ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଦମାଇପାଲି ପଞ୍ଚାୟତ ସଦର ମହକୁମାରେ ମନ୍ରେଗା କାମ ଶ୍ରମିକ ବଦଳରେ ମେସିନ ଦ୍ବାରା କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଗାଁର ଶ୍ରମିକମାନେ ଏହାର ପ୍ରତିବାଦ କରି ଜେସିବିକୁ ଅଟକାଇ କାମ ବନ୍ଦ କରିଥିଲେ। ଅଭିଯୋଗ ଅନୁସାରେ, ଗାଁର ବାଟିମୁଣ୍ଡା ପୋଖରୀ କାମରେ ଶ୍ରମିକ ବଦଳରେ ଜେସିବି ଦ୍ୱାରା ମାଟି ଖୋଳାଯାଉଥିଲା। ଏହା ଜାଣି ଶ୍ରମିକମାନେ ପୋଖରୀ ପାଖରେ ଜେସିବିକୁ ଗୁରୁବାର ରାତିରୁ ଅଟକ ରଖି ପ୍ରତିବାଦ କରି ପୋଖରୀ ପାଖରେ ବସିରହିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଏହି କାମ ମେସିନରେ କରାଉଥିବା ଅଭିଯୋଗ କରିଛନ୍ତି।
ଅନେକ ଶ୍ରମିକ କାମ ଅଭାବରେ ଘରେ ହାତବାନ୍ଧି ବସି ରହିଥିବା ବେଳେ ଶ୍ରମିକ ବଦଳରେ ରାତାରାତି ମେସିନ ଲଗାଇ କାମ କରାଯାଉଥିବା ନେଇ ଗାଁର ଭରତ ସାହୁ, ଭୋଜରାଜ ବରିହା, ନୀଳ ଶବର, ଗଣେଶ ବରିହା ପ୍ରମୁଖ ଶତାଧିକ ଶ୍ରମିକ ଅଭିଯୋଗ କରିଛନ୍ତି। ପ୍ରଶାସନ ଘଟଣାସ୍ଥଳକୁ ନଆସିବା ଯାଏଁ ଜେସିବି ଅଟକ ରଖିବେ ବୋଲି ଜିଦ୍ ଧରିଛନ୍ତି। ଏନେଇ ଖପ୍ରାଖୋଲ ବିଡିଓ ବିଜୟ ନନ୍ଦଙ୍କୁ ପଚାରିବାରୁ କଣ ହୋଇଛି ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଥିଲେ।