ଲୁଥେରାନ୍‌ ଶିଶୁ ବିକ୍ରି ମାମଲା: ଆଉ କେତେ ଘଣ୍ଟ ଘୋଡ଼ାଇବେ? ପାଞ୍ଚ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ହେଲାନି

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ଲୁଥେରାନ୍‌ ଯୌନ ନିର୍ଯାତନା ଓ ଶିଶୁ ବିକ୍ରି ମାମଲାରେ ପ୍ରଥମେ ପୁଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଆସୁଥିଲା। ମାତ୍ର କୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ତିନି ସରକାରୀ କର୍ମଚାରୀଙ୍କ ସମେତ ଚାରି ଅଭିଯୁକ୍ତ ଜେଲ୍‌ ଯିବା ପରେ ଏବେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଥିବା ମନେ ହେଉଛି। କାରଣ, ଜେଲ୍‌ ଯାଇଥିବା ତିନି ସରକାରୀ କର୍ମଚାରୀଙ୍କ ବିରୋଧରେ ଏଯାଏ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।

ଥାନାରୁ ଗିରଫ ରେକର୍ଡ ମିଳିନଥିବାରୁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଥିବା ବିଭାଗ ସଫେଇ ଦେଇଛି। ବିଭାଗର ଏ ସଫେଇ କିନ୍ତୁ ସୂଚାଇ ଦେଇଛି ଯେ ଦୁଷ୍କର୍ମ ଓ ଶିଶୁ ବିକ୍ରି ଭଳି ଅତି ସ˚ଗିନ ତଥା ସମ୍ବେଦନଶୀଳ ମାମଲାରେ ସ˚ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ ପୁଲିସ ଓ ଜିଲ୍ଲା ପ୍ରଶାସନ ସବୁ ସରକାରୀ ନୀତି ନିୟମକୁ ବି ଜଳାଞ୍ଜଳି ଦେବାକୁ ପଛାଉନାହିଁ। ନିୟମ କହୁଛି, କୌଣସି ମାମଲାରେ ଜେଲ୍‌ ଯିବାର ୨୪ଘଣ୍ଟା ଭିତର ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା କଥା। କିନ୍ତୁ କେନ୍ଦ୍ରାପଡ଼ାରେ ଜେଲ୍‌ ଯିବାକୁ ଛଅ ଦିନ ପୂରିବାକୁ ବସିଥିବା ବେଳେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।

ସାଧାରଣରେ ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ପ୍ରଶାସନିକ ଅଧିକାରୀଙ୍କ ଅଭିଯୁକ୍ତ ପ୍ରୀତିକୁ ନେଇ ବୁଧବାର ‘ସମ୍ବାଦ’ରେ ‘ଜେଲ୍‌ ପରେ ବି ଗେହ୍ଲାପୁଅ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ତତ୍ପରତା ଦେଖାଇବା ପୂର୍ବକ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଜେଲ୍‌ ଯାଇଥିବା ଦୁଇ କର୍ମଚାରୀ ଅଣଆନୁଷ୍ଠାନିକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଏବ˚ ଆଇନ ପରାମର୍ଶଦାତା ବିବେକାନନ୍ଦ ଅଟବୁଦ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ସୁପାରିସ କରିଥିବା ସୂଚନା ମିଳିଛି। ତେବେ ଅନ୍ୟତମ ଅଭିଯୁକ୍ତ ରବୀନ୍ଦ୍ର ମହାଳିକ ଲୁଥେରାନ୍‌ ସ୍ପେଶାଲ ଆଡପ୍ସନ୍‌ ଏଜେନ୍ସି(ସା)ର ପୂର୍ବତନ କର୍ମଚାରୀ ଏବ˚ ବର୍ତ୍ତମାନ ଭଦ୍ରକରେ ଲାଫ୍‌ ଲୁଡ ମିସନ୍‌ରେ କାର୍ଯ୍ୟ କରୁଥିବାରୁ ସେହି ଜିଲ୍ଲାର ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି। ହେଲେ ଜେଲ୍‌ ଯିବାର ପା˚ଚ ଦିନ ପରେ ବି କର୍ମଚାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନ ହେବା କେବଳ ସରକାରୀ ନିୟମର ଖୋଲା ଉଲ୍ଲ˚ଘନ କରୁନାହିଁ; ବର˚ ‘୫–ଟି’ ନୀତିକୁ ଉପହାସ କରୁଥିବା ଚର୍ଚ୍ଚା ହେଉଛି। ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ନେଇ ତିଖିରୀ ନାବାଳିକା ପୀଡ଼ିତା ଜଣକ ଗତ ଏପ୍ରିଲ୍‌ ୫ତାରିଖରେ ହାଉସ କିପର‌୍‌ ଦୁଷ୍କର୍ମ ମାମଲାରେ ଶିଶୁ ସୁରକ୍ଷା କମିସନ୍‌ ଲୁଥେରାନ୍‌ ଆସିଥିବା ବେଳେ ଲିଖିତ ଅଭିଯୋଗ କରିଥିଲେ। ପରେ ପରେ ମାର୍ଶାଘାଇ ଥାନାରେ ବି ଏତଲା ଦେଇଥିଲେ। କିନ୍ତୁ ପୁଲିସ ଜେଲ୍‌ ଯାଇଥିବା ଚାରି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର, ବିବେକାନନ୍ଦ, ରବୀନ୍ଦ୍ର, ଲୁଥେରାନ୍‌ ହାଉସ ମଦର‌୍‌ ରୀନା ଓରଫ୍‌ ରେଣୁବାଳା ପଣ୍ତାଙ୍କ ସମେତ ବାପି ଓରଫ୍‌ ପ୍ରଭାତ ଭୂୟାଁଙ୍କ ବିରୋଧରେ ଜୁନ୍‌ ୧୨ତାରିଖରେ ମାମଲା(୨୭୫/୨୧ରେ ଏସ୍‌ସି/ଏସ୍‌ଟି ଆକ୍ଟ୍‌, ଦଫା ୩୭୦, ୪୧୭, ୨୯୪, ୫୦୬, ୩୪ଆଇପିସି) ରୁଜୁ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ଫେରାର‌୍‌ ଦର୍ଶାଇ ପରୋକ୍ଷରେ ସେମାନଙ୍କୁ ଖସିଯିବାକୁ ସୁଯୋଗ ଦେଇଥିଲ। ପୁଲିସର ଏପ୍ରକାର ନିଷ୍କ୍ରିୟତାର ସୁଯୋଗ ଦେଇ ବାପି ବ୍ୟତୀତ ଅନ୍ୟ ଚାରି ଅଭିଯୁକ୍ତ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମାତ୍ର କୋର୍ଟ ମାମଲାର ଶୁଣାଣି କରି ତଳ କୋର୍ଟରେ ହାଜର ହୋଇ ଜାମିନ୍‌ ଆବେଦନ କରିବାକୁ ନିର୍ଦେଶ ଦେଇଥିଲେ। ଗତ ୨୪ତାରିଖରେ ଜିଲ୍ଲା ଜଜ୍‌ କୋର୍ଟରେ ଚାରି ଅଭିଯୁକ୍ତ ହାଜିର‌୍‌ ହୋଇଥିଲେ। କୋର୍ଟ ମାମଲା ଶୁଣାଣି କରି ସେମାନଙ୍କ ଆବେଦନକୁ ଖାରଜ କରିଦେବା ପରେ ସମସ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଏବେ ବି ମାମଲାର ମୁଖ୍ୟ ଅଭିଯୁକ୍ତ ବାପି ଓରଫ୍‌ ପ୍ରଭାତ ଭୂୟାଁ ଫେରାର‌୍‌ ଅଛନ୍ତି। ହେଲେ ଜେଲ୍‌ ଯାଇଥିବା ଚାରି ଅଭିଯୁକ୍ତଙ୍କ ମଧୢରୁ ତିନି ଜଣ ସରକାରୀ କର୍ମଚାରୀ ଏବ˚ ଦୁଇ ଜଣ କେନ୍ଦ୍ରାପଡ଼ା ପ୍ରଶାସନ ଅଧିନରେ କାର୍ଯ୍ୟ କରୁଛନ୍ତି। ହେଲେ ଜେଲ୍‌ ଯିବାକୁ ଛଅ ଦିନ ପୂରିଥିବା ବେଳେ ଏଯାଏ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ବଡ଼ କଥା ହେଉଛି, ଏମାନେ ୨୪ତାରିଖରେ ଜେଲ୍‌ ଯାଇଥିବା ବେଳେ ଥାନାକୁ ୨୭ତାରିଖରେ ଗିରଫ ରେକର୍ଡ ଦବାକୁ ବିଭାଗ ଚିଠି କରିଛି। ଏଥିରୁ ବିଭାଗର ସକ୍ରିୟତା ବୁଝାପଡ଼ିଯାଉଛି। ପୁଲିସ ଗିରଫ ନ କଲା ଭଳି ପ୍ରଶାସନ କିଭଳି ଏମାନଙ୍କ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ବିଳମ୍ବ କରିହେବ, ସେହି ଉଦ୍ଦେଶ୍ୟରେ ବିଭାଗ ବୋଧହୁଏ କାମ କରୁଛି। ପରିଣାମ ହେଲା, ପୁଲିସ ସୁରକ୍ଷାରେ ଦୀର୍ଘ ଦିନ ରହିଥିବା ଏହି ଅଭିଯୁକ୍ତଦ୍ବୟଙ୍କୁ ଏବେ ପ୍ରଶାସନିକ ସୁରକ୍ଷା ମିଳିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି।

ସମ୍ବନ୍ଧିତ ଖବର