ମଧୁବାବୁ ପେନସନ୍‌ ଯୋଜନା: ବଞ୍ଚିତ ହେବେ ୨୫ ପ୍ରତିଶତ ହିତାଧିକାରୀ 

ଖୋର୍ଦ୍ଧା: ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ଆଧାର ସହ ସଂଲଗ୍ନ କରିବା ପ୍ରକ୍ରିୟା ଶତ ପ୍ରତିଶତ କରିବାକୁ ନିର୍ଦେଶ ରହିଛି । ସରକାରଙ୍କ ଏହି ନିର୍ଦେଶର ବର୍ତମାନ ୧ ବର୍ଷ ପୂର୍ତ୍ତି ହେବାକୁ ବସିଛି । ଫେବ୍ରୁଆରି ଶେଷ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାରେ ଆଧାର ସଂଲଗ୍ନ ୯୦ ପ୍ରତିଶତର ଅଧିକ ଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏହା ୭୦ ପ୍ରତିଶତ ରହିଛି । ଏଭଳି କିଛି ଯୋଜନାରେ ଏହା ୫୦ ପ୍ରତିଶତ ରହିଛି । ଏଥିରୁ ରାଜ୍ୟ ସରାକରଙ୍କ ସାମାଜିକ ସୁରକ୍ଷା ଯୋଜନାର ପ୍ରକୃତ ହିତାଧିକାରୀଙ୍କ ଚୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ (ଡିଏସ୍ଏସ୍ଓ)ରୁ ମିଳିଥିବା ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ସୁଦ୍ଧା ନ୍ୟାସନାଲ୍ ସୋସିଆଲ୍ ଆସିଷ୍ଟାଂଟ୍ ପ୍ରୋଗ୍ରାମ (ଏନ୍ଏସ୍ଏପି)ରେ ୯୨.୩୬ ହିତାଧିକାରୀଙ୍କ ଆଧାର କାର୍ଡ ସଂଲଗ୍ନ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ପରିଚାଳିତ ମଧୁବାବୁ ପେନ୍ସନ୍ ଯୋଜନାରେ ବର୍ତମାନ ସୁଦ୍ଧା ୭୪.୮୨ ପ୍ରତିଶତ ହିତାଧିକାରୀଙ୍କ ଆଧାର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଅପରପକ୍ଷରେ, ମଧୁବାବୁ ପେନ୍ସନ ଯୋଜନାରେ ଭୁବନେଶ୍ୱର ପୌରାଂଚଳରେ ୬୩.୪୭% ପ୍ରତିଶତ ଥିବା ବେଳେ ଏନ୍ଏସ୍ଏପିରେ ଏହା ୯୬.୭୬ ପ୍ରତିଶତ ରହିଛି । ବାଲିପାଟଣା ବ୍ଲକରେ ଏହା ୬୪.୫୭ ପ୍ରତିଶତ, ଜଟଣୀ ପୌରାଂଚଳରେ ୫୫.୬୦ ପ୍ରତିଶତ, ଜଟଣୀ ବ୍ଲକରେ ୬୬.୦୨ ପ୍ରତିଶତ ରହିଛି ।

ଏନେଇ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ଯେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ୬୨୬୫ ହିତାଧିକାରୀଙ୍କ ନୂତନ ଆଧାର ପାଇଁ ଆବେଦନ ଆସିଛି । । ଆସନ୍ତା ୭-୮ ଦିନ ମଧ୍ୟରେ ସେମାନଙ୍କ ଆଧାର କାର୍ଡ ଆସିବା ପରେ ସେମାନଙ୍କ ସାମାଜିକ ସୁରକ୍ଷା ପଡ଼ିକାର୍ଡ ସହ ସଂଲଗ୍ନ କରାଯିବ । ଏହା ସହ ଭୁବନେଶ୍ୱର ପୌରାଂଚଳରେ ଆଧାର ସଂଲଗ୍ନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ୩ଟି ଆଧାର ଟିମ୍ ନିୟୋଜିତ କରିବାକୁ ଯୋଜନା ହୋଇଛି ।

ଆଧାର ସଂଲଗ୍ନ ହୋଇନଥିବା ହିତାଧିକାରୀଙ୍କ ସଂଖ୍ୟା କେନ୍ଦ୍ରୀୟ ଯୋଜନାରେ ୮ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୨୫ ପ୍ରତିଶତ । ସରକାରଙ୍କ ନୂତନ ନିୟାମାନୁସାରେ ଆଧାର ସଂଲଗ୍ନ ହୋଇନଥିବା ହିତାଧିକାରୀ ସେମାନଙ୍କ ପେନ୍ସନ୍ ଅର୍ଥ ସିଧାସଳଖ ବ୍ୟାଙ୍କ ଖାତାକୁ ଯିବାକୁ ବଂଚିତ ହେବେ । ଅନେକ ସମୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ନେଇ ଆପତ୍ତି ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଚହ୍ନଟ କରାଯାଇନଥିବା ଅଭିଯୋଗ ହୋଇଛି । ବର୍ତମାନ ସରକାରଙ୍କ ନିଦେ୍ର୍ଦଶର ଦୀର୍ଘ ୧ ବର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କ ଆଧାର ସଂଲଗ୍ନ ହୋଇପାରୁନଥିବାରୁ ସେତିକି ସଂଖ୍ୟାରେ ହିତାଧିକାରୀଙ୍କ ବାସ୍ତବତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର