ଜଗତସିଂହପୁର: ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିଜ ଜିଲ୍ଲା ଜଗତସିଂହପୁରରେ ମୃତ ନଦୀଗୁଡ଼ିକର କିସମ ବଦଳାଇ ଏକର ଏକର ଜମିକୁ ମାଫିଆମାନେ ନିଜ ନାଁରେ କରି ଚାଲିଛନ୍ତି। କୁଜଙ୍ଗ ତହସିଲ୍‌ ଅଧୀନ ମୃତ ପ୍ରାୟ ସନ୍ତରା ନଦୀପଠାକୁ ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ବ୍ୟକ୍ତି ହାତେଇଛନ୍ତି। ଏହି ଜମିର କିସମ ନଦୀ ବୋଲି ପଟ୍ଟାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲେ ମଧ୍ୟ ତହସିଲ୍‌ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି କେଳେଙ୍କାରୀ କରାଯାଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ, ସନ୍ତରାରୁ ବାହାରିଥିବା ଏହି ନଦୀଟି ଷଣ୍ଢକୁଦ ବସ୍ତି ନିକଟରେ ବଙ୍ଗୋପସାଗରରେ ମିଶିଥିଲା। ଧୀରେ ଧୀରେ ନଦୀରେ ଜୁଆର ଆସିବା ବନ୍ଦ ହୋଇଯିବା ପରେ ଏହା ପୋତି ହେବାକୁ ଲାଗିଥିଲା। ଏଥିରେ ଦଳ ଭର୍ତ୍ତି ହୋଇ ରହିବା ସହ ଏହା ପୋତି ହୋଇ ଏବେ ମୃତପ୍ରାୟ। ପ୍ରଶାସନର ନଜର ଆଢୁଆଳରେ ରହୁଥିବା ଏହି ନଦୀପଠାକୁ ହାତେଇବା ପାଇଁ କୁଜଙ୍ଗ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ଯୋଜନା କରିଛନ୍ତି। କୁଜଙ୍ଗ ବଳରାମପୁର ମୌଜାରେ ଏହି ନଦୀର ୨୨ ଏକର ଲମ୍ବି ରହିଛି। ବର୍ତ୍ତମାନ ମିଳିଥିବା ୨ଟି ରେକର୍ଡ ମୁତାବକ ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ବିଭିନ୍ନ ସମୟରେ ମିସ୍‌ କେସ୍‌ କରି ଅଳ୍ପ ଅଳ୍ପ କରି ଜମି ହାତେଇଛନ୍ତି। ନିଜ ପତ୍ନୀ, ଝିଅ, ପୁଅ ସମସ୍ତଙ୍କ ନାଁରେ ୨ଟି ଏହି ଜମି ହାତେଇଛନ୍ତି। ୨୦୧୭ ମସିହାରେ ଏହି ପରିବାର ୪୦ ଡିସିମିଲ୍‌ ଜମି ହାତେଇଛନ୍ତି। ସେହିପରି ଏହି ପରିବାର କିସମ ବଦଳାଇ ୪ ଏକର ଜମି ହାତେଇଛନ୍ତି। ଜଣେ ସ୍ଥାନୀୟ ସାମ୍ବାଦିକ ମଧ୍ୟ ଏକ ଏକର ଜମି ହାତେଇଛନ୍ତି।

publive-image Sambad

ଏଭଳି ପାଖାପାଖି ୬ ଏକର ଜମି କେଳେଙ୍କାରୀ ହୋଇଥିବାର ପ୍ରମାଣ ମିଳିଥିଲେ ବି ଆହୁରି ଅନେକ ବ୍ୟକ୍ତି ତହସିଲ୍‌ କାର୍ଯ୍ୟାଳୟ କର୍ମଚାରୀଙ୍କୁ ହାତ କରି ଏହି ନଦୀ ପଠାକୁ ନିଜ ନାଁରେ କରିଛନ୍ତି। କୁଜଙ୍ଗ ତହସିଲ୍‌ କାର୍ଯ୍ୟାଳୟରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏମିତି ଜାଲିଆତି କରି ପାରାଦୀପ ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ବହୁ ମୂଲ୍ୟବାନ୍‌ ଜମି ନିଜ ନାଁରେ କରାଇ ନେଇଥିବା ଜଣାପଡ଼ିଛି। ଦୁର୍ନୀତିର ଗନ୍ତାଘର ପାଲଟିଥିବା କୁଜଙ୍ଗ ତହସିଲ୍‌ର କିଛି କର୍ମଚାରୀ ନିଜ ମନ ମୁତାବକ ଜମି ହେରଫେର କରିଥିବା ଅଭିଯୋଗ ହୋଇଛି। ଯଦି ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନିଏ ତେବେ ସମ୍ପୂର୍ଣ୍ଣ ନଦୀଟିକୁ ଏହି ମାଫିଆମାନେ ନିଜ ନାଁରେ କରାଇ ନେବେ, ଏଥିରେ ସନ୍ଦେହ ନାହିଁ। ଏଣୁ ନ୍ୟାୟିକ ତଦନ୍ତ କରାଯାଇ ଏହି କେଳେଙ୍କାରୀରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।