ମା’ ପାଟଶାଢ଼ି ନେଇ ଘନେଇଲା ବିବାଦ: ଆପତ୍ତି ଉଠାଇଲେ ବରିଷ୍ଠ ବୁଣାକାର ବିଶ୍ବନାଥ ମେହେର

ବୀରମହାରାଜପୁର/ସୋନପୁର: ଦେଶ ବିଦେଶରେ ସମ୍ବଲପୁରୀ ବାନ୍ଧଶାଢ଼ିର ବେଶ ଚାହିଦା ରହିଛି। ଅନ୍ୟ ପଟେ ବାନ୍ଧଶାଢ଼ି ଓ ପାଟଶାଢ଼ିକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଏବେ ପୁଣି ମା’ ପାଟଶାଢ଼ିକୁ ନେଇ ଉପୁଜିଛି ବିବାଦ। ସୋନପୁର ପଟାଭାଡ଼ି ପଡ଼ାର ରବି ମେହେରଙ୍କ କହିବା ଅନୁସାରେ ସେମାନେ ୩ ଭାଇ ମିଶି କରୋନାର ଦ୍ବିତୀୟ ଲହର ସମୟରେ ମା’ ପାଟଶାଢ଼ିର ପରିକଳ୍ପନା କରିଥିଲେ।ବାନ୍ଧଶିଳ୍ପୀ ହିମାଂଶୁ ମେହେର ଓ ବୁଣାକାର ବିନୋଦ ମେହେରଙ୍କ ଜରିଆରେ ଏହି ମା’ ଶାଢ଼ି ତିଆରି କରିଛନ୍ତି। ଯେଉଁଥିରେ ଭାରତର ବିଭିନ୍ନ ଭାଷାରେ ମା’ ଲେଖା ହୋଇଛି ବୋଲି ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏହା ପ୍ରକାଶ ପାଇବା ପରେ ବୀରମହାରାଜପୁର ବ୍ଲକ୍‌ ସୁବଳୟା ଥାନା ଅନ୍ତର୍ଗତ ଟିକ୍ରାପଡା ଗ୍ରାମର ବରିଷ୍ଠ ବୁଣାକାର ବିଶ୍ବନାଥ ମେହେର ଏହାକୁ ନେଇ ଆପତ୍ତି ଉଠାଇଛନ୍ତି।

ଏହି ମା’ ପାଟଶାଢ଼ିକୁ ସେ ବୁଣିଥିବା କହିଛନ୍ତି। ତାଙ୍କ ଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢ଼ି ଡିଜାଇନର ପରିକଳ୍ପନା କରିଥିଲେ ବୋଲି ବିଶ୍ବନାଥ କହିଛନ୍ତି। ଏହାର ବାନ୍ଧ କାମ କେନ୍ଦୁପାଲିର ବାନ୍ଧଶିଳ୍ପୀ ଶଙ୍କର ମେହେର କରିଥିଲେ। ତାଙ୍କୁ ୨ ମାସ ସମୟ ଲାଗିଥିଲା। ଏହାକୁ ସେ ନିଜେ ବୁଣି ପ୍ରଥମେ ଜିଲ୍ଲା, ପରେ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ୨୦୧୫ ମସିହା ଅଗଷ୍ଟ ୭ ତାରିଖରେ ଚେନ୍ନାଇର ମାଡ୍ରାସ ବିଶ୍ବବିଦ୍ୟାଳୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ବିଶ୍ବନାଥ କହିଛନ୍ତି। କିନ୍ତୁ ସୋନପୁର ପଟାଭାଡ଼ିର ଜଣେ ବ୍ୟବସାୟୀ ରବି ମେହେର ଓ ତାଙ୍କର ୩ ଭାଇ ମିଶି ଏହି ଶାଢ଼ି ତିଆରି କରିବା କହିବା ପରିତାପର ବିଷୟ। ଏହା ମୋତେ ବ୍ୟଥିତ କରିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି କିଛି ମାସ ପୂର୍ବରୁ ବଲିଉଡ଼ ଅଭିନେତ୍ରୀ ବିଦ୍ୟାବାଲନଙ୍କ ଶ୍ରୀ ଗଣିତ ଶାଢ଼ି ଆମେ ପ୍ରସ୍ତୁତ କରିଛୁ ବୋଲି ସେମାନେ ବାହାବା ନେଇଥିଲେ।

ପରବର୍ତ୍ତୀ ସମୟରେ ଉକ୍ତ ଶ୍ରୀଗଣିତ ଶାଢ଼ି ଟିକ୍ରାପଡ଼ା ଗ୍ରାମର ଭାଗବତ ମେହେର ତିଆରି କରିଥିବା ପ୍ରମାଣିତ ହେବା ପରେ ଉକ୍ତ ଶାଢ଼ିର ନିଲାମୀ ଅର୍ଥ ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କା ଭାଗବତ ମେହେରଙ୍କୁ ପ୍ରଦାନ କରିଥିଲେ ଭୁବନେଶ୍ୱରର ସାବତ୍ ପରିବାର। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ରବି ମେହେରଙ୍କ ପରିବାର ଅନ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ଡିଜାଇନ୍‌କୁ ହାଇଜାକ୍ କରି ନିଜ ନାମ ଦେଇ ଗଣମାଧ୍ୟମ ରେ ପ୍ରଚାରପ୍ରସାର କରିବାରେ ସିଦ୍ଧହସ୍ତ ବୋଲି ସେ ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପ୍ରକୃତରେ ଏହି ମା’ ଶାଢ଼ିକୁ କିଏ ତିଆରି କରିଛି ତା’ ଉପରେ ବୟନ ଶିଳ୍ପ ବିଭାଗ ତରଫରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ରବି ମେହେର କହନ୍ତି, ଏହି ମା’ ପାଟଶାଢ଼ିର ନୂତନ ପରିକଳ୍ପନା ଆମେ କରିଛୁ। ଆମର ବାନ୍ଧ କଳାକାର ଓ ବୁଣାକାରଙ୍କ ଜରିଆରେ ମା’ ପାଟ ଶାଢ଼ି ତିଆରି କରିଛୁ। ଆମେ କାହାରିଠାରୁ ଚୋରି କରିନାହୁଁ। ଏହି ଶାଢ଼ି ଆଗରୁ କିଏ ପ୍ରସ୍ତୁତ କରିଛନ୍ତି ବୋଲି ଆମେ ଜାଣିନାହୁଁ। ମା’ ପାଟଶାଢ଼ି ଆମେ କରିଛୁ ଓ ବ୍ୟବସାୟିକ ଦୃଷ୍ଟି କୋଣରୁ ବହାରକୁ ଛାଡ଼ିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର