ବେଗୁନିଆପଡ଼ା: ପାଖାପାଖି ଏକମାସ ହେଲା ପନିପରିବା ଦରରେ ଅହେତୁକ ବୃଦ୍ଧି ଧନୀଙ୍କଠୁ ଆରମ୍ଭ କରି ମଧ୍ୟବିତ୍ତ ଓ ଗରିବଙ୍କ ଚିନ୍ତା ବଢ଼ାଇ ସାରିଲାଣି। ଆଉ ଏହାର ପ୍ରଭାବ ବର୍ତ୍ତମାନ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ପରିଚାଳନା ଉପରେ ପଡ଼ିଛି। ଏଭଳି ପରିସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆପଡ଼ା ବ୍ଲକର କିଛି ବିଦ୍ୟାଳୟକୁ ଏପ୍ରିଲ ମାସରୁ ଚାଉଳ ମିଳି ନଥିବା ବେଳେ ଧାରଉଧାରରେ ମଧ୍ୟାହ୍ନଭୋଜନ ରୋଷେଇ ହେଉଥିଲା। ଆଉ ଏବେ ପରିବା ଦର ବୃଦ୍ଧି ବେଡ଼ି ଉପରେ କରୋଡ଼ା ମାଡ଼ ସଦୃଶ ସାବ୍ୟସ୍ତ ହୋଇଛି। ବେଗୁନିଆପଡ଼ା ଓ କୋଦଳା କଥାକୁ ବିଚାରରେ ନେଲେ ବର୍ତ୍ତମାନ ବଜାରକୁ ୫୦୦ ଟଙ୍କା ଧରିଗଲେ ବି ବ୍ୟାଗରେ ପରିବା ଭର୍ତ୍ତି ହେଉନି। ବାଇଗଣ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ ୧୧୦, ସାରୁ ୫୦, କଖାରୁ ୩୦, ଅମୃତଭଣ୍ଡା ୪୦, କୋବି ୭୦, କଞ୍ଚାଲଙ୍କା ୨୦୦, ଅଦା ୨୫୦ ଟଙ୍କାରେ ମିଳୁଛି। ସେହିପରି ଅନ୍ୟ ପନିପରିବାର ଦର ୫୦ ଟଙ୍କା ତଳକୁ ଖସୁନି। ଫଳରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଶିକ୍ଷକଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟମାନେ ଭୟ କରୁଛନ୍ତି। ପ୍ରାଥମିକଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୫ ଟଙ୍କା ୯୦ ପଇସା ଦର ଧାର୍ଯ୍ୟ ହୋଇଥିବା ବେଳେ ଉଚ୍ଚପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ୮ ଟଙ୍କା ୮୨ ପଇସା ଦର ଧାର୍ଯ୍ୟ ହୋଇଛି।
ଏବେ ଡାଲି କିଲୋ ୧୬୦ ଟଙ୍କା ଥିବା ବେଳେ ତେଲ ଦର ସାମାନ୍ୟ ହ୍ରାସ ପାଇଛି। ଲଙ୍କା, ପିଆଜ, ଅଦା ଓ ମସଲା ଦର ନ କହିଲେ ଭଲ। ଅଣ୍ଡା ଗୋଟାକ ପ୍ରତି ୬ ଟଙ୍କା ଥିବା ବେଳେ ସରକାର ଏଥିପାଇଁ ୫ ଟଙ୍କା ଦେଉଛନ୍ତି। ଏଭଳି ପରିସ୍ଥିତିରେ ପରିବା ଦର ବଢ଼ିବା ଚିନ୍ତାକୁ ଦ୍ବିଗୁଣିତ କରିଛି। ସେପଟେ ଗୋଟିଏ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ୧୧୫୦ ଟଙ୍କା ପଡ଼ୁଛି। ଫଳରେ ମଧ୍ୟାହ୍ନ ଭୋଜନ ପରିଚାଳନାରେ କ୍ଷତି ସହିବାକୁ ପଡ଼ୁଥିବା କିଛି ଏସ୍ଏଚ୍ଜି ଗ୍ରୁପ୍ କହିଛନ୍ତି। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଉଳ ଓ ରୋଷେଇ ସାମଗ୍ରୀ ବାବଦରେ ଅର୍ଥ ଯୋଗାଇ ଦିଆଯାଉଥିଲା। କିନ୍ତୁ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ଚାଉଳ କି, ଅର୍ଥ ମିଳିନାହିଁ। ବହୁ ବିଦ୍ୟାଳୟର କର୍ତ୍ତୃପକ୍ଷ ଚାଉଳ ଧାର ଆଣି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କୁ କେମିତି ଭଲ ଖାଇବାକୁ ଦିଆଯିବ ବୋଲି ପ୍ରଧାନଶିକ୍ଷକ ମାନେ କହିଛନ୍ତି। ନାନା ଅବ୍ୟବସ୍ଥା ଭିତରେ ପେଶି ହୋଇ, ଶିକ୍ଷକ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚଳାଉଛନ୍ତି। ଫଳରେ ପରିସ୍ଥିତିକୁ ନଜରରେ ରଖଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ଚାଉଳ ଓ ଅନୁଦାନ ଅର୍ଥ ଯୋଗାଇଦେବା ଲାଗି ପଦକ୍ଷେପ ନେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/vegetables.jpg)