ସନ୍ଦେହଜନକ ଅବସ୍ଥାରେ ଶିକାରୀଙ୍କ ମୃତ୍ୟୁ, ଥାନାରେ ୮ ଜଣ ଅଟକ, ୨ ବନ୍ଧୁକ ଜବତ

ବାରାହା ଶିକାର ବେଳେ ଗୁଳିରେ ମରିଥିବା ରାଜୁକୁ ପୋଡ଼ି ଦେଇ ହୃଦଘାତ ରୂପ ଦେଇଥିଲେ

କେସିଙ୍ଗା: କଳହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ରାଇଦୁନିପଦର ଗ୍ରାମରେ ବାରାହା ଶିକାର ପାଇଁ ନିକଟ ଜଙ୍ଗଲକୁ ଯାଇଥିବାବେଳେ ରାଜୁ ମାଝୀ (୪୫) ତାଙ୍କ ସାଥୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟପଟେ ଗୁଳି କରିଥିବା ସାଥୀମାନେ ରାଜୁଙ୍କ ପରିବାର ସହ ଆପୋଷ ବୁଝାମଣା କରି ମୃତଦେହକୁ ପୋଡିଦେବାର ୪ ଦିନ ପରେ ଭଉଣୀ ଅଭିଯୋଗ ଆଣିଛନ୍ତି। ପୁଲିସ ହତ୍ୟାକାଣ୍ଡର ତଦନ୍ତ କରି ୮ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି। ପୁଲିସ ୨ଟି ବନ୍ଧୁକ ଜବତ କରିଛି।

ହତ୍ୟାକାଣ୍ଡକୁ ହୃଦଘାତଜନିତ ମୃତ୍ୟୁ ବୋଲି ଦର୍ଶାଯାଇଥିଲା। ଭାଇର ଶୁଦ୍ଧକ୍ରିୟା କାର୍ଯ୍ୟକ୍ରମରେ ଯାଇଥିବାବେଳେ ଭଉଣୀ ନିର୍ମଳା ଭୋଇ ଘଟଣା ଜାଣିପାରି ସିଧା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏମିତିକି ଏବେ ବି ରାଜୁର ସ୍ତ୍ରୀ ଓ ଭାଇମାନେ ସବୁ ଜାଣି ନ ଜାଣିଲା ଭଳିଆ ଉତ୍ତର ଦେବା ଘଟଣାକୁ ଆହୁରି ରହସ୍ୟ ଘେରକୁ ଠେଲି ଦେଇଛି।

ପ୍ରକାଶ ଯେ ଗତ ମଙ୍ଗଳବାର ରାଜୁ ନିଜ ସ୍ତ୍ରୀ ରଜନୀ ସହ କପା ଜମିକୁ ଯାଇଥିଲେ। ସେଠାରୁ ଗ୍ରାମର କିଛି ଲୋକେ ବାରହା ଶିକାର ପାଇଁ ରାଜୁକୁ ଡାକି ନେଇଥିଲେ। ସେମାନେ ସମସ୍ତେ ବଜରଗଡ଼ ଜଙ୍ଗଲକୁ ଯାଇଥିଲେ। ଶିକାର ସମୟରେ ଭୁଲ ପରିଚାଳନା ଯୋଗୁଁ ଏକ ଗୁଳି ରାଜୁଙ୍କ ଦେହରେ ବାଜିଥିଲା ଏବଂ ସେ ସେଠାରେ ହିଁ ଟଳି ପଡ଼ିଥିଲେ।

ରାଜୁ ମୃତ୍ୟୁ ହେବାର ଜାଣି ଶିକାରୀ ଦଳରେ ଥିବା ସାଥୀମାନେ ପରିବାର ବର୍ଗ ଶହ ଆଲୋଚନା କରି ଶବକୁ ପୋଡ଼ିଦେଇଥିଲେ। ଗ୍ରାମରେ ରାଜୁଙ୍କ ମୃତ୍ୟୁକୁ ହୃଦଘାତର ଆଖ୍ୟା ଦିଆଯାଇଥିଲା। ପୂର୍ବରୁ ରାଜୁଙ୍କ ହୃଦଘାତ ଜନିତ ରୋଗ ଥିବାରୁ ସମସ୍ତେ ଏହି ହତ୍ୟାକାଣ୍ଡକୁ ସାଧାରଣ ମୃତ୍ୟୁ ଭାବିନେଇଥିଲେ। ଘଟଣାରେ ନଗଦ ରାଶିର ନେଣ-ଦେଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର