ବେତନଟୀ ସଦର: ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନ ମଧ୍ୟରେ ମଛପଦା ଠାରେ ଏକ ନୂତନ ଷ୍ଟେସନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନ ଦାବି ରହିଆସିଥିଲେ | ସେହିଭଳି ଦୀର୍ଘଦିନ ଧରି ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି ମଧ୍ୟ ବାରମ୍ବାର ଦାବୀ ଉପସ୍ଥାପନ କରି ଆସୁଥିଲେ | ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତ ୧୩ ଜାନୁୟାରୀ ରେ ଏହି ଅଂଚଳ ଗସ୍ତ ସମୟରେ ବିଧାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ସାଧାରଣ ଲୋକମାନେ ସେମାନଙ୍କର ଯାତାୟାତ ସୁବିଧାପାଇଁ ମଛପଦା ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ପୁଣି ଥରେ ନିଜ ଦାବି ଦୋହରାଇଥିଲେ | ଏଥିରେ ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଵା ସହିତ ତୁରନ୍ତ ଏଠାରେ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ | ଶ୍ରୀ ବୈଷ୍ଣବ ତାଙ୍କ ସ୍ବତନ୍ନ ପଦକ୍ଷେପ ସହିତ ଖଡ଼ଗପୁର ରେଳ ମଣ୍ଡଳର ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନର ଜୁଗପୁରା ଏବଂ ଠାକୁରତୋଟା ଷ୍ଟେସନ ମଧ୍ୟରେ ମଛପଦା ଠାରେ ଏକ ପାସେଞ୍ଜର ହଲ୍ଟ ଷ୍ଟେସନ୍ ନିର୍ମାଣ ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ଯାହା ଫଳରେ ଏହା ରେଳ ବୋର୍ଡରୁ ମଧ୍ୟ ଅନୁମତି ପାଇଥିଲା |
ଭାରତୀୟ ରେଳବାଇ ବର୍ତ୍ତମାନ ବିଭିନ୍ନ ସୁବିଧା ପ୍ରଦାନ କରୁଥିବ ଯାତ୍ରୀ ପରିଷେବା ଗୁଡିକର ନବୀକରଣ କରୁଛି ଏବଂ ନିୟମିତ ଭାବେ ଅଧିକ ଯାତ୍ରୀ ସୁବିଧା ଯୋଗାଉଛି । ଏହାକୁ ଦୃଷ୍ଟିରେ ରଖ୍ ମାନ୍ୟବର ରେଳମନ୍ତ୍ରୀ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ମଛପଦା ଠାରେ ଏକ ଏକ ନୂତନ ଷ୍ଟେସନ ଯୋଗାଇଦେବା ତାଙ୍କ ଗସ୍ତ ସମୟରେ ଦେଇଥିବା ପ୍ରତିଶ୍ରୁତିର ଦୁଇ ସପ୍ତାହ ମଧ୍ୟରେ ପୂରଣ କରିଥିଲେ | ଫଳସ୍ବରୂପ, ରେଳବିଭାଗ ପକ୍ଷରୁ ପ୍ରାୟ ୨କୋଟି ୧୬ଲକ୍ଷ ୬୦ହଜାର ୬୬୭ଟଙ୍କାର ବ୍ୟୟ ବରାଦ କରାଯାଇଛି ଏବଂ ସମସ୍ତ ବିଭାଗକୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି | ଏହି ଷ୍ଟେସନ ନିର୍ମାଣ ପରେ ସ୍ଥାନୀୟ ୧୦ଟି ପଞ୍ଚାୟତର ତଥା ପାଖାପାଖି ଅଞ୍ଚଳର ଲକ୍ଷାଧିକ ବାସିନ୍ଦାମାନେ ବହୁ ଉପକୃତ ହେବେ | ନୂତନ ଷ୍ଟେସନ ଛାତ୍ର, କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ, ଦୈନିକ ଯାତ୍ରୀ ମାନଙ୍କ ପାଇଁ ଦ୍ରୁତ ଯୋଗାଯୋଗକୁ ସୁଗମ କରିବ | ଏଥିପାଇଁ ଆଜି ସ୍ଥାନୀୟ ବିଧାୟକଙ୍କ ସମେତ ଏକାଧିକ ଜନପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ |