ମାଲକାନଗିରି: ଦେଶୀ ମାଗୁର ମାଛ ଖାଇବା ସମସ୍ତଙ୍କର ପ୍ରଥମ ପସନ୍ଦ। କିନ୍ତୁ ଏହା ଏବେ ବିଲୁପ୍ତ ହେବାକୁ ବସିଲାଣି। କାଁଭାଁ ଗାଁ ଗହଳିରେ ଏହି ଦେଶୀ ମାଗୁର ମାଛ ମିଳେ। ତାହା ମଧ୍ୟ ଚଢା ଦରରେ। ଗୋଟିଏ ଗୋଟିଏ ମାଗୁର ମାଛକୁ ୪୦ରୁ ୫୦ ଟଂକା ପର୍ଯ୍ୟନ୍ତ ଦର ଲଗାନ୍ତି ସ୍ଥାନୀୟ ଲୋକେ। ବର୍ଷର ଦଶହରା ମାସରେ ହିଁ ପ୍ରବଳ ଦେଶୀ ମାଗୁର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳେ। କାରଣ ଏହି ସମୟରେ ଦେଶୀ ମାଗୁର ବଳିଦେବାର ପ୍ରଥା ରହିଛି। ଗାଁ ଗହଳିର ଲୋକେ ଦେଶୀ ମାଗୁର ବିଲରୁ ଖୋଜି ବାହାର କରି ତାକୁ ବେଶ ଚଢା ଦରରେ ବିକି ଲାଭବାନ ହେଉଥିବା ନଜୀର ରହିଛି। ତେବେ ଏହି ଦେଶୀ ମାଗୁରକୁ କିପରି ଚାଷ କରି ଜଣେ ଆତ୍ମନିର୍ଭରଶୀଳ ହୋଇପାରିବ ତାହା ଉପରେ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଆତିଶ ମାନେ ବରିଷ୍ଠ ବୈଜ୍ଞାନିକ ସମୀର ରଂଜନ ଦାସଙ୍କ ନିର୍ଦେଶରେ ଦେଶୀ ମାଗୁର ଉପରେ ଗବେଷଣା କରି ଏହାକୁ ବ୍ରିଡିଂ କରିବାରେ ସଫଳ ହେବା ସହ ଜଣେ ଚାଷୀ ଏହାକୁ ନିଜ ପୋଖରୀରେ ଚାଷ କରି ବେଶ ଲାଭବାନ ହୋଇପାରିବେ ବୋଲି କହିଛନ୍ତି। ତେବେ ମାଲକାନଗିରି ଜିଲ୍ଲାରେ ଏହାକୁ ସଫଳ କରିବା ପାଇଁ ପ୍ରଥମେ ଏମଭି-୪୫ ଗ୍ରାମର ଆନନ୍ଦ ମାଲାକାର ନାମକ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ସେ ମଧ୍ୟ ଦେଶୀ ମାଗୁର ଚାଷ କରିବା ପାଇଁ ଉତ୍ସାହିତ ହୋଇ ନିଜର ପୋଖରୀକୁ ସଜାଡିବା ସହ ଏବେ ମାଗୁର ବ୍ରିଡିଂ ଆରମ୍ଭ କରିଛନ୍ତି। ବୈଜ୍ଞାନିକ ଆତିଶ ମାନେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଶହେ ମାଗୁର ସଂଗ୍ରହ କରି ସେହି ମାଗୁରମାନଙ୍କ ମଧ୍ୟରେ ମାଈ ଏବଂ ଅଣ୍ଡିରା ମାଗୁର ବାଛିବା ସହ ସେମାନଙ୍କୁ ଇଂଜେକ୍ସନ ଦେଇ ବ୍ରିଡିଂ କରାଇଥିଲେ। ପ୍ରାୟ ଏକ ଲକ୍ଷ ମାଗୁର ବ୍ରିଡିଂ କରିବାରେ ସେ ସଫଳ ହୋଇଥିବା ଦେଖିବାକୁ ମିଳିଛି।

Advertisment

ଆନନ୍ଦ ନିଜ ପୋଖରୀରେ ପ୍ରାୟ ୪ ହଜାରରୁ ୫ ହଜାର ଟଂକା ଖର୍ଚ୍ଚ କରି ମାଗୁର ଚାଷ କରିବାରେ ସଫଳ ହୋଇଛନ୍ତି। ଏହା ବଢିବା ପରେ ବଜାରରେ ଏହାର ଚାହିଦା ଅଧିକା ହେବ। ପ୍ରାୟ ଏକ ହଜାରର ଟଂକା କିଲୋ ପିଛା ରହିବ ବୋଲି କୁହାଯାଇଛି। ତେବେ ଏହା ସଫଳ ହେବେ ଅନ୍ୟ ଚାଷୀ ମଧ୍ୟ ଏହି ମାଗୁର ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ବୈଜ୍ଞାନିକ ଆତିଶ ମାନେ ପ୍ରକାଶ କରିଛନ୍ତି। ବିଲୁପ୍ତ ହେବାକୁ ବସିଥିବା ଏହି ମାଛକୁ ପୁଣି ବଂଚାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ଏହି ସଫଳ ପରୀକ୍ଷଣ ଆଗକୁ ଏହି ମାଛକୁ ବିଲୁପ୍ତ ହେବାକୁ ଦେବ ନାହିଁ ବୋଲି କୁହାଯାଇଛି। ଜଣେ ଚାଷୀ ମାତ୍ର ୫ ହଜାର ଟଂକା ପର୍ଯ୍ୟନ୍ତ ଖର୍ଚ୍ଚ କରି ଯଦି ଲକ୍ଷାଧିକ ଟଂକା ଆୟ କରିପାରୁଛି ତେବେ ଏହି ଚାଷ ମତ୍ସ୍ୟ ଚାଷୀ ମାନେ ଆଗ୍ରହର ସହ କରିବେ। ଓଡିଶାର ମାଲକାନଗିରି ଜିଲ୍ଲାରେ ହିଁ ଏହା ପ୍ରଥମ କରି କରାଯାଉଥିବା କୁହାଯାଇଛି। ମତ୍ସ୍ୟ ବିଭାଗ ତରଫରୁ ଏନେଇ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।