତି କରୁଥିବା ନିତିଆ ଏବେ ସାଇକେଲ ମରାମତି କରି ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି। ଲକ୍‌ଡାଉନ୍‌ ତାଙ୍କୁ ସହାୟ ହୋଇଥିବା ସେ କହୁଥିବା ବେଳେ ଯଦି ସାଇକେଲ ଦୋକାନ ଖୋଲାଯିବା ପାଇଁ ସରକାର ଅନୁମତି ଦିଅନ୍ତେ ତେବେ ସାଇକେଲ ମରାମତି ପାଇଁ ସାମଗ୍ରୀ ଆଣି ସେ ଆହୁରି କିଛି ରୋଜଗାର କରି ପାରନ୍ତେ ବୋଲି କହିଛନ୍ତି।

 

 

ସମ୍ବନ୍ଧିତ ଖବର