ମାହାଙ୍ଗା ଡବଲ ମର୍ଡର୍‌ ଘଟଣାକୁ ମାସେ ପୂରିଲା; ପୁଲିସ ଆଖିରେ ଧୂଳି ଦେଇ ବୁଲୁଛି ପ୍ରଫୁଲ୍ଲ ବିଶ୍ବାଳ

ଶ୍ବଶୁର ଘରେ ଥିବା ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଛୁ’; ମଳୟ ବାରିକଙ୍କୁ ଦିନିକିଆ ରିମାଣ୍ଡରେ ଆଣି ଜେରା କଲା ମାହାଙ୍ଗା ପୁଲିସ

କଟକ/ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ଏକ ମାସ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ବି ପୁଲିସ ଆଖି‌ରେ ଧୂଳି ଦେଇ ବୁଲୁଛନ୍ତି ବିକାଶ ଯେନା ଓ ମାହାଙ୍ଗା ଡବଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ। ଏପଟେ ପ୍ରଫୁଲ୍ଲ ଆଉ ତାଙ୍କ ସରପଂଚ ପତ୍ନୀଙ୍କୁ ଧରିବା ପାଇଁ ପୁଲିସ ପ୍ରଫୁଲ୍ଲଙ୍କ ଶଳାଙ୍କୁ ମାହାଙ୍ଗ‌ା ଥାନାରେ ହାଜିରା କରାଇ ଜେରା କରୁଛି। ଶଳା ପୁଲିସ ହାତରେ ଥିବାବେଳେ ପ୍ରଫୁଲ୍ଲ କୁଆଡେ ୩/୪ଦିନ ତଳେ ଶ୍ବଶୁର ଘରେ ରାତିରେ ପହଞ୍ଚି ଗଣ୍ଡ‌ଗୋଳ କରିଥିଲା। ଖବରପାଇ ବଡଚଣା ଓ ମାହାଙ୍ଗ‌ା ପୁଲିସ ରାତି ଅଧରେ ସେଠାରେ ପହଞ୍ଚିଲା ବେ‌ଳକୁ ସେଠାରୁ ଛୁ’ ମାରିଥିଲା ପ୍ରଫୁଲ୍ଲ। ଅନ୍ୟପଟେ ଗତ ମାସ ୨୨ତାରିଖରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କରିଥିବା ମଳୟ ବାରିକକୁ ଦିନିକିଆ ରିମାଣ୍ଡରେ ଆଣି ମାହାଙ୍ଗା ପୁଲିସ ଜେରା କରିଛି।

ଗୁରୁବାର ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୁଲିସ ମଳୟକୁ ଥାନାରେ ଜେରା କରିବା ସହିତ ଡବଲ୍‌ ମର୍ଡର ଘଟଣାର ଲିଙ୍କ ନେଇ ଖୋଳତାଡ କରିଥିଲା। ପୁଲିସର ମାରାଥନ ଜେରା ସମୟରେ ବାରମ୍ବାର ଏହି ଡବଲ ମର୍ଡର ଘଟଣା ସଂପର୍କରେ ସେ କିଛି ଜାଣି ନଥିବା ସଫେଇ ଦେଇଥିଲା। ପୁଲିସ ସତ ଓଗାଳିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ପାରି ନଥିବା କୁହାଯାଉଛି। ଅନ୍ୟପଟେ ପ୍ରମୋଦ ବିଶ୍ବାଳକୁ ମଧ୍ୟ ଖୁବ୍‌ଶୀଘ୍ର ରିମାଣ୍ଡରେ ଅଣି ବିକାଶ ଯେନା ଓ କୁଳମଣି-ଦିବ୍ୟସିଂହ ବରାଳ ଡବଲ ମର୍ଡର ଘଟଣା ସଂପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ ଯୋଜନା କରିଛି। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ ୯ଜଣ ଗିରଫ ହୋଇଛନ୍ତି।

ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ କୁଳମଣିଙ୍କ ପୁଅ ତଥା ନୁର୍ତ୍ତାଙ୍ଗ ସମିତିସଭ୍ୟ ରମାକାନ୍ତ ବରାଳଙ୍କ ପକ୍ଷରୁ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ଏଯାଏ ପୁଲିସ ପଞ୍ଚାନନ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିବାବେଳେ ସହ‌ଯୋଗୀ ଭାବେ ତା’ର ଭାଇ ଚୈତନ୍ୟ ସେଠୀ, ନୁର୍ତ୍ତାଙ୍ଗ ଗ୍ରାମର କ୍ଷୀତିଶ ଆଚାର୍ଯ୍ୟ (୪୫), ଅବସରପ୍ରାପ୍ତ ଯନ୍ତ୍ରୀ ଲଳିତ ମୋହନ ବରାଳ (୭୫), ଗୋଟିଏ ପରିବାରର କୈଳାସ ଖଟୁଆ, ଉମେଶ ଖଟୁଆ ଓ ଅରୁ ଓରଫ୍‌ ଅରବିନ୍ଦ ଖଟୁଆଙ୍କୁ ଗିରଫ କରିଥିଲା। କିନ୍ତୁ ଗତମାସ ୨୨ତାରିଖରେ ମଳୟ ବାରିକ ଓ ୨୭ତାରିଖରେ ଫେରାର ଥିବା ପ୍ରଫୁଲ୍ଲଙ୍କ ଭାଇ ପ୍ରମୋଦ ବିଶ୍ବାଳ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଶ୍ବଶୁରଘରେ ଚଢାଉ ସଂପର୍କରେ ଓ ଗଣ୍ଡଗୋଳ ସଂପର୍କରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଗଣ୍ଡଗୋଳ କଥାକୁ ସେମାନେ ଅସ୍ବୀକାର କରିଥିବା ବେଳେ ଶ୍ବଶୁର ଘରେ ଥିବା ଖବର ପାଇ ପୁଲିସ ଚଢାଉ କରିଥିବା କଥାକୁ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର