ପାଇକପଡ଼ା ମା’ ଦକ୍ଷିଣକାଳୀ ମନ୍ଦିରରେ ଅଲୌକିକ ଘଟଣା

ମା’ଙ୍କ ଆଖିରୁ ଝରୁଛି ଲୁହ, ଓଦା ହୋଇଯାଉଛି ବସ୍ତ୍ର

ରାୟଗଡ଼ା: ପାଶାଣ ପ୍ରତିମାଙ୍କ ଆଖିରୁ ଝରୁଛି ଲୁହ। ଗତ ୫ ଦିନ ହେଲା ଅନବରତ ଭାବେ ଲୁହ ବହି ଚାଲିଥିବାରୁ ଓଦା ହୋଇଯାଉଛି ମା’ଙ୍କ ପିନ୍ଧା ବସ୍ତ୍ର। ପୂଜକଙ୍କ ସମସ୍ତ ପୂଜା ପାଠ ଓ ନୀତିକାନ୍ତି ପରେ ମଧ୍ୟ ଆଖିରୁ ଲୁହ ଝରିବା ବନ୍ଦ ହେଉନି।  ପୂଜକ ଓ ମନ୍ଦିର ପରିଚାଳନା କମିଟି କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି। ଏପରି ଅଲୌକିକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ପାଇକପଡ଼ାସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିରରେ।

ଗତ ଶୁକ୍ରବାର (ସଂକ୍ରାନ୍ତି) ଦିନ ମନ୍ଦିରର ପୂଜକ ଭୋରରେ ମନ୍ଦିର ଖୋଲିବା ପରେ ପ୍ରଥମେ ପାତାଳେଶ୍ବର (ଶିବ) ଙ୍କ ପୂଜାଅର୍ଚ୍ଚନା କରିଥିଲେ। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ ଶେଷ ହେବା ପରେ ପୂଜକ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଖୋଲି ପୂଜା କରିଥିଲେ। ସକାଳ ସାଢ଼େ ୭ଟାରେ ପୂଜା ସହ ଧୂପ ଆଳତୀ ଶେଷ ହେବା ପରେ ପୂଜକ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ଦର୍ଶନ ପାଇଁ ମା’ଙ୍କ ମନ୍ଦିରରେ ଭିଡ଼ ଜମିବା ପରେ ସାଢ଼େ ୮ଟାରେ ପୂଜକ ମନ୍ଦିରକୁ ଫେରିଥିଲେ। ଗର୍ଭ ଗୃହକୁ ପୂଜା ପାଇଁ ଯିବା ପରେ ମା’ଙ୍କ ପିନ୍ଧା ବସ୍ତ୍ର ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଥିବା ପୂଜକ ଦେଖିଥିଲେ। କିଛି ସମୟ ନୀରିକ୍ଷଣ କରିବା ପରେ ମା’ଙ୍କ ଦୁଇ ଆଖିରୁ ପାଣି ଝରୁଥିବା ପୂଜକ ଅନୁମାନ କରିଥିଲେ। ଏ ସଂପର୍କରେ କିଛି ଭକ୍ତ ମଧ୍ୟ ଅନୁମାନ କରିବା ପରେ ସଙ୍ଗେ ସଙ୍ଗେ ମନ୍ଦିର ପରିଚାଳନା କମିଟିକୁ ପୂଜକ ଖବର ଦେଇଥିଲେ।

ଦାୟିତ୍ବରେ ଥିବା କମିଟି କର୍ତ୍ତୃପକ୍ଷ ମନ୍ଦିରରେ ପହଞ୍ଚି ଏକ ଘଣ୍ଟା ଧରି ମା’ଙ୍କ ମୁହଁ ଓ ଆଖିକୁ ଚାହିଁ ରହିଥିଲେ। ଘଣ୍ଟାକ ମଧ୍ୟରେ ମା’ଙ୍କ ଦୁଇ ଆଖିରୁ ୩୦ରୁ ୩୫ ଥର ଲୁହ ବୋହି ଆସୁଥିବା କମିଟି କର୍ତ୍ତୃପକ୍ଷ ଦେଖିଥିଲେ। ୧୯୮୨ ମସିହାରେ ସାଧକ ସ୍ବର୍ଗତ ଦେବଦୁର୍ଲ୍ଲଭ ରାୟଗୁରୁ ମହାପୂଜା କରିବା ସମୟରେ ମା’ଙ୍କ ଆଖିରୁ ଏପରି ଅଶ୍ରୁ ଝରିଥିଲା। ଏହା ପରଠୁ ଆଉ କେବେ ଏହି ଅଲୌକିକ ଘଟଣା ଦେଖିବାକୁ ମିଳି ନଥିଲା। ପ୍ରାୟ ୪୦ ବର୍ଷ ପରେ ପୁଣି ଏପରି ଅଲୌକିକ ଘଟଣା ଦେଖିବାକୁ ମିଳିଥିବାରୁ ରୀତିନୀତି ଅନୁଯାୟୀ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର କମିଟି କର୍ତ୍ତୃପକ୍ଷ ଚିନ୍ତା କରୁଥିବା ଜଣା ପଡିଛି। ଯେଉଁ ମା’ ଶହ ଶହ ଭକ୍ତଙ୍କ ଡାକ ଶୁଣି ଅଭୟ ବର ଦେଉଥିଲେ ଆଜି ସେହି ମା’ଙ୍କ ଆଖିରୁ ଲୁହ ଝରୁଥିବା ଖବର ପ୍ରଚାରିତ ହେବା ପରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି।

ପ୍ରାୟ ୧ ହଜାର ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପ୍ରାଚୀନ ଶକ୍ତିପୀଠର ଗୁରୁତ୍ବ ବେଶ୍ ରହିଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ସମେତ ଅନ୍ୟ ରାଜ୍ୟର ଭକ୍ତ ଏହି ପୀଠକୁ ଆସି ମା’ଙ୍କୁ ଦର୍ଶନ କରି କୃପାଭିକ୍ଷା କରିଥାନ୍ତି। ବିଶେଷ କରି ନବରାତ୍ର ସମୟରେ ମନ୍ଦିରରେ ବାହାର ରାଜ୍ୟର ଭକ୍ତଙ୍କ ଭିଡ଼ ଜମିଥାଏ। ଗୋଟିଏ କମ୍ କୋଟିଏ ଲିଙ୍ଗର ପୀଠ ପାତାଳେଶ୍ବର ଶିବ ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ମା’ ଦକ୍ଷିଣକାଳୀ ବିରାଜମାନ ହୋଇଥିବାରୁ ଏହାକୁ ତନ୍ତ୍ର ପୀଠ ଭାବେ ବିବେଚନା କରାଯାଉଛି। ନବରାତ୍ରର ଅଷ୍ଟମୀ ତିଥିରେ ବଳିପ୍ରଥା ପ୍ରଚଳନ ଥିବାରୁ ଛାଗ ବଳି ଦିଆଯାଇଥାଏ। ବଳି ପୂର୍ବରୁ ମା’ଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତ କରାଯାଇଥାଏ। ମା’ଙ୍କ ଆଜ୍ଞାମାଳ ପ୍ରଥମେଣ ଶିବଙ୍କ ମସ୍ତକରେ ଲାଗି କରାଯାଇଥାଏ।

ଯାହାକୁ କେହି ଦେଖି ପାରନ୍ତି ନାହିଁ। ଅଷ୍ଟମୀ ରାତିରେ ପୂଜକ ଶିବଙ୍କ ମସ୍ତକରୁ ଆଜ୍ଞାମାଳ ଆଣି ଦକ୍ଷିଣକାଳୀଙ୍କ ମସ୍ତକରେ ଲାଗି କରି ଶରଣାପନ୍ନ ହୋଇଥାନ୍ତି। ମା’ ତାଙ୍କ ମସ୍ତକରୁ ସ୍ବେଚ୍ଛାକୃତ ଭାବେ ଧଣ୍ଡାମାଳ ପୂଜକ ହାତରେ ପକାଇ ଆଜ୍ଞା ଦେଉଥିବାରୁ ଜନଶ୍ରୁତି ରହିଛି। ମୂର୍ତିତନ୍ତ୍ର ଅନୁଯାୟୀ ମା’ଙ୍କ ଅଙ୍ଗ ସୌଷ୍ଠବ ଗଠନକୁ ଦେଖିଲେ ଦେବୀ ପରମା ବୈଷ୍ଣବୀ ବୋଲି ଜଣାପଡନ୍ତି। ରାଜ୍ୟ କିମ୍ବା ଦେଶର ବହୁ କମ୍ ପୀଠରେ ଏପରି ମୂର୍ତି ଦେଖିବାକୁ ମିଳେ। ଅନ୍ୟପକ୍ଷରେ କ୍ବଚିତ୍ ସ୍ଥାନରେ ଶିବ, ଦକ୍ଷିଣକାଳୀ ଏକାଠି ପୂଜା ପାଉଥିବାରୁ ଏହି ପୀଠର ବିଶେଷତ୍ବ ଅଧିକ ରହିଛି।

ସମ୍ବନ୍ଧିତ ଖବର