ଲକ୍ ଡାଉନରେ ଇଟା ମାଫିଆ ସକ୍ରିୟ: କନ୍ଧମାଳ ଜଙ୍ଗଲ ଭିତରେ ଚାଲିଛି ମାଳମାଳ ଭାଟି, ବ୍ୟାପକ ରାଜସ୍ବ କ୍ଷତି

କରୋନା ପାଇଁ ବି ରହୁନି ସାମାଜିକ ଦୂରତା

ଫୁଲବାଣୀ: କରୋନା ପାଇଁ ବିଶ୍ବବାସୀ ଆତଙ୍କିତ। ଭାରତ ସମେତ ଓଡିଶାରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। କରୋନାକୁ ମୁକାବିଲା ନିମନ୍ତେ ଲକ୍ ଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ କନ୍ଧମାଳରେ ଇଟା ମାଫିଆ ବେଶ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ ଜଙ୍ଗଲକୁ ନିରାପଦ ଭାବି ଇଟାଭାଟି ପକାଇ ଚାଲିଛନ୍ତି। ଏଥିରେ ଅଧିକ ପାରିଶ୍ରମିକ ଲୋଭ ଦେଖାଇ ପାର୍ଶ୍ବବର୍ତ୍ତୀ ଗାଁରୁ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି। ଏମିତି କି ଛୋଟ ପିଲା ବି ଇଟାଭାଟିରେ କାମ କରୁଥିବା ଖବର ମିଳିଛି।

ଇଟା ତିଆରି କରି ଭାଟି ପକା ସରିଛି। ବାକି ପୋଡା ଯିବାକୁ ବାକି ରହିଛି। ପୋଡା ଯିବା ପରେ ଇଟାକୁ ବାହାରକୁ ଚାଲାଣ କରିବା ନିମନ୍ତେ ମାଫିଆମାନେ ଯୋଜନା ଚଳାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କରୋନା ଲକ୍ ଡାଉନ ପାଇଁ ପ୍ରଶାସନ ଚଳିତ ବର୍ଷ କାହାରିକୁ ଇଟାଭାଟି ପାଇଁ ଅନୁମତି ଦେଇ ନାହିଁ।  ହେଲେ ସଂପ୍ରତି  ବେଆଇନ ଭାବେ ଦେଢ ଶହରୁ ଉର୍ଦ୍ଧ୍ବ ଇଟାଭାଟି ଚାଲିଛି।  ପ୍ରଥମେ ଜଙ୍ଗଲରୁ ଗଛ କାଟି ସଫା କରା ଯାଇଛି। ତାପରେ ଶ୍ରମିକ ଯୋଗାଡ କରି ଇଟା ପକା ଯାଉଛି। ପାରିଶ୍ରମିକଠାରୁ ଅଧିକ ମିଳୁ ଥିବାରୁ ଶ୍ରମିକମାନେ କିଛି କହୁ ନାହାନ୍ତି। ଏମିତି କି ଛୋଟ ପିଲାମାନଙ୍କୁ ବି ଏହି କାମରେ ଲଗାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଶ୍ରମିକମାନେ ଦିନକୁ ୪ଶହରୁ ୫୦୦ ଟଙ୍କା ପାଉଥିବା ବେଳେ ଛୋଟ ପିଲାଙ୍କୁ ମିଳୁଛି ୨ଶହରୁ ୩୦୦ ଟଙ୍କା। ସପ୍ତାହ ହେଲା ଯଦିଓ ରାଜ୍ୟ ସରକାର ମନରେଗା କାମ ଚାଲିବା ପାଇଁ ଘୋଷଣା କରିଛନ୍ତି। ହେଲେ ଏହାଠାରୁ ଇଟାଭାଟିରେ ଅଧିକ ପାରିଶ୍ରମିକ ମିଳୁ ଥିବାରୁ ଶ୍ରମିକମାନେ ମନରେଗା କାମ କରିବାକୁ ଇଛା ପ୍ରକାଶ କରୁ ନାହାନ୍ତି। ଇଟାଭାଟି ଯୋଗୁ ଜଙ୍ଗଲ ସଫା ହେଉଛଇ। ମୂଲ୍ୟବାନ ଗଛ ଲୋପ ପାଉଛି। ଏଥିରେ ପ୍ରଶାସନର ବ୍ୟାପକ ରାଜସ୍ବ କ୍ଷତି ବି ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଇଟାଭାଟି ପକା ଯବିା ସମୟରେ ରହୁ ନାହିଁ ସାମାଜିକ ଦୂରତା। ଏଥି ଯୋଗୁ କରୋନା ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସହର,ବଜାର ଓ ଗାଁ‌ରେ ପୁଲିସ ଓ ସରକାରୀ ବାବୁମାନେ ତନାଘନା କରି କରୋନା ଲକ୍ ଡାଉନକୁ କଡାକଡି କରୁଛନ୍ତି। ହେଲେ ଜଙ୍ଗଲ ଭିତରେ ଚାଲିଥିବା ଶହଶହ ଇଟାଭାଟି ପ୍ରତି କାହାର ନଜର ରହୁ ନାହିଁ। ବିଭିନ୍ନ ଗାଁରେ ଶୂନଶାନ ରହୁଛି। ଲୋକଙ୍କ ଦେଖା ମିଳୁନି।

ପୁଲିସ ଓ ସରକାରୀ ବାବୁମାନେ ଭାବୁଛନ୍ତି ଲୋକମାନେ ବେଶ ସଚେତନ। କେହି ଘରୁ ପଦାକୁ ବାହାରୁ ନାହାନ୍ତି। ହେଲେ ଲୋକମାନେ ସକାଳୁ ସକାଳୁ ବାହାରି ଜଙ୍ଗଲକୁ ଯାଇ ଇଟାଭାଟିରେ କାମ କରୁଛନ୍ତି। ସଂଧ୍ୟା ହେଲେ ଘରକୁ ସେମାନେ ଫେରୁଛନ୍ତି। ଲକ୍ ଡାଉନ ସମୟରେ ଫିରିଙ୍ଗିଆ ଅଞ୍ଚଳରେ ପ୍ରଶାସନ କେତେକ ଇଟାଭାଟିରେ ଚଢାଉ କରିଛି। ଇଟାଭାଟି ଭାଙ୍ଗିବା ସହ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି। ହେଲେ ଆଉ କେଉଁଠି ଚଢାଉ ହୋଇ ନାହିଁ। ଫୁଲବାଣୀରୁ ବୌଦ୍ଧ, ଗୋଛାପଡା ଓ ଫିରିଙ୍ଗିଆ, ଫୁଲବାଣୀରୁ ଖଜୁରୀପଡାରୁ ଲାଇନପଡା, ପାପୁରିଆରୁ ମଣ୍ଡାକିଆ, ସାରଙ୍ଗଗଡରୁ ଦାରିଙ୍ଗବାଡି, ବାଲିଗୁଡାରୁ ତୁମୁଡିବନ୍ଧ ଓ କୋଟଗଡ ରାସ୍ତାଠାରୁ ଅନତି ଦୂର ବିଭିନ୍ନ ଜଙ୍ଗଲଗୁଡିକ ଏବଂ ଗୋଛାପଡା ଓ ବାଲନ୍ଦାପଡାରେ ବେଆଇନ ଭାବେ ଶହଶହ ଇଟାଭାଟି ଚାଲିଥିବା ଖବର ମିଳିଛି। ରାଜସ୍ବ କ୍ଷତିରୁ ବର୍ତ୍ତିବା ଏବଂ କରୋନା ସଂକ୍ରମିତକୁ ରୋକିବା ନିମନ୍ତେ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର