ଦୁଗ୍ଧ ଚାଷୀଙ୍କ ମେରୁଦଣ୍ଡରେ କରୋନା ମାଡ: ହେଇପାରୁନି କ୍ଷୀର ବିକ୍ରି, ମିଳୁନି ଗୋଖାଦ୍ୟ

କୋରାପୁଟ: ଚାଷୀ କ୍ଷୀର ଉତ୍ପାଦନ କରୁଛି। କିନ୍ତୁ ବିକ୍ରି କରିପାରୁନି। କରୋନା ପାଇଁ ବଜାର ଉପ‌ରେ କଟକଣା ଲାଗିବା ପରେ ଏହି କ୍ଷୀର ବଜାରରେ ପହଞ୍ଚିବା କଷ୍ଟକର ହୋଇ ପଡୁଛି। ଅପରପକ୍ଷରେ କଟକଣା ପାଇଁ ଲୋକେ ବି ବଜାରରୁ କ୍ଷୀର ଆଣିବାରେ ସମସ୍ୟା ହେଉଛି। ଚାଷୀ କ୍ଷୀର ବିକି ପାରୁ ନ ଥିଲାବେଳେ ଏପଟେ ଲୋକେ କ୍ଷୀର ଟିକିଏ କିଣିବା‌ରେ ଅସୁବିଧା ହେଉଛି। କରୋନା ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ଡାଉନ କରାଯିବା ପରେ କୋରାପୁଟରେ ଏମିତି ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଉଭୟ ଚାଷୀ ଓ ଗ୍ରାହକ ନାହିଁ ନ ଥିବା ସମସ୍ୟାରେ ପଡୁଥିଲାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପୁଣି ଦୁଗ୍ଧ ଚାଷୀ ଗାଇ ପାଇଁ ଖାଦ୍ୟ ଯୋଗାଡରେ ମଧ୍ୟ ଅସୁବିଧା ହେଉଛି।

କୋରାପୁଟ ଜିଲ୍ଲାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲୁଛି। ଅନ୍ୟ ସମୟରେ ବନ୍ଦ ରହୁଛି। ପୁଣି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଛି। ଏପଟେ ଗାଡି, ମୋଟର ଚଳାଇବା ପାଇଁ ଅନୁମତି ଦିଆଯାଉନି। ଏହାର ନକରାରତ୍ମକ ପ୍ରଭାବ ଚାଷୀଙ୍କ ଉପରେ ପଡୁଛି। ବିଶେଷକରି ଦୁଗ୍ଧ ଚାଷୀମାନେ ବେଶୀ ଅସୁବିଧାରେ ପଡୁଛନ୍ତି। କାରଣ ଏହି କ୍ଷୀର ଅଳ୍ପ ସମୟ ଭିତରେ ବିକ୍ରି ନ ହେଲେ ନଷ୍ଟ ହେବାର ଆଶଙ୍କା ରହିଛି। ପୁଣି ବଜାର କଟକଣା ପାଇଁ ଠିକଣା ସମୟରେ ଏହା ପହଞ୍ଚି ପାରୁନି। ସକାଳୁ ସକାଳୁ କ୍ଷୀର ବାହାର କରି ବଜାରରେ ପହଞ୍ଚାଇବା‌ରେ ସମସ୍ୟା ହେଉଛି। ଜିଲ୍ଳାର ବିଭିନ୍ନ ଗାଁ ଓ ସହରର ପ୍ରାୟ ପ୍ରତିଟି ଗଳିକନ୍ଦିର  ରାସ୍ତା ଉପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା  ଅସ୍ଥାୟୀ ପ୍ରତିବନ୍ଧକ ସୃଷ୍ଟି କରାଯାଇ ଯାନବାହନର ଯାତାୟତକୁ ନିୟନ୍ତ୍ରଣ କରାଯାଉଥିବା ଯୋଗୁଁ କ୍ଷୀର ପହଞ୍ଚିବା ପୂର୍ବରୁ ବଜାର ବନ୍ଦ ହୋଇ ଯାଉଛି। ଫଳରେ ଚାଷୀ କ୍ଷୀର ବିକ୍ରି କରିପାରୁନି।

କୋରାପୁଟ ସହରରୁ ୫ କିଲୋମିଟର ଦୂର ଗୁଣ୍ଠାଗୁଡା ଗ୍ରାମରେ କୋଡ଼ିଏ ଖଣ୍ଡ ଗାଈ ରଖି ଗୋଶାଳା ପରିଚାଳନା କରୁଥିବା ଗୀତାଞ୍ଜଳି ପାଣିଙ୍କ କହିବାନୁଯାୟୀ, ଗାଈଗୋରୁଙ୍କୁ ସେବା କରି ସେମାନଙ୍କଠାରୁ କ୍ଷୀର ଟିକେ ପାଇବା ପାଇଁ ଲୋକେ କେତେ ପ୍ରାର୍ଥନା କରିଥାନ୍ତି । ଗାଈ ଅଧିକ କ୍ଷୀର ଦେବା ପାଇଁ ଚିକିତ୍ସା ବିଜ୍ଞାନର ସହଯୋଗ ନିଆଯାଏ। କିନ୍ତୁ ଦିନ ଏମିତି ଆସି ପହଁଚିଲା ଯେତେବେଳେ ଗୋମାତା ଅଧିକ କ୍ଷୀର ଦେଲେ ଭୟ ଲାଗୁଛି। ଏବେ ଗାଈ ଅଧିକ କ୍ଷୀର ଦେଲେ କେବଳ ନଷ୍ଟ  ହେବା ହିଁ ସାର ହେବାର ଭୟ ରହିଛି। ତେଣୁ ବାଧ୍ୟ ହୋଇ ଦୁଃଖର ସହ ଗାଈ ଖାଦ୍ୟର ପରିମାଣ କମାଇବାକୁ ପଡୁଥିବା ସେ ପ୍ରକାଶ କରିଛନ୍ତି।

ପ୍ରଥମେ ଲକ୍ ଡାଉନ ଘୋଷଣା କରିବା ପରେ ଚା ଦୋକାନ ଠାରୁ ଆରମ୍ଭ କରି ମିଠା ତିଆରି କରୁଥିବା ଦୋକାନ ଓ ହୋଟେଲ ରେ ତାଲା ପଡିଲା । ଗୋଶାଳାରୁ କ୍ଷୀର ଉତ୍ପାଦନ ଠିକ ଥିବା ବେଳେ ତାକୁ ବିକ୍ରିକରିବାର କ୍ଷେତ୍ର ସଙ୍କୁଚିତ ହୋଇଗଲା। ତଥାପି ଲୋକଙ୍କ ଘରକୁ ଯାଇ କ୍ଷୀର ବାଣ୍ଟି ଆସୁଥିଲେ ଗୀତାଞ୍ଜଳୀଙ୍କ ପତି ରଞ୍ଜିତ ପାଣି।

ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଚା’ ଦୋକାନ ଠାରୁ ଆରମ୍ଭ କରି ମିଠା ତିଆରି କରୁଥିବା ଦୋକାନ ଓ ହୋଟେଲରେ ତାଲା ପଡିଛି।  ଗୋଶାଳାରୁ କ୍ଷୀର ଉତ୍ପାଦନ ହେବା ପରେ ଏହି ସବୁ ସ୍ଥାନକୁ ଯାଇଥାଏ। ଏବେ ଏହା ବନ୍ଦ ରହିଥିଲାବେ‌ଳେ ଲୋକମାନେ ମଧ୍ୟ କ୍ଷୀର କିଣିବାକୁ ଆସି ପାରୁନାହାନ୍ତି। ଫଳରେ ଘରୋଇ ବ୍ୟବହାର କମି ଯାଇଛି। ଏମିତିରେ ଦୁଗ୍ଧ ବିକ୍ରି କରିବା ଓ ବ୍ୟବହାର କରିବାର କ୍ଷେତ୍ର ଦୁଇ ସପ୍ତାହରୁ ଅଧିକ ଦିନ ହେଲାଣି ସଙ୍କୁଚିତ ହୋଇଗଲା। କେବଳ କିଛି ଲୋକଙ୍କ ଘରକୁ ଯାଇ କ୍ଷୀର ଯାହା ବଣ୍ଟା ହେଉଛି। କିନ୍ତୁ ସହରରୁ ଦୂରରେ ଥିବା ଗୋଶାଳରୁ କ୍ଷୀର ଆଣି ସହରର ଘରେ ଘରେ ବାଣ୍ଟିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିବା ଗୋଚାଷୀ ଜଣାଇଛନ୍ତି।

ସହର ଭିତରେ ଥିବା ଗୋଶାଳାରେ ବେଶୀ କିଛି ସମସ୍ୟା ନ ଥିଲା ବେଳେ ଗାଁର ଚାଷୀ ଲକ୍‌ଡାଉନରେ ଫସି ଯାଇଛନ୍ତି। କିନ୍ତୁ ଦେଶର ହିତ ପାଇଁ ଏହି ଲକ୍‌ଡାଉନ୍‌ ଏକ ଆବଶ୍ୟକୀୟ ପଦକ୍ଷେପ ହୋଇଥିବା ଯୋଗୁଁ ସେମାନେ କାହାକୁ ଅଭିଯୋଗ କରି ପାରୁ ନାହାନ୍ତି। କେବଳ ଭଗବାନଙ୍କ ପାଖରେ କରୋନା ଉପରେ ମଣିଷର  ବିଜୟ ପାଈଁ ପ୍ରାର୍ଥନା କରିବା ସହ ସରକାରଙ୍କ ପାଖରେ ସେମାନଙ୍କ ଭଳି  କ୍ଷୁଦ୍ର ଓ ନାମମାତ୍ର ଗୋଚାଷୀଙ୍କ ମେରୁଦଣ୍ଡ ଦୋହଲିଯିବା ପୂର୍ବରୁ ଉତ୍ପାଦିତ କ୍ଷୀର  ବଜାରରେ ବିକ୍ରି ହୋଇପାରିବା ଭଳି ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଛନ୍ତି। କେବଳ ଏତିକି ନୁହେଁ, ଗାଇ ଖାଇବା ପାଇଁ ଚାଷୀ ପାଖରେ ଦାନା ପାଇବାରେ ମଧ୍ୟ ସମସ୍ୟା ହେଉଛି। ଦୋକାନ ବଜାର ବନ୍ଦ ଥିବାରୁ ଏବଂ ଗୋଖାଦ୍ୟ ଠିକ ଭାବେ ମିଳୁ ନ ଥିବାରୁ ଚାଷୀମାନେ ଗାଇ ପାଇଁ ଖାଦ୍ୟ ଯୋଗାଡରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ଗୋଶାଳାରେ କାମ କରୁଥିବା ଲୋକମାନେ ମଧ୍ୟ ଏଠାକୁ ଆସିବାକୁ ହଇରାଣ ହେଉଥିବାରୁ ଚାଷୀଙ୍କ ମୁଣ୍ଡବ୍ୟଥା ବଢି ଯାଇଛି। ତେବେ କେବଳ ସେମାନ‌େ ଭାଗ୍ୟକୁ ଆଦରି ଲକ୍‌ଡାଉନ କେବେ ଉଠିବ ତାକୁ ଅପେକ୍ଷା କରି ରହିଛନ୍ତି।

 

ସମ୍ବନ୍ଧିତ ଖବର