ରାୟଗଡ଼ା: ଲକଡାଉନ୍ ସମସ୍ୟା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଜିଲ୍ଲା ବାହାରକୁ ପରିବା ରପ୍ତାନି ହୋଇପାରୁନଥିବାରୁ କମ୍ ଦରରେ ବିକି ଚାଷୀ କ୍ଷତିର ଶିକାର ହେଉଛନ୍ତି। ଏପଟେ ମାର୍କେଟରେ କିନ୍ତୁ ପରିବା ଦର କମିବାର ନାଁ ନେଉନି। ଫଳରେ ଚାଷୀଙ୍କଠୁ କମ ଦରରେ କିଣି ଉଚ୍ଚା ଦରରେ ବିକୁଥିବା ବେପାରୀ ମାଲାମାଲ୍ ହେବାରେ ଲାଗିଛନ୍ତି।

Advertisment

ରାୟଗଡ଼ା ବଜାରରେ ଏବେ ପରିବାର ଦର ଆକାଶଛୁଆଁ ରହିଛି। କାଙ୍କଡ଼ କେଜି ୮୦, ବିନିସି ୭୦, ପୋଟଳ ୮୦, ଫୁଲକୋବି ୫୦, ବନ୍ଧାକୋବି ୪୦, ଛୁଇଁ ୧୨୦, କାକୁଡ଼ି ୪୦, ଜହ୍ନି ୫୦, ସାରୁ ୪୦, ଅଲଡି ୫୦, କଲରା କେଜି ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। ନିତିଦିନିଆ ପରିବା ରାୟଗଡ଼ା ଜିଲ୍ଲାରୁ ଉତ୍ପାଦନ ହେଉଥିଲେ ମଧ୍ୟ ଚାହିଦା ଅନୁଯାୟୀ ଜିଲ୍ଲା ବାହାର ମାର୍କେଟରେ ପହଞ୍ଚି ପାରୁନି। ଲକଡାଉନ୍, ସଟଡାଉନ୍ ସମସ୍ୟ‌ା ଯୋଗୁ ବାହାର ଜିଲ୍ଲା ବ୍ୟବସାୟୀ ଆସୁନଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ଯୋଗୁ ଚାଷୀ ମଧ୍ୟ ପଠାଇ ପାରୁନାହାନ୍ତି।

ବର୍ତ୍ତମାନ ଅମଳ ସମୟ ହୋଇ ଥିବାରୁ ଚାଷୀ ଉତ୍ପାଦିତ ଫସଲ ତୋଳିବାକୁ ବାଧ୍ୟ ହେଉଥିବା ବେଳେ ଉଚିତ୍ ଦରରେ ବିକ୍ରି କରିପାରୁନି। ଶାଗ ମାଛ ଦରରେ ସ୍ଥାନୀୟ ବ୍ୟବସାୟୀ ପରିବା କିଣି ନେଉଥିବାରୁ ଚାଷୀ କ୍ଷତିର ଶିକାର ହେଉଛନ୍ତି। ଫସଲ ନ ବିକ୍ରି କରିଲେ କ୍ଷେତରେ ସଢ଼ି ନଷ୍ଟ ହୋଇଯାଉଥିବାରୁ ବାଧ୍ୟ ହୋଇ କମ୍ ଦରରେ ଚାଷୀ ବିକ୍ରି କରୁଛନ୍ତି। ଗ୍ରାମାଞ୍ଚଳ ଚାଷୀ ସଂଧ୍ୟାରେ ପରିବା ତୋଳୁଥିବା ବେଳେ ସକାଳ ୮ଟା ସୁଦ୍ଧା ମାର୍କେଟରେ ପହଞ୍ଚାଇଥାନ୍ତି। ଲକଡାଉନ୍ ନିମୟ ଯୋଗୁ ମାର୍କେଟ ୧୧ଟାରେ ବନ୍ଦ ହୋଇଯାଉଥିବାରୁ ପରିବା ସରିପାରୁନି। ଫଳରେ ଚାଷୀ କମ୍ ଦରରେ ହୋଲେସେଲ୍ ବେପାରୀକୁ ବିକି ଦେଉଛନ୍ତି। ବର୍ଷ ତମାମ କଷ୍ଟ କରି ଚାଷୀ ପରିବା ଉତ୍ପାଦନ କରୁଥିବା ବେଳେ ଅମଳ ସମୟରେ ଠିକ୍ ଦର ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅବିଭକ୍ତ କୋରାପୁଟର ସବୁଠୁ ବଡ଼ ପରିବା ହାଟ କୋରାପୁଟ ଜିଲ୍ଲାର କୁନ୍ଦୁଲିରେ ରହିଛି। ଏହି ହାଟରୁ ସାରା ରାଜ୍ୟକୁ ପ୍ରତିଦିନ ଶହ ଶହ ଟନ ପରିବା ରପ୍ତାନି ହୋଇଥାଏ। ସେହିପରି ରାୟଗଡ଼ା, କୋଲନରା, ରାମନାଗୁଡ଼ା, ବିଷମକଟକ, ପଦ୍ମପୁର, ମୁନିଗୁଡ଼ା ଏବଂ ଗୁଣପୁର ଅଞ୍ଚଳର ପରିବା ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରର ଆବଶ୍ୟକତା ମେଣ୍ଟାଇଥାଏ। ସଟଡାଉନ, ଲକଡାଉନ ସମସ୍ୟା ଯୋଗୁ  ନା ସ୍ଥାନୀୟ ବଜାରରେ ଚାଷୀ ନିଜ ଉତ୍ପାଦିତ ପରିବା ବିକ୍ରି କରିପାରୁଛି ନା ବାହାର ଜିଲ୍ଲାକୁ ପଠାଇ ପାରୁଛି। ଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ବୋଲି କହିଛନ୍ତି ଚାଷୀ ଡ୍ରାଇଭର ରାଉତ।

ଗଞ୍ଜାମ ଜିଲ୍ଲା ବହୁ ଚାଷୀ ରାୟଗଡ଼ା ଜିଲ୍ଲାକୁ ଆସି ସ୍ଥାନୀୟ ଜମିଦାରଙ୍କଠୁ ଜମି ଭାଗରେ ନେଇ ଚାଷ କରିଥାନ୍ତି। କିନ୍ତୁ ଅସୁବିଧା ସମୟରେ ସରକାର ପ୍ରଦାନ କରୁଥିବା ସୁବିଧା ସୁଯୋଗ ଭାଗ ଚାଷୀଙ୍କୁ ମିଳିପାରୁନଥିବା ଅଭିଯୋଗ କରିଛନ୍ତି  ଚାଷୀ ଅଶୋକ ତରାଇ। ସରକାରଙ୍କ ସବୁ ଯୋଜନା  ଜମିଦାରଙ୍କ ପାଇଁ ଉର୍ଧିଷ୍ଟ ଥିବାରୁ ଜମି ମାଲିକ କାଳିଆ ଯୋଜନାଠୁ ଆରମ୍ଭ କରି ଅନ୍ୟ ସବୁ ଯୋଜନାର ଲାଭ ଉଠାଉଛନ୍ତି। ଭାଗ ଚାଷୀ କଷ୍ଟ ପଡି ବଜାରକୁ ପରିବା ଯୋଗାଉଥିଲେ ମଧ୍ୟ ସରକାର ଅସୁବିଧା ସମୟରେ ଭାଗଚାଷୀଙ୍କୁ କୌଣସି ସହାୟତା ପ୍ରଦାନ କରୁନାହାନ୍ତି।