ଏତେକ ଦିନ କାମ ନ କରି ଘରେ ରଇଲେ ମରିଯିବୁ ବେ ବାବୁ  

ଜୟପୁର: ଏତେକ ଦିନ କାମ ଧନ୍ଦା ନ କରି ଘରେ ବସି ରେବାର। ସେନ୍ତାର ରଇଲେ ଆମେ ମରିଯିବୁ ବାବୁ । ଦିନକେ ଛନେକ ହେଲେ ଅମେ ଚଳିଯିବୁ। କେନ୍ତାର କରିବାର ହେଲେ। କାମ କରିଲେ ଆମର ପରିବାର ଚଳସି। ଏନ୍ତାର ହେଲେ ମରିଯିବୁ ବେ ବାବୁ। ଘରେ କେତେ ଦିନ ବସିବୁ। ଟାଉନେ ଆସିକରି କାମ କରିଲେ ପରିବାର ଚଳସି। ଆମର କାଜେ ସରକାର କାଇଟା ହେଲେ ଚିନ୍ତା କରବାର ଅଛେ। ଏଭଳି କହିଛନ୍ତି ବୋରିଗୁମ୍ମା ବ୍ଲକର ନାଗଯୋଡିରୁ ବୋରିଗୁମ୍ମା ସହରରେ ନିର୍ମାଣାଧୀନ କୋଠାରେ କାମ କରିବାକୁ ଆସି କାମ ନ କରି ପାରି ଫେରି ଯାଉଥିବା  ଜଣେ ଦିନ ମଜୁରିଆ ମହିଳା ଡମୁଣୀ ଭତରା, ଆଉଁଳିର ରଇବାରୀ ପୁଜାରୀ, ହୀରାମଣି ପୁଜାରୀ କହିଛନ୍ତି।

ସେଭଳି  ଆଜି ଉପରୋକ୍ତ ଗାଁର ବହୁ ଯୁବତୀ, ମହିଳା , ପୁରୁଷ ଓ ଯୁବକ ମାନେ ବୋରିଗୁମ୍ମା, ନବରଙ୍ଗପୁର ଆଦି ସହରକୁ କାମ କରିବାକୁ ଆସି ଏହି ଅବସ୍ଥା ଭୋଗିଛନ୍ତି। ବୋରିଗୁମ୍ମା ବ୍ଲକର ବରଗାଁ, ବଙ୍ଗଳାବାଡ, ଆଉଁଳି, ପରସଲା, କାମରା, କାଳିଆଗୁଡା ଆଦି ଗାଁରୁ ନବରଙ୍ଗପୁର ସହରକୁ କାମ କରିବାକୁ ଯାଇ ପୁଲିସ ଘଉଡାଇବା ପରେ ଘରକୁ ଖାଲି ହାତରେ ପେରି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୧ଦିନିଆ ତାଲାବନ୍ଦ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନିର୍ମାଣ କାର୍ଯ୍ୟରେ ଶ୍ରମିକ ମାନେ କାମ ନ କରିବା ନିୟମ ସଂପର୍କରେ ଏମାନେ ଅଜ୍ଞ ବୋଲି କହିଛନ୍ତି ବରଗାଁର ରଇଲି ଜାନୀ, ରମା ପରଜା, ଅଇଲା ଜାନୀ। ‌

ସେଭଳି ବୋରିଗୁମ୍ମା ସହରକୁ ଲାଗି ରହିଥିବା କୁନ୍ଦ୍ରାଗୁଡା, ଝିଲିମିଲି, ପୁରୁଣାବୋରିଗୁମ୍ମା, ଅଂଚଳା ଆଦି ଗାଁରୁ ବୋରିଗୁମ୍ମା ସହର ଉପରେ ନିର୍ଭରତ ହୋଇ ହୋଟେଲ, କୋଠା ନିର୍ମାଣ, ବସଷ୍ଟାଣ୍ଡ କୁଲି ଠାରୁ ଆରମ୍ଭ କରି ଦୋକାନ ଆଦିରେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ଲୋକେ ବି ପ୍ରଭାବିତ ‌ହୋଇଛନ୍ତି। ବସଷ୍ଟାଣ୍ଡରେ କୁଲି କାମ କରୁଥିବା ପୁରୁଣା ବୋରିଗୁମ୍ମାର ଦିନୁ ହରିଜନ କହିଛନ୍ତି ୨୧ଦିନ ଧରି ଘରେ ଖାଲିରେ ବସି କିଭଳି ବଂଚିବୁ ଆଜ୍ଞା।  ଏମାନଙ୍କ ଭଳି ଆଜି ଗ୍ରାମାଂଚଳରୁ ସହରକୁ କ୍ଷୀର, ପନିପରିବା ଧରି ଆସୁଥିବା ବୁଲା ବେପାରୀ ମହିଳା ମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସକାଳ ୬ଟାରୁ ୧୦ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ମଧ୍ୟରେ ଏସବୁ ବିକ୍ରୀ କରିବାକୁ କରିଥିବା ଧାର୍ଯ୍ୟ ସମୟକୁ  ନେଇ ଏମାନେ ଜାଣି ନାହାନ୍ତି ବୋଲି କହିଛନ୍ତି। ଜୟପୁର ସହରର ସୀମାନ୍ତ , ବୋରିଗୁମ୍ମା ସହରର ସୀମାନ୍ତ, ନବରଙ୍ଗପୁର ସହରର ସୀମାନ୍ତ ଅଂଚଳରେ ଥିବା ଗ୍ରାମବାସୀ ମାନେ ଏହି ସହର ଗୁଡିକ ଉପରେ ସଂପୁର୍ଣ୍ଣ ରୁପେ ନିର୍ଭର। ସଂପ୍ରତି ଏହି ୨୧ଦିନିଆ ତାଲା ବନ୍ଦର ପ୍ରଭାବ ଖାସ୍ କରି ଏମାନଙ୍କ ଉପରେ ବେଶି ପଡିବ। ତେଣୁ ୨୧ଦିନିଆ ଭାରତର ତାଲା ବନ୍ଦ ଓ ସରକାର ଧାର୍ଯ୍ୟ କରିଥିବା କଟକଣା, କେଉଁ ସମୟରେ ଅତ୍ୟନ୍ତ ଦରକାରୀ ଜିନିଷ ବିକ୍ରୀ ହେବ , କେଉଁ ମାନେ କାମ କରି ପାରିବେ ଆଦି ଗ୍ରାମାଂଚଳରେ ବି ଏସବୁ କୁ ନେଇ ସଚେତନତା ପ୍ରଶାସନ ସୃଷ୍ଟି କରିବା ଆବଶ୍ୟକ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର