ମାହାଙ୍ଗା ଡବଲ ମର୍ଡର; ହାତପାଆନ୍ତାରେ ଅଭିଯୁକ୍ତ… ଧରା ପଡ଼ୁ ନାହାନ୍ତି!

କଟକ/ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡରକୁ ୪୮ ଘଣ୍ଟା ବିତିଗଲା। ଅଭିଯୁକ୍ତଙ୍କ ତାଲିକାରେ ୧୪ ଜଣ। ହେଲେ ଜଣକୁ ବି ଧରିପାରୁନି ପୁଲିସ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି। ଅନ୍ୟପଟେ ଅଭିଯୋଗ ହେଉଛି ଯେ ଖୁଲମ୍‌ଖୁଲା ବୁଲୁଛନ୍ତି ହତ୍ୟାକାରୀ। ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି ଓ କେନ୍ଦ୍ରାପଡା ଭିତରେ ସେମାନେ ବୁଲୁଥିବା ଚର୍ଚ୍ଚା ହେଉଛି। ମାହାଙ୍ଗାର ଗୁଣପୁର, ସାଲେପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଅଭି‌ଯୁକ୍ତମାନେ ଆତ୍ମଗୋପନ କରିଥିବା ଫୋନ୍‌ ଟ୍ରାକିଙ୍ଗରୁ ଜଣାପଡୁଛି। କିନ୍ତୁ ପୁଲିସ ଏ ସଂପର୍କରେ ଯଦିଓ ମୁହଁ ଖୋଲୁନି ତେବେ ପୁଲିସର ଟିମ୍‌ ଭୁବନେଶ୍ବର ସମେତ କେନ୍ଦ୍ରାପଡା, ଯାଜପୁରରକୁ ଯାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ହତ୍ୟାକାରୀ କେଉଁଠି ବୁଲୁଛନ୍ତି, ସେ ସଂପର୍କରେ ଖବର ପୁଲିସ ଓ ହତ୍ୟାର ଶିକାର ହୋଇଥିବା କୁଳମଣିଙ୍କ ପରିବାରକୁ ବିଭିନ୍ନ ଲୋକ ଦେଉଥିବା ସୂଚନା ମିଳିଛି। ପୁଲିସ କବଜାରେ ଏଯାଏ ଦୁଇ ଅଭିଯୁକ୍ତ ଅଛନ୍ତି ବୋଲି କୁହାଯାଉଥିଲେ ବି ପୁଲିସ କିନ୍ତୁ ଏହାକୁ ଅସ୍ବୀକାର କରୁଛି।

ଦୁଇ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୫ ଜଣିଆ ଟିମ୍
ମାହାଙ୍ଗା ବହୁଚର୍ଚ୍ଚିତ ଡବଲ୍‌ ମର୍ଡର ଘଟଣାରେ ଦୁଇଜଣ ଅତିରିକ୍ତ ଏସ୍‌ପି ଅଲେଖ ଚନ୍ଦ୍ର ପହୀ, ପି.କେ.ଜେନା, ସାଲେପୁର ଏସ୍‌ଡିପିଓ ରଞ୍ଜିତ ପୃଷ୍ଟି, ମାହାଙ୍ଗା, ସାଲେପୁର, କିଶନନଗର, ନେମାଳ, ନିଶ୍ଚିନ୍ତକୋଇଲି ଥାନାର ଅଧିକାରୀଙ୍କ ସମେତ ପ୍ରାୟ ୨୦ରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ଟିମ୍‌ରେ ରହିଛନ୍ତି। ଏହି ୫ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବାବେଳେ ପୁଲିସକୁ କିନ୍ତୁ କୌଣସି ସଫଳତା ମିଳି ନଥିବା ଏସ୍‌ପି ବି.ଯୁଗଳ କିଶୋର ସୂଚନା ଦେଇଛନ୍ତି।

ମୋବାଇଲ ଯାଞ୍ଚ ଦାବି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ହତ୍ୟାକାରୀ-ରାଜନେତାଙ୍କ ଫଟୋ
ଏହି ଘଟଣାରେ ମନ୍ତ୍ରୀଙ୍କ ସମେତ ପୁଲିସ ୧୪ଜଣଙ୍କ ନାଁରେ ଏତଲା ରୁଜୁ କରିଛି। ମନ୍ତ୍ରୀ ଏହାକୁ ଅସ୍ବୀକାର କରୁଥିବାବେଳେ ଏଭଳି ନିର୍ମମ ଘଟଣାରେ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରାଯାଉ ଓ ଏହା ଏକ ନିନ୍ଦନୀୟ ଘଟଣା ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ଏହି ଘଟଣାରେ ମନ୍ତ୍ରୀ ଓ ତାଙ୍କ ଖାସ୍‌ ଅନୁଗତଙ୍କ ମୋବାଇଲ ଯାଂଚ କରାଯାଉ ବୋଲି ବିରୋଧୀ ଦାବି ଉଠାଇଛନ୍ତି। ଅନ୍ୟପଟେ ସୋସିଆଲ ମିଡିଆରେ ଆଜି ମନ୍ତ୍ରୀ, କେନ୍ଦ୍ରପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ହତ୍ୟାକାରୀ ଉଠାଥିବା ବିଭିନ୍ନ ସମୟର ଫଟୋ ଭାଇରାଲ ହେଉଛି।

ନଈବନ୍ଧରେ ବାଇକ୍‌ ରଖି ଚାଲି ଚାଲି ଆସିଥିଲେ; ହତ୍ୟାକାଣ୍ଡ ପରେ ଭାଗ ଭାଗ ହୋଇଗଲେ

ଶନିବାର ଦିନ ସକାଳୁ ହିଁ କାଟିଦେଇଥିଲେ ଷ୍ଟ୍ରିଟ୍‌ ଲାଇଟ୍‌ର ତାର। ନଈବନ୍ଧରେ ବାଇକ୍‌ ରଖି ଚାଲି ଚାଲି ଆସିଥିଲେ ହତ୍ୟାକାରୀ। ଯେହେତୁ କୁଳମଣି ବରାଳଙ୍କ ଫେରିବା‌ ସମୟ ସେହି ସାଢେ ୭ଟା ଭିତରେ, ତେଣୁ ତାଙ୍କ ପୂରା ଗତିବିଧି ଉପରେ ନଜର ରଖିଥିଲେ। ସେ ଗାଁ ରାସ୍ତାରେ ‌ପହଂଚିବା ସମୟରେ ଅତର୍କିତଭାବେ ଠେଙ୍ଗା, ପଥର, କଟୁରି ତଥା ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କୁ ବାଇକ୍‌ରୁ ଘୋଷାଡି ଆଣିଥିଲେ। ତଳେ ପଡିଯିବା ପରେ ଉଭୟ କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରିଥିଲେ। ଉ‌ଭୟେ ମରିଯାଇଥିବା ଭାବି ତୁରନ୍ତ ସେହି ସ୍ଥାନ ଛାଡି ବାଇକ୍‌ ଧରି ନଈବନ୍ଧ ରାସ୍ତା ଓ ଡଗରା ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ହତ୍ୟାପରେ ବି ସେମାନେ ମାହାଙ୍ଗା ଛାଡି ନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ସାଇଣ୍ଟିଫିକ୍‌ ଟିମ୍‌ ବାଉଁଶ ଠେଙ୍ଗା, ରୁମାଲ ସହ ପଥର ମଧ୍ୟ ଜବତ୍‌ କରିଛି। ହତ୍ୟାକାରୀ ସୁକ ନଈରେ ମାରଣାସ୍ତ୍ରକୁ ପକାଇ ଦେଇଥିବା ଓ ନଦୀରେ ରକ୍ତ ଭିଜା ସାର୍ଟ ମଧ୍ୟ ପକାଇ ଦେଇଥିବା ନେଇ ଚର୍ଚ୍ଚା ହେଉଛି।

ବରିଷ୍ଠ ପୁଲିସ ଅଧିକାରୀ ଜଣକ କିଏ? 

ହତ୍ୟାକାଣ୍ଡର ଦୁଇଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରୁନି ପୁଲିସ ବୋଲି ଅଭିଯୋଗ ଆଣିଛନ୍ତି ନୃତ୍ତାଙ୍ଗ ପଞ୍ଚାୟତର ସମିତିସଭ୍ୟ ତଥା ହତ୍ୟାର ଶିକାର ହୋଇଥିବା ମାହାଙ୍ଗାର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କୁଳମଣି ବରାଳଙ୍କ ପୁଅ ରମାକାନ୍ତ। କେବଳ ସେତିକି ନୁହେଁ ତଦନ୍ତ ଦାୟିତ୍ବରେ ଥିବା ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇ ଅଭିଯୋଗ ଆଣିଛନ୍ତି ଯେ, ଉକ୍ତ ଅଧିକାରୀଙ୍କ ସମୟରେ ତାଙ୍କ ନାଁରେ ଅନେକ ମିଥ୍ୟା ମାମଲା ରୁଜୁ କରାଯାଇଥିଲା। ଯଦି ତାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଏ ତାହେଲେ ତଦନ୍ତ ଦିଗହରା ହେବ। ସେ ଅଧିକାରୀଙ୍କ ନାଁ ନନେଇ ଅଭିଯୋଗ ଆଣିଛନ୍ତି। ଫଳରେ ସେହି ବରିଷ୍ଠ ଅଧିକାରୀ ଜଣକ କିଏ, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

କଟକ‌, ମାହାଙ୍ଗାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ସାରା ଜିଲ୍ଲାରେ ବିକ୍ଷୋଭ

ବିଜେପିର ବରିଷ୍ଠ ନେତା ଓ ତାଙ୍କ ସହଯୋଗୀଙ୍କୁ ଅତିନିର୍ମମଭାବେ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରି ବିଜେପି ପକ୍ଷରୁ କୁଆଁପାଳସ୍ଥିତ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାକୁ ଦୃଢ ନିନ୍ଦା କରି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବା ସହ ମାହାଙ୍ଗାରେ ବିପର୍ଯ୍ୟସ୍ତ ପୁଲିସ ସେବା ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଓ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା। ଶତାଧିକ ବିଜେପି କର୍ମୀ ଗୋବରୀ ପୋଲଠାରୁ ଏକ ଶୋଭାଯାତ୍ରାରେ ସରକାରୀ ବିରୋଧୀ ନାରା ଦେଇ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନୃତ୍ତାଙ୍ଗ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପ୍ରତିବାଦରେ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭରେ କଟକ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା, ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଯୁବ ନେତା ଶ୍ରୀକାନ୍ତ ରାଉତ, ମାହାଙ୍ଗା ମଣ୍ତଳ ସଭାପତି ଋଷି ରାଉତ, ନିର୍ମଳ ରାଉତ, ଅରୁଣ ସେଠୀ, ଭକ୍ତଚରଣ ସ୍ବାଇଁ, ପୂର୍ବତନ ସମିତିସଭ୍ୟ ଜଗଜୀବନ ବେହୁରା, କିଶୋର ରାଉତ, ଅରବିନ୍ଦ ମହାନ୍ତି, ଅରକ୍ଷିତ ଜେନା, ଅମିତାଭ ପଣ୍ତା, ଦିଲ୍ଲୀପ ସାହୁ, ଉମେଶ ଭଞ୍ଜ, ହରେକୃଷ୍ଣ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର