ମାଡକାର ରୋଡ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେବ: ଜିଲ୍ଲାପାଳ

କୋରାପୁଟ: କୋଟିଆ-ମାଡକାର ରୋଡକୁ ତୁରନ୍ତ ମରାମତି କରାଯିବ । ଆସନ୍ତା ସପ୍ତାହକ ମଧ୍ୟରେ ଏହି ରାସ୍ତା ପୁନଃରୁଦ୍ଧାର କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର । ସେ କହିଛନ୍ତି ଯେ କୋଟିଆ ଓଡିଶାର ଅବିଚ୍ଚେଦ୍ୟ ଅଙ୍ଗ, ଏହିଠାରେ ପ୍ରବେଶ କରି କିଏ ବୋର୍ଡ ପୋତିଦେଲେ ତାହା ସେମାନଙ୍କର ହୋଇଯିବନାହିଁ । ଏହା ଓଡ଼ିଶାର ଥିଲା ତାହା ଓଡିଶାର ହିଁ ରହିବ । ରାଜ୍ୟ ସରକାର କୋଟିଆର ବିକାଶ ପାଇଁ ସଦାସର୍ବଦା ତତ୍ପର ଅଛନ୍ତି । ତେଣୁ ସେଠାରେ ବିକାଶର ଧାରା ଜାରି ରହିଛି । କୋଟିଆବାସୀ ମଧ୍ୟ ଓଡିଶାକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ଏହାକୁ ଦେଖି ସହି ପାରୁନି ଆନ୍ଧ୍ର ।

ଗୁଲାବ ବାତ୍ୟାର ସୁଯୋଗ ନେଇ ଫଗୁଣସିନେରୀ ଓ ଫାଟୁ ସିନେରୀ କିଛି ଅପରାଧୀ ପ୍ରବେଶ କରି ତେଲଗୁ ଭାଷାରେ ଫଳକ ମାରିଛନ୍ତି । ଏପରି ସମୟରେ ଅନୁପ୍ରବେଶକୁ ଘୋର ନିନ୍ଦନୀୟ ବୋଲି କହିିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ. ଅଖତର । ଅନ୍ୟପକ୍ଷରେ ଆଜି ବନ୍ଧୁଗାଁରୁ ଏକ ଟିମ୍ ଆଜି କୋଟିଆ ଗ୍ରାମପୁଞ୍ଜରେ ପହଞ୍ଚିଥିଲା । ସେଠାରେ ଲୋକଙ୍କ ନିକଟକୁ ଯାଇ ଘରକୁ ଘର ବୁଲି ତାର୍ପଲ, ଖାଦ୍ୟ ପୁଡିଆ ଓ ଅନ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏହି ସମୟରେ ପଟାଙ୍ଗୀ ପ୍ରଶାସନ ମଧ୍ୟ ପହଞ୍ଚିଥିଲା । ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଗୁଲାବ ବାତ୍ୟା ଯୋଗୁ କୋଟିଆ ଗ୍ରାମପୁଞ୍ଜ ଅନ୍ତର୍ଗତ ନେରେଡିବାଲସା ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା ।

ପ୍ରଶାସନ ତରଫରୁ ରାସ୍ତା ସଫା ହେବା ସହ ଆଜି ସେହି ରାସ୍ତାରେ ଯାତାୟତ ସମ୍ଭବ ହୋଇ ପାରିଛି । କିନ୍ତୁ ମାଡକାର ବ୍ରିଜ ଧୋଇ ହୋଇ ମେଜର କ୍ଷତି ଘଟିଛି । ଯାହାଦ୍ୱାରା ଫାଟୁସେନେରୀ ଓ ଫଗୁଣସିନେରୀ ଯାତାୟତ ବାଧାପ୍ରାପ୍ତ ହୋଇଛି । କୋରାପୁଟ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ନାରାୟଣପାଟଣା ପଟେ ଦୀର୍ଘ ୧୫୦ କିଲୋମିଟର ଯାତ୍ରା କରି କୋଟିଆରେ ବିଭିନ୍ନ ଅଂଚଳର ଲୋକ ମାନଙ୍କ ପାଖରେ କ୍ଷୟକ୍ଷତି ଆକଳନ କରିବା ସହ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇଛନ୍ତି । ମାଡକାର ବ୍ରିଜ ମରାମତି ପାଇଁ କିଛିଦିନ ସମୟ ଲାଗିବ । ପ୍ରଶାସନ ମଧ୍ୟ ଏଥିପ୍ରତି ତତ୍ପର ଅଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର