ରାୟଗଡ଼ା: ଓଡ଼ିଆଙ୍କ ସ୍ବାର୍ଥ ପାଇଁ ସମର୍ପିତ ଥିଲେ ମଧୁବାବୁ। କାହା ସହିତ ସାଲିସ୍ କରୁନଥିଲେ। ଭାଷା, ସାହିତ୍ୟ, ସଂସ୍କୃତି, ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବା ତାଙ୍କର ଏକ ମାତ୍ର ଲକ୍ଷ୍ୟ ଥିଲା। ନିଜ ଜୀବନ କାଳ ଭିତରେ ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ପାଇଁ ମଧୁବାବୁ ଯାହା କରି ଯାଇଛନ୍ତି ଯାହା ଅତୁଳନୀୟ। ଏ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ଯଶ ଅକ୍ଷୁର୍ଣ୍ଣ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ରାୟଗଡ଼ା ନ୍ୟୁ ଟାଉନ୍ ପୂଜା କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ବାଭିମାନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଅର୍ଥ ବାଧକ ସତ୍ତ୍ବେ ନିଜ ଇଚ୍ଛାଶକ୍ତିକୁ ସୁଦୃଢ଼ କରି ମଧୁବାବୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ଓଡ଼ିଶାରୁ ପ୍ରଥମ ଗ୍ରାଜୁଏଟ୍ ହୋଇ ଆଇନ ଶିକ୍ଷା ଲାଭ କରି ବିଦେଶ ଗସ୍ତ କରିଥିଲେ। ମାତ୍ର ଏକ ଟଙ୍କା ପାରିଶ୍ରମିକ ନେଇ ଜଗନ୍ନାଥ ମନ୍ଦିର ମାମଲା ଲଢ଼ି ଓଡ଼ିଆ ଜାତିର ଟେକ ରଖିଥିଲେ। ଓଡ଼ିଆଙ୍କୁ ଜୀବିକା ଯୋଗାଇବା ପାଇଁ ମଧୁବାବୁ ଜୋତା ଓ ତାରକାସୀ କାରଖାନା ପ୍ରତିଷ୍ଠା କରିଥିଲେ। ଏଥି ପାଇଁ ମଧୁବାବୁଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥିଲା ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।
ରାୟଗଡ଼ା ସମ୍ବାଦ ସାହିତ୍ୟ ଘର ସଭାପତି ତଥା ଓଡ଼ିଶା ସାହିତ୍ୟ ଅକାଦେମୀ ସଦସ୍ୟ ସୁଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ମଧୁବାବୁ ଓଡ଼ିଶା ପ୍ରଦେଶ ଗଠନର ପୁରୋଧା ଥିଲେ ବୋଲି କହିଥିଲେ। ମୁସଲିମ୍, ମରହଟ୍ଟା, ଇଂରେଜୀ ଶାସନରୁ ଓଡ଼ିଶାକୁ ମୁକ୍ତ କରିବାକୁ ପଣ କରି ଆନ୍ଦୋଳନ ଆରମ୍ଭ କରିଥିଲେ। ଓଡ଼ିଶାକୁ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଶିକ୍ଷା କ୍ଷେତ୍ରରେ ସାରା ଭାରତରେ ସମୃଦ୍ଧ କରିବା ତାଙ୍କର ଲକ୍ଷ୍ୟ ଥିଲା। କୌଣସି ପଦବି ପ୍ରତି ଲାଳସା ନ ରଖି ଓଡ଼ିଶାର ସ୍ବାଭିମାନ ପ୍ରତି ମଧୁବାବୁ ବେଶ୍ ସଚେତନ ଥିଲେ। ଯେଉଁଥି ପାଇଁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଜୋତା କାରଖାନାରେ ଟିକିଏ ତ୍ରୁଟି ଦେଖିଲେ ଶହ ଶହ ଜୋତାକୁ ପୋଡି ଦେଉଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ ଯୋଗଦେଇ କହିଲେ, ମଧୁବାବୁଙ୍କ ଜନ୍ମ ସମୟରେ ଓଡ଼ିଶାର ସତ୍ତା ନଥିଲା। ପିଲାଟି ଦିନରୁ ଦାରିଦ୍ର୍ୟ ପିଛା ଛାଡ଼ିନଥିଲେ ମଧ୍ୟ କଷ୍ଟ ସ୍ବୀକାର କରି ଆଇନ ପାଠ ପଢ଼ିବା ସହ ଓକିଲାତି କ୍ଷେତ୍ରରେ ନାଁ କମାଇଥିଲେ। ନିଜେ ମାମଲା ଲଢ଼ିବା ସହ କୋର୍ଟରେ ମାମଲା ଲଢ଼ିବା କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରି ସଫଳ ହୋଇଥିଲେ। ଓଡ଼ିଆ ଭାଷାକୁ ବଙ୍ଗାଳୀଙ୍କ ତାଚ୍ଛଲ୍ୟ ମଧୁବାବୁଙ୍କ କଷ୍ଟ ଦେବା ପରେ ଗଜପତି ମହାରାଜାଙ୍କ ସହାୟତାରେ ଉତ୍କଳ ସାହିତ୍ୟ ସମାଜ ଓ ଉତ୍କଳ ସମ୍ମିଳନୀ ଆୟୋଜନ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଓଡ଼ିଶାକୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ଦେବା ସହ ଓଡ଼ିଶା ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ଶ୍ରୀ ନାୟକ କହିଥିଲେ।