ଚଣ୍ଡିଖୋଲ: ଅଢ଼େଇ ବର୍ଷ ପୂର୍ବରୁ ଚୋରି ଯାଇଥିବା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମର ଅଷ୍ଟଧାତୁ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଆଜି ପୁଲିସ ଓ ମନ୍ଦିର କମିଟିର ଏକ ଦଳ ଦିଲ୍ଲୀ ଯାତ୍ରା କରିଛନ୍ତି। ଏହି ଟିମ୍ରେ ଜିଲ୍ଲା ପୁଲିସ ମୁଖ୍ୟାଳୟର ଦୁଇ ଅଧିକାରୀ, ବଡ଼ଚଣା ଥାନା ଏସଆଇ ସୁବାସ ଚନ୍ଦ୍ର ମୁଦୁଲି, ଦର୍ପଣ ସରପଞ୍ଚ ରଞ୍ଜନ କୁମାର ଦାସ, ନିହାର ରଞ୍ଜନ ପଣ୍ଡା, ଭାରତ ଭୂଷଣ ପଣ୍ଡା, ଦିନେଶ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଭୁବନେଶ୍ୱରରୁ ଦୂରନ୍ତ ଏକ୍ସପ୍ରେସରେ ଏହି ସଦସ୍ୟମାନେ ନୂଆଦିଲ୍ଲୀ ଯାତ୍ରା କରିଥିଲେ। ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଫେରି ଆସିବା ଖବର ମିଳିବା ପରେ ଆଜି ଦର୍ପଣଗଡ଼ ଗ୍ରାମରେ ଆନନ୍ଦ ପ୍ରକାଶ ପାଇଛି। ସୂଚନା ମୁତାବକ ଦର୍ପଣଗଡ଼ ଗ୍ରାମରୁ ଏହିମୂର୍ତ୍ତି ଗତ ଅଢ଼େଇ ବର୍ଷ ପୂର୍ବରୁ ଚୋରି ହୋଇଥିଲା। ଏହି ଘଟଣା ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୂର୍ତ୍ତି ଉଦ୍ଧାର ପାଇଁ ପୁଲିସ ପକ୍ଷରୁ ବହୁ ଉଦ୍ୟମ କରାଯାଇଥିଲା। ହେଲେ ଚୋରିମୂର୍ତ୍ତି ଉଦ୍ଧାର ହୋଇ ପାରିନଥିଲା। ତେବେ ନୂଆଦିଲ୍ଲୀରୁ ଏହି ଚୋରିମୂର୍ତ୍ତିଟି ବାହାର ଦେଶକୁ ଚାଲାଣ ହେଉଥିବା ବେଳେ ଏସମ୍ପର୍କରେ ସୂଚନା ମିଳିଥିଲା। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ପ୍ରମାଣପତ୍ର ଆବଶ୍ୟକ ପଡ଼ିବାରୁ ମୂର୍ତ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ପରେ ମୂର୍ତ୍ତିଟି ଦର୍ପଣଗଡ଼ ଗ୍ରାମର ବୋଲି ଜଣା ପଡ଼ିଥିଲା। ବଡ଼ଚଣା ଥାନାଧିକାରୀ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବା ପରେ ଏହି ମୂର୍ତ୍ତିକୁ ନୂଆଦିଲ୍ଲୀରୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଯାଜପୁର ଏସ୍ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଆଜି ଏହି ଟିମ୍ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି।
ଫେରିବ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି, ଦିଲ୍ଲୀ ଗଲେ ମନ୍ଦିର କର୍ତ୍ତୃପକ୍ଷ
/sambad/media/post_attachments/wp-content/uploads/2023/11/ac364037-cdd7-4bad-8e94-acd92756d531.jpeg)