ଅନାଲୋକିତ ଶକ୍ତିପୀଠ ମା’ ପେଣ୍ଡୁରାବାଲୀ

ଭଞ୍ଜନଗର: ସଂସ୍କୃତି,ପରମ୍ପରା ଓ ଐତିହ୍ୟକୁ ନେଇ ଘୁମୁସର ମାଟି ବେଶ ରୁଦ୍ଧିମନ୍ତ। କୋଣ ଅନୁକୋଣରେ ରହିଛି ଆଧ୍ୟାତ୍ମିକ ଛିଟା। ଏଭଳି ଏକ ଅନାଲୋଚିତ ଆଧ୍ୟାତ୍ମିକ ପୀଠ ହେଉଛି ମାଆ ପେଣ୍ଡୁରାବାଲୀ ଠାକୁରାଣୀ। ସ୍ଥାନୀୟ ଇଲାକାରେ ଦେବୀ ପ୍ରତ୍ୟକ୍ଷ ବୋଲି ବିଶ୍ବାସ ରହିଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବନାଞ୍ଚଳ ଗେରେଡା ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି ମାଆଙ୍କ ଶକ୍ତିପୀଠ। ପୀଠଟି ଅତ୍ୟନ୍ତ ମନୋହର ଓ ପ୍ରାକୃତିକ ପରିବେଶରେ ଅବସ୍ଥିତ। ନିଘଞ୍ଚ ଜଙ୍ଗଲରେ ଏହି ମନ୍ଦିରଟି ରହିଥିଲେ ମଧ୍ୟ ପ୍ରତିବର୍ଷ ଦଶହରା ସମୟରେ ଚଳଚଞ୍ଚଳ ହୋଇ ପଡେ। ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଘଞ୍ଚ ଜଙ୍ଗଲ ଭିତରେ ମାଆଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ମାଁଙ୍କ ମହିମା ନେଇ ଅନେକ ଲୋକ କଥା ରହିଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବନ ବିଭାଗ ଅଞ୍ଚଳବାସୀଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡୁଥିଲା। କିନ୍ତୁ ଦେବୀଙ୍କ ପୂଜାର୍ଚ୍ଚନା ପରେ ମାଆଙ୍କ ମହିମାରୁ ଜଙ୍ଗଲ ପରିଚାଳନା ସମ୍ଭବପର ହୋଇପାରିଛି ବୋଲି ବିଶ୍ବାସ ରହିଛି।ଏଥିସହ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଦେବୀଙ୍କ କୃପାରୁ ସୃଷ୍ଟି ହୋଇଛି ଭାଇଚାରା। ଯାହାକି ଏକ ବିରଳ ଘଟଣା ଭାବେ ଉଭା ହୋଇଥିବା ଲୋକଙ୍କ ବିଶ୍ବାସ ରହିଛି।

ମାଁ ପେଣ୍ଡୁରାବାଲୀ ହେଉଛନ୍ତି ଜଙ୍ଗଲ ଠାକୁରାଣୀ,ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ଶତାଧିକ ଗ୍ରାମବାସୀଙ୍କ ଅଧୀଷ୍ଠାତ୍ରୀ ଠାକୁରାଣୀ। ମାଆଙ୍କୁ ନିଷ୍ଠାର ସହ ଆରଧାନା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଜଙ୍ଗଲ ରାସ୍ତାରେ ଗଲେ ଆପେ ଆପେ ବାଟ ଛାଡିଦିଅନ୍ତି ହିଂସ୍ରଜନ୍ତୁ। ବୃକ୍ଷର ସେବା ଓ ସୁରକ୍ଷା କଲେ ମନ ବାଞ୍ଛିତ ଫଳ ମିଳିଥାଏ। ଜଙ୍ଗଲ କିମ୍ବା ବନ୍ୟପ୍ରାଣୀଙ୍କ କ୍ଷତି କଲେ ଠାକୁରାଣୀଙ୍କ କୋପ ଦୃଷ୍ଟି ପଡିଥାଏ। ବିପଦ ଆପଦରେ ମାଆଙ୍କ ଶରଣାପନ୍ନ ହେଲେ ମୁକ୍ତି ମିଳିଥାଏ। ହିଂସା ଆଚରଣ କଲେ ଶାସ୍ତି ମିଳିଥାଏ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୃଢ ବିଶ୍ବାସ ରହିଥିବା ପ୍ରକାଶ କରିଛନ୍ତି।

ଗେରେଡା ଗ୍ରାମ ଠାରୁ ତିନି କିମି ଦୂର ନିଘଞ୍ଚ ପାହାଡିଆ ଜଙ୍ଗଲି ପ୍ରାକୃତିକ ପରିବେଶ ମଧ୍ୟରେ ରହିଛନ୍ତି ମାଆ ପେଣ୍ଡୁରାବାଲୀଙ୍କ ଆସ୍ଥାନ। ଜଙ୍ଗଲର ମାଟି ରାସ୍ତା ଏକମାତ୍ର ବାଟ ରହିଥିବା ବେଳେ ବାଟରେ ନାଳ ପଡେ। ମାଆଙ୍କ ଆସ୍ଥାନ ଠାରୁ ଅଣଓସାରିଆ ପାହାଡିଆ ରାସ୍ତା ଦେଇ କିଛି ବାଟ ଦୂରରେ ଏକ ରହସ୍ୟମୟୀ ଗୁମ୍ପା ରହିଛି। ଏହାର ଦୁଇ ପାର୍ଶ୍ବରେ ରାସ୍ତା ରହିଥିବା ବେଳେ ଲମ୍ବା ପ୍ରାୟ ୨୫୦ ମିଟର ହେବ ବୋଲି ଅନୁମାନ। ଯାହା ପ୍ରଥମରୁ ମାଆଙ୍କ ଆସ୍ଥାନ ରହିଥିଲା। ପରବର୍ତ୍ତି ସମୟରେ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ମାଆଙ୍କୁ ପାହଡ ତଳକୁ ଅଣାଯାଇଛି। ବିପଦରେ ପଡିଲେ ଲୋକେ ଜଙ୍ଗଲ ଭିତରେ ମାୟଆଙ୍କ ପୀଠରେ ଶରାଣାପନ୍ନ ହୋଉଥିବା ପ୍ରକାଶ କରିଛନ୍ତି। ଅବାଳାବୃଦ୍ଧବନୀତାଙ୍କ ସମାଗମରେ ଏହି ଶକ୍ତି ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।
ଲୋକ ବିଶ୍ବାସ

ପୂର୍ବରୁ ଏଠାରେ ବହୁ ଗଛ କଟାଯିବା ସହ ବନ୍ୟଜନ୍ତୁ ଶିକାର ହେଉଥିଲା। ଯାହାକି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। କାଳକ୍ରମେ ଏଭଳି ପରିବେଶ ସୃଷ୍ଟି ହେଲା ମାଆଙ୍କ ଆବିର୍ଭାବ ଓ ମନ୍ଦିର ନିର୍ମାଣ ପରେ ସ୍ଥିତି ସୁଧୁରିବା ଆରମ୍ଭ ହେଲା। ମାଁ ଙ୍କ ଲୈକିକ ଓ ଅଲୌକିକ ମହିମା ପ୍ରଚାର ହେବା ପରେ ଅଞ୍ଚଳ ବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆସିଲା।ସ୍ଥାନୀୟ ଲୋକ ଜଙ୍ଗଲ ସୁରକ୍ଷା ରେ ନିଜକୁ ସାମିଲ କରିଲେ।ବନ୍ୟଜନ୍ତୁଙ୍କ ଶିକାର ବନ୍ଦ ହେବା ଫଳରେ ଏହି ଜଙ୍ଗଲ ରାସ୍ତାରେ ଗଲେ ମଧ୍ୟ ହିଂସ୍ର ଜନ୍ତୁ ଆକ୍ରମଣ କରିବା ବଦଳରେ ବାଟି ଛାଡି ଦେଉଥିବା ଶୁଶିବାକୁ ମିଳେ।
ଇତିହାସରୁ ଜଣାପଡେ
ମାଆଙ୍କୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଛି ଅନେକ ବିଶ୍ବାସ ଓ ଲୋକମତ। ଗ୍ରାମାଞ୍ଚଳ ଲୋକ କଥା ଅନୁସାରେ ପେଣ୍ଡୁରା ଅର୍ଥ ଚିତା ବାଘ। ଦୀର୍ଘ ବର୍ଷ ପୂବେ ପାଖ ଗ୍ରାମର ଜଣେ ଗାଇ ଜଗୁଆଳ ଏହି ଜଙ୍ଗଲକୁ ଗାଇ ଚରାଇବାକୁ ଆସିଥିଲା। ସେହି ସମୟରେ ସେ ଗୋଟିଏ ପେଣ୍ଡୁରା(ଚିତାବାଘ)କୁ ସାମ୍ନା କରିଥିଲା। ସେହି ସମୟରେ ସେ ବନଦେବୀଙ୍କୁ ଧ୍ୟାନ କରିବା ପରେ ତା ସାମ୍ନାରୁ ପେଣ୍ଡୁରାଟି ଦୂରେଇ ଯାଇଥିଲା। ସେହି ଅନୁସାରେ ଏହି ଜଙ୍ଗଲ ଠାକୁରାଣୀଙ୍କ ନାମ ମାଆ ପେଣ୍ଡୁରାବାଲୀ ନାମିତ ହୋଇଛି। କେଉଁ ଆବାହମାନ କାଳରୁ ଏହି ଜଙ୍ଗଲ ଠାକୁରାଣୀଙ୍କୁ ଲୋକୋ ଏଠାରେ ପୂଜା କରି ଆସୁଥିବା ବେଳେ ଗତ ୨୦ ବର୍ଷ ହେବ ସ୍ଥାନୀୟ କିଛି ଉତ୍ସାହୀ ବ୍ୟକ୍ତି ଓ ବନ ବିଭାଗର ଉଦ୍ୟମ କ୍ରମେ ସେଠାରେ ଏକ ସ୍ଥାୟୀ ପୀଠ ଟିଏ ନିର୍ମାଣ କରାଯାଇଛି। ଦେବୀଙ୍କ ସ୍ବପ୍ନାଦେଶ ଅନୁଯାୟୀ ମନ୍ଦିର ବେଢା ଚାରିପଟେ କାନ୍ଥ ନିର୍ମାଣ କରାଯାଇଥିବା ବେଳେ ଛାତ ନିର୍ମାଣ ହୋଇନାହିଁ। ଖୋଲା ଆକାଶ ତଳେ ଦେବୀଙ୍କୁ ଅଦ୍ୟବଧି ପୂଜା କରାଯାଉଛି।

ଅନ୍ୟ ଶକ୍ତିପୀଠ ଓ ପର୍ଯ୍ୟଟନ ସ୍ଥାନ ଭଳି ଉପାନ୍ତ ଅଞ୍ଚଳରେ ରହିଥିବା ଏହି ଶକ୍ତିପୀଠ ଭକ୍ତି ଓ ବିଶ୍ବାସର ପ୍ରତିକ ହୋଇଥିବା ସହ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା କରିବାରେ ନିଆରା ପରିଚୟ ସୃଷ୍ଟି କରିଛି। ତେଣୁ ଏହି ପୀଠର ବିକାଶ କରିବା ସହ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନଦେବାର ଆବଶ୍ୟକତା ରହିଛି।

 

ସମ୍ବନ୍ଧିତ ଖବର