ବାରିପଦା: ଶିମିଳିପାଳ ଅଭୟାରଣ୍ୟର ବଫର ଏରିଆ ମଧ୍ୟରେ ଥିବା ଲୁଲୁଙ୍ଗ୍ ଗ୍ରାମବାସୀମାନେ ଆଜି ଶିମିଳିପାଳ ଅଭୟାରଣ୍ୟର ପ୍ରବେଶ ପଥ ପିଠାବଟା ଫାଟକ ନିକଟରୁ ଲୁଲୁଙ୍ଗ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ସହିତ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ, ରାସ୍ତାରେ ଥିବା ଭଙ୍ଗା ପୋଲ ବଦଳରେ ସ୍ଥାୟୀ ପୋଲ ନିର୍ମାଣ ଓ ଜଙ୍ଗଲ ଭିତରକୁ ଯିବା ନିମନ୍ତେ ସ୍ଥାୟୀ ରାସ୍ତା ନିର୍ମାଣ ଆଦି ମୁଖ୍ୟତଃ ୩ ଦଫା ଦାବି ନେଇ ପିଠାବଟା ମୁଖ୍ୟ ପ୍ରବେଶ ପଥକୁ ଆଜି ସକାଳ ୬ରୁ ୮ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଅବରୋଧ କରିଥିଲେ । ଫଳରେ ଫାଟକ ଦେଇ ଶିମିଳିପାଳ ଅଭୟାରଣ୍ୟ ବୁଲିବା ନିମନ୍ତେ ଆସିଥିବା ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ କରି ନ ପାରି ଫାଟକ ନିକଟରେ ଅଟକି ରହିଥିଲେ ।
ଖବରପାଇ ଡିଏସ୍ପି ଯଦୁନାଥ ଜେନା , ଶାମାଖୁଣ୍ଟା ତହସିଲଦାର ରାଧାରଞ୍ଜନ ଦାସ, ବାରିପଦା ସଦର ଆଇଆଇସି ପ୍ରେମଦା ନାୟକ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ରାସ୍ତା ଓ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଫାଟକ ନିକଟରେ ଅଟକି ରହିଥିବା ପର୍ଯ୍ୟଟକମାନେ ଶିମିଳିପାଳ ଭିତରକୁ ପ୍ରବେଶ କରିଥିଲେ । ଆନ୍ଦୋଳନକାରୀ ସସ୍ମୀତା ଦେହୁରୀଙ୍କ ଅଭିଯୋଗ ଆଧାରରେ, ଲୁଲୁଙ୍ଗ ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଗ୍ରାମର ବୁଢ଼ା ବୁଢ଼ିମାନଙ୍କର ଯିବା ଆସିବାରେ ଅସୁବିଧା ହେଉଛି । ସେହିପରି ଗ୍ରାମକୁ ଆମ୍ବୁଲାନ୍ସ ପ୍ରବେଶ କରି ପାରୁ ନାହିଁ । ହଠାତ୍ କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ଅଥବା ଗର୍ଭବତୀ ମହିଳାଙ୍କୁ ହସପିଲାଲ ନେବା ପାଇଁ ହେଲେ ଖଟିଆରେ ଫାଟକ ନିକଟକୁ ଆଣିବାକୁ ପଡ଼ୁଛି । ପୁଣି ବିଳମ୍ବିତ ରାତିରେ କୌଣସି ସୁବିଧା ଅସୁବିଧା ହେଲେ ଫାଟକରେ ତାଲା ପଡ଼ୁଥିବାରୁ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
/sambad/media/post_attachments/wp-content/uploads/2020/12/IMG-20201219-WA0004-1-1024x462.jpg)
ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି। ଯଦି ପ୍ରଶାସନିକ ଅଧିକାରୀମାନେ ଦେଇଥିବା ପ୍ରତିଶ୍ରୁତି ୭ ଦିନ ଭିତରେ ରକ୍ଷା ନ କରନ୍ତି, ତେବେ ପୁଣି ଥରେ ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ଦେହୁରୀ ସୂଚନା ଦେଇଛନ୍ତି। ଡିଏସ୍ପି ଶ୍ରୀ ଜେନାଙ୍କ କହିବା ଅନୁସାରେ ଆନ୍ଦୋଳନକାରୀମାନେ ସେମାନଙ୍କ ଦାବିଗୁଡ଼ିକକୁ ନେଇ ପ୍ରଶାସନକୁ ପୂର୍ବରୁ ଜଣାଇଥିଲେ । ମାତ୍ର ପ୍ରଶାସନକୁ ଅଧିକ ସମୟ ନ ଦେଇ ଆଜି ଆନ୍ଦୋଳନରେ ବସିଥିଲେ ।
ପ୍ରଶାସନର ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଆମେ ଆନ୍ଦୋଳନକାରୀମାନଙ୍କର ୩ଟି ଦାବି ଜିଲ୍ଲାପାଳଙ୍କୁ ଜଣାଇବୁ । ଏହି ସମୟରେ ଆନ୍ଦୋଳନକାରୀମାନେ ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଇବା ପାଇଁ ପ୍ରଶାସନକୁ ସମୟ ଦେଇଥିବାର ଶ୍ରୀ ଜେନା କହିଛନ୍ତି । ଆଜିର ଏହି ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ ଲାଲମୋହନ ସିଂ, ବିଲକାନ ସିଂ, ରଜନୀ ମହାନ୍ତ, ଦୀପକ ସିଂ, କୁନା ସିଂ, ଲକ୍ଷ୍ମୀ ମହାନ୍ତ, ମିଟୁ ମହାନ୍ତ, ବୁଧୁନୀ ସିଂ, ରଇବାରୀ ମହାନ୍ତ ଓ ସସ୍ମୀତା ଦେହୁରୀ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/IMG-20201219-WA0004-1-1.jpg)