ଖୋର୍ଦ୍ଧା: କୋଭିଡ୧୯ ମହାମାରୀ ମୁକାବିଲା ନିମନ୍ତେ ପ୍ରଭାବଶାଳୀ ଲକ୍ଡାଉନ୍ । ଆଜି ଲକ୍ଡାଉନ୍ର ୨୮ ଦିନ ପୂରିଛି । ଏହି ଅବଧିରେ ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା ଅପେକ୍ଷାକୃତ ଅପରାଧମୁକ୍ତ ରହିଛି । ଯଦିଓ ସାଧାରଣ ଅପରାଧ ସଂଖ୍ୟାରେ ହ୍ରାସ ପାଇଛି, ଲକ୍ଡାଉନ୍ ନିୟମ ଉଲ୍ଲଂଘନ ଓ ଅବକାରୀ ମାମଲା ବୃଦ୍ଧି ପାଇଥିବା ଜଣାଯାଇଛି ।
ସୂଚନାନୁସାରେ, ଅତ୍ୟାବଶ୍ୟକ ସାମଗ୍ରୀ ନିମନ୍ତେ ଲକ୍ଡାଉନ୍ ନିୟମ କୋହଳ ହେବା ପର୍ଯ୍ୟନ୍ତ ଜିଲ୍ଲାରେ ଗାଡ଼ିମୋଟର ଚଳାଚଳ ପ୍ରାୟତଃ ୯୫ ଭାଗ ହ୍ରାସ ପାଇଥିଲା । ଫଳରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ଆପାତତଃ ହ୍ରାସ ପାଇଛି । ଲକ୍ ଡାଉନ୍ ଅବଧି ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥରେ ତିନିଟି ବଡ଼ ଦୁର୍ଘଟଣା ଘଟିଥିଲା । ମାର୍ଚ୍ଚ ୨୯ ତାରିଖରେ ନିରାକାରପୁର ନିକଟରେ ସିରିଜ୍ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ତାରିଖରେ ବାଲୁଗାଁ ନିକଟରେ ସିରିଜ୍ ଦୁର୍ଘଟଣାରେ ୪ ଗୁରୁତର ଆହତ ହୋଇଥିଲେ । ସେହିଭଳି ନାଚୁଣୀ ନିକଟରେ ଏକ ଗ୍ୟାସ ବୋଝେଇ କଂଟେନର ଓଲଟି ପଡ଼ିଥିଲା । ସାଧାରଣ ଜୀବନଯାତ୍ରା ସମୟରେ ଜିଲ୍ଲାରେ ସାଧାରଣତଃ ପ୍ରତି ମାସରେ ୨୦ରୁ ୩୦ଟି ସଡ଼କ ଦୁର୍ଘଟଣା ଘଟୁଥିଲା ।
ବର୍ତମାନ ଏହା ସଂପୂର୍ଣ୍ଣ ହ୍ରାସ ପାଇଛି ମାର୍ଚ୍ଚ ୨୨ ତାରିଖରୁ ଅପ୍ରିଲ୍ ୨୧ ତାରିଖ ମଧ୍ୟରେ ଜିଲ୍ଲାରେ ଛୋଟବଡ଼ ଦୁର୍ଘଟଣା ମିଶାଇ ୧୨ଟି ମାମଲା ରୁଜୁ କରାଯାଇଛି । ସେହିଭଳି ଜିଲ୍ଲାରେ ଚୋରି ମାମଲା ୯୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ଡକାୟତି, ଛିନତାଇ, ଧର୍ଷଣ ଭଳି ମାମଲା ଘଟିନଥିବା ଜଣାଯାଇଛି । ତେବେ ତୋଟାପଡ଼ାରେ ଗତ ସପ୍ତାହରେ ଗ୍ରାମ ପ୍ରବେଶକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ବଡ଼ ଧରଣର କୌଣସି ଦଙ୍ଗା ଘଟିନାହିଁ ।
ଏନେଇ ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ ପ୍ରତି ମାସରେ ସାଧାରଣତଃ ୨୦୦ ବିଭିନ୍ନ ମାମଲା ଜିଲ୍ଲାର ୧୦ଟି ଥାନା ଓ ୯ଟି ଆଉଟ୍ପୋଷ୍ଟରେ ରୁଜୁ ହୋଇଥାଏ । ଲକ୍ଡାଉନ୍ ଅବଧିରେ ସଧାରଣ ଅପରାଧିକ ମାମଲା ୪୦-୫୦କୁ ହ୍ରାସ ପାଇଥିଲେ ମଧ୍ୟ ଲକ୍ଡାଉନ୍ ଉଲ୍ଲଂଘନ ମାମଲା ୮୨ଟି ଓ ଅବକାରୀ ମାମଲା ୫୦ଟି ରୁଜୁ କରାଯାଇଛି । ଫଳରେ ମୋଟ ମାମଲା ସଂଖ୍ୟା ସମାନ ରହିଛି ।
ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାରେ ମୋଟ ୨୪୩୮ଟି ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରେ ହତ୍ୟା ମାମଲା ୩୫, ଡକାୟତି ୧୮, ଲୁଟ ୫୭, ସିନ୍ଧିଚୋରି ୮୮, ଚୋରି ୧୮୫, ଠକାମି ୬୯, ଦଙ୍ଗା ୩୭, ମୋଟର ଯାନ ମାମଲା ୨୭୫, ଧର୍ଷଣର ୪୬ଟି ମାମଲା ରୁଜୁ କରାଯାଇଥିଲା ।