ଲକ୍‌ଡାଉନ୍‌ରେ କୋଲକାତାକୁ ପାସ ଦେଲା କିଏ ?, ମୁହଁ ଦେଖା ପାସ ପ୍ରଦାନକୁ ନେଇ ବଢୁଛି ଅସନ୍ତୋଷ

କୋରାପୁଟ: ତାଲା ପକାଇ ରଖିଲେ ଜିଲ୍ଳାର ଲକ୍ଷ ଲକ୍ଷ ଲୋକଙ୍କୁ। ଘରୁ ବାହାରିଲେ ପୁଲିସ ଲଗାଇ ପିଟିଲେ। ଜାଗା, ଅଜାଗା ଦେଖିଲେନି। କିନ୍ତୁ କରୋନାକୁ କୋଲକାତାରୁ ଡାକି ଆଣିଲେ। ପାସ ଦେଇ ଜାଣିଶୁଣି ଏହି ମହାମାରୀକୁ ଜିଲ୍ଲାରେ ପୁରାଇଲେ। ଆଉ ଏଥିପାଇଁ ଏବେ ସ‌ାରା ଜିଲ୍ଲା ବିପଦରେ ପଡି ଯାଇଛି। ଲୋକଙ୍କ ଭିତରେ ଛନକା ପଶିଛି। ଲକ୍‌ଡାଉନ୍‌ ସମୟରେ ହଜାରେ କଟକଣା ଲଗାଇ ପୁଲିସ ଓ ପ୍ରଶାସନ ବସିଥିଲାବେଳେ ଜଣେ ଲୋକଙ୍କୁ ହଟସ୍ପଟ କୋଲକତା ଅଂଚଳରୁ ଫେରିବା ପାଇଁ କେମିତି ପାସ ପ୍ରଦାନ କରାଗଲା ତା’କୁ ନେଇ ଉଠିଛି ପ୍ରଶ୍ନ। କିଏ ପାସ ଦେଲା ଓ କେଉଁ ଆଧାରରେ ଏହା ଦିଆଯାଇଛି ତାହା ସନ୍ଦେହ ଘେରକୁ ଚାଲି ଯାଇଛି। ଅପରପକ୍ଷରେ ଏହାକୁ ନେଇ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିଲାଣି।

କୋରାପୁଟ ଜିଲ୍ଲାରେ ପାସ ପ୍ରଦାନରେ ପୁଳା ପୁଳା ଜାଲିଆତି ହୋଇଛି। ଆଉ ଏହାର ଫଳ ଏବେ ଜିଲ୍ଲାବାସୀ ଭୋଗିବାକୁ ଯାଉଛନ୍ତି। ପୋଡାଗଡରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଲା ପରେ ସବୁଠି ଛନକା ପଶିଛି। ଜିଲ୍ଲାରେ ଗତକାଲି ପର୍ଯ୍ୟନ୍ତ ଜଣେ ହେଲେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ କୋରାପୁଟ ଗ୍ରୀନ ଜୋନରେ ରହିଥିଲା। କିନ୍ତୁ ଜଣେ ସଂକ୍ରମିତ ଚିହ୍ନଟ ହେଲା ପରେ ସବୁ ତପ ଶୁଖୁଆ ପୋଡାରେ ଯାଇଛି। ଜିଲ୍ଲା ବିପଦ ଘେରକୁ ଚାଲି ଆସିଛି।

ତେବେ ଏହି ପାସ ପ୍ରଦାନ ପଛର ସତ ଏବେ ଜିଲ୍ଲାବାସୀଙ୍କୁ ଚକିତ କରିଛି। କେବଳ ମେଡିକାଲ ଓ ଜରୁରୀ କାମରେ ପାସ ପ୍ରଦାନ କରାଯାଉଥିବା ପୁଲିସ ଓ ପ୍ରଶାସନ କହୁଥିଲେ ମଧ୍ୟ ଏହି ପାସ କିଛି ଅଲଗା ପ୍ରକାର ବୟାନ କରୁଛି। ସୂଚନା ଅନୁସାରେ, ବିନା କାରଣରେ ଜଣେ ଯୁବକଙ୍କୁ କୋଲକତାରୁ କୋରାପୁଟ ଫେରାଇ ଆଣିବା ପାଇଁ ପାସ ପ୍ରଦାନ କରାଯାଇଛି। ଦୁଇ ଜଣ ଯୁବକ ଏଠାରୁ ଏକ କାର ନେଇ କୋଲକତା ଯାଇଛନ୍ତି। ସେଠାରୁ ସଂକ୍ରମିତଙ୍କୁ ନେଇ ଫେରିଛନ୍ତି। ଆଉ ଫେରିବା ପରେ ବିଭିନ୍ନ ଲୋକଙ୍କ ସହ ମିଶିଛନ୍ତି। କେବଳ ସେ ଏକା ନୁହଁ, ତାଙ୍କୁ ଆଣିବାକୁ ଯାଇଥିବା ଯୁବକମାନେ ମଧ୍ୟ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ଏହା ଏକ ବଡ ବିପଦକୁ ଡାକିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଲକ୍‌ଡାଉନ ପରେ ପରେ କିଛି ଲୋକ ମିଛସତ କହି ପାସ୍‌ ନେଉଥିଲେ। ପୁଲିସ ଓ ପ୍ରଶାସନ ମଧ୍ୟ ଉପଯୁକ୍ତ କାଗଜପତ୍ର ନ ଦେଖି ମୁହଁ ଚାହାଁରେ ଧରାଇ ଦେଉଥିଲେ ପାସ। କିଛି ଲୋକ ନିଜ କ୍ଷମତା ଓ ପ୍ରଭାବକୁ ଅସ୍ତ୍ର କରି ପାସ ମଧ୍ୟ ହାତେଇଛନ୍ତି। ଉଦ୍‌ବେଗର କଥା, ଏହି ଗାଡି ପାସ ପ୍ରଦାନ ନେଇ ପୁଲିସ ଓ ପ୍ରଶାସନ ମଧ୍ୟରେ କିଛି ତାଳମେଳ ବି  ନ ଥିଲା।  ଯିଏ ଇଛା, ପାସ ଦେଉଥିଲେ। କେତେବେଳେ ପୁଲିସ ତ ‌କେତେବେଳେ ପ୍ରଶାସନିକ ଅଧିକାରୀ ଏହି ପାସ ବାଣ୍ଟୁଥିଲେ। ଆଉ ଏହି ପାସ ପାଇଲା ଏଠାରୁ ଲୋକେ କୋଲକାତା, ବିଶାଖାପାଟଣା, ହାଇଦ୍ରାବାଦ ପରି କରୋନା ପ୍ରଭାବିତ ଅଂଚଳକୁ ଯାଇ ଫେରୁଥିଲେ। ଏହି ସବୁ ହଟସ୍ପଟ ଅଂଚଳକୁ ଯାଇ ନିଜ ଲୋକଙ୍କୁ ଧରି ଫେରୁଥିବାରୁ ଏମାନଙ୍କ ପାଇଁ କୋରାପୁଟର ଲକ୍ଷ ଲକ୍ଷ ଲୋକ ବିପଦରେ ପଡିବାର ଆଶଙ୍କା ପ୍ରକାଶ ପାଇଥିଲା।  ଆଉ ଏହି ଆଶଙ୍କା ଏବେ ସତ ହୋଇଛି। ପାସ୍‌ ଦେଇ କୋଲକତାରୁ କୋରନାକୁ ଡାକି ଆଣିଛନ୍ତି।

ତେ‌ବେ ଏହି ପାସ କିଏ ଦେଇଥିଲା ଓ କେଉଁ ଆଧାରରେ ଦେଇଥିଲେ ତାକୁ ନେଇ ଏବେ ଜିଲ୍ଳାବାସୀ ପ୍ରଶ୍ନ ଉଠାଇଛନ୍ତି। କେଉଁ ଜରୁରୀ କାମରେ ସେ କୋଲକତାରୁ ଏଠାକୁ କୋରନା ନେଇ ଆସିଲେ ତାହା ବି ସନ୍ଦେହ ଘେରରେ। କୋଲକତାରୁ ଆସିଥିବା ଯୁବକ ଏଠାରେ ସ୍ବାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିବା କୁହାଯାଉଛି। ତେବେ ଜିଲ୍ଲାପାଳ ଗତକାଲି ସ୍ପଷ୍ଟ କରି ଦେଇଛନ୍ତି ସେ ତାଙ୍କୁ ନିଯୁକ୍ତି ମିଳିନି। ସେ କେବଳ ଆବେଦନ କରିଥିଲେ। ଚାକିରୀ ପାଇଁ ଆବେଦନ କରିଥିବା ଜଣେ ଯୁବକଙ୍କୁ କୋଲକତାରୁ ଆସିବା ପାଇଁ ପାସ୍‌ ପ୍ରଦାନକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି। ଆଉ କିଏ ଓ କାହିଁକି ଏହି ପାସ ପ୍ରଦାନ କରିଥିଲେ ସେଥିନେଇ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଉନି। ଏଥିନେଇ ଜିଲ୍ଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କୁ ଆମ ତରଫରୁ ପାସ ପ୍ରଦାନ କରାଯାଇନି। ଆଉ କିଏ ପାସ୍‌ ଦେଇଛି ସେ ସଂପର୍କରେ ମଧ୍ୟ ଆମ ପାଖରେ ଖବର ନାହିଁ।

 

 

ସମ୍ବନ୍ଧିତ ଖବର