କଟକ/ମାହାଙ୍ଗା: ରକ୍ତମୁଖା ସାଜିଥିଲା ଶିବ ପ୍ରସାଦ ସାହୁ। ଘର ଅନ୍ଧାର ଥିଲା, ତେଣୁ ମୋବାଇଲ ଲାଇଟ୍‌ରେ ମାରିଚାଲିଲା ସମସ୍ତଙ୍କୁ। ମାରିଲା ବେଳେ ପିନ୍ଧିଥିବା ଲୁଙ୍ଗି ଛନ୍ଦି ହୋଇଯିବାରୁ ଲୁଙ୍ଗି ଖୋଲି ଉଲଗ୍ନ ଅବସ୍ଥାରେ ମାରିଥିଲା ସମସ୍ତଙ୍କୁ। ଶେଷ ଶିକାର ଥିଲା ଝିଆରୀ। ସେ ନେହୁରା ହେଉଥିଲା ଓ ଦୌଡୁଥିଲା ବି...। ହେଲେ, ଭାଉଜଠାରୁ ଆରମ୍ଭ କରିଥିବା ନରସଂହାର ଝିଆରୀକୁ ହତ୍ୟା କରି ଶେଷ କରିଥିଲା ଶିବ। ଏଭଳି ହୃଦୟ ବିଦାରକ ତଥ୍ୟ ଆଜି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ସମୟରେ ପୁଲିସ ଆଗରେ ବଖାଣିଛି ହତ୍ୟାକାରୀ ଶିବ। ଜଣେ ପୁତୁରା ଜୀବନ ବଂଚାଇବା ପାଇଁ ଛାତ ସିଡି ଦେଇ ଉପରକୁ ଚଢି ପଳାଉଥିବା ବେଳେ ନୃଶଂସ ଶିବ ତାକୁ ପଛପଟରୁ ଭିଡି ଧରି ମୁଣ୍ତକୁ ଆକ୍ରମଣ କରିବା ସହ ଶୋଇବା ଘରକୁ ଆଣି ସେଠାରେ ହତ୍ୟା କରିଥିଲା। ଏପରିକି ନରସଂହାର ଘଟାଇବା ପରେ ସମସ୍ତଙ୍କ ମୃତ୍ୟୁ ସମ୍ପର୍କରେ ସୁନିଶ୍ଚିତ ହେବା ପାଇଁ ଗୋଡର ଗୋଚ୍ଛି, ହାତର ଶିରା କାଟି ଦେଇଥିଲା। ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ କ୍ଷତାକ୍ତ କରିଥିଲା ବୋଲି ପୁଲିସ ଆଗରେ ସ୍ବୀକାର କରିଛି ଶିବ।

Advertisment

କ’ଣ ଡେମୋ ଦେଖାଇଲା ଶିବ?
ସେଦିନ ରାତିରେ ପରିସ୍ରା କରିବା ଆଳରେ ଶିବ ବଡଭାଇ ପରିବାରକୁ ନିଦରୁ ଉଠାଇ ହତ୍ୟାକାଣ୍ତ ରଚିଥିଲା। ରାତି ପ୍ରାୟ ୨ଟା ସମୟରେ ସେ ପରିସ୍ରା କରିବାକୁ ଉଠି ଶୌଚାଳୟ ତାଲା ପଡ଼ିଥିବାରୁ ତାଲା ଖୋଲିବା ପାଇଁ ଭାଉଜ ରଶ୍ମିରେଖାକୁ ଡାକିଥିଲା। ରଶ୍ମିରେଖା ବିରକ୍ତି ଭାବ ପ୍ରକାଶ କରିବା ସହ ଆମେ କ’ଣ ତୋର ସିକୁରିଟି ଗାର୍ଡ ଅଛୁ, ଯେତେବେଳେ ଆସିବୁ ଜଗିକି ବସିବୁ...। ଏହି କଥାକୁ ନେଇ ଦିଅର-ଭାଉଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଭାଉଜ ତାଲା ଖୋଲିବାରୁ ଶିବ ଶୌଚ ହୋଇ ନିଜ କୋଠରିକୁ ଯାଇଥିଲା, ହେଲେ ରାଗ କମି ନଥିଲା। ଏହାପରେ ସେ ବଡଭାଇ ପରିବାରକୁ ଆକ୍ରମଣ କରିବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଲା। ଭାଉଜ ଓ ତାଙ୍କ ପରିବାର ଶୋଇବା ଘର କବାଟ ଖୋଲା ରଖି ଶୋଇଥିଲେ। କବାଟ ଖୋଲାଥିବାର ସୁଯୋଗ ନେଇ ଶିବ ପ୍ରଥମେ ଭାଉଜଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଆକ୍ରମଣରେ ଭାଉଜ ଚିତ୍କାର କରି ସଜ୍ଞାହୀନ ହୋଇ ପଡ଼ିବା ପରେ ବଡ଼ଭାଇ ଅଲେଖ ଉଠି ପଡ଼ିଥିଲେ। ସେ କିଛି କହିବା ପୂର୍ବରୁ ଶିବ ତାଙ୍କ ମୁଣ୍ତକୁ ମଧ୍ୟ ଆକ୍ରମଣ କରିଥିଲା। ରଶ୍ମିରେଖା ଓ ଅଲେଖ ଚେତାଶୂନ୍ୟ ହୋଇ ପଡିବା ପରେ ଶିବ ସେ ଦୁହିଁଙ୍କୁ ଲଗାତାର କଟୁରିରେ ଚୋଟ ମାରି ଚାଲିଥିଲା। ଶବ୍ଦ ଶୁଣି ପିଲାମାନେ ନିଦରୁ ଉଠି ପଡ଼ି ଘଟଣା ଦେଖି ଡରି ଯାଇଥିଲେ। ସେମାନେ ଦାଦା ଶିବର ଗୋଡ ଧରି ଛାଡି ଦେବାକୁ କାକୁତି ମିନତୀ ହୋଇଥିଲେ। ହେଲେ, ରକ୍ତମୁଖା ଶିବ କିଛି ନ ଶୁଣି ନିରୀହ ପୁତୁରା ଓ ଝିଆରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଆକ୍ରମଣରେ ଜଣେ ପୁତୁରା ଓ ଝିଆରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ପୁତୁରା ଜୀବନ ବଂଚାଇବା ପାଇଁ ସିଡି ଦେଇ ଛାତ ଉପରକୁ ଚଢ଼ି ପଳାଉଥିବା ବେଳେ ନୃଶଂସ ଶିବ ତାକୁ ପଛପଟୁ ଭିଡି ଆଣି ମୁଣ୍ତକୁ ଆକ୍ରମଣ କରିଥିଲା। ପଡ଼ିଯିବା ପରେ ଶୋଇବା ଘରକୁ ଆଣି ସେଠାରେ ହତ୍ୟା କରିଥିଲା।

ହତ୍ୟାକାଣ୍ତ ସମୟରେ ଶିବ ଉଲଗ୍ନ ଥିଲା
ହତ୍ୟାକାଣ୍ତ ସମୟରେ ଶିବ ଉଲଗ୍ନ ଥିଲା। ଘରର ଶୌଚାଳୟକୁ ଯାଇ ଦେହରେ ଲାଗିଥିବା ରକ୍ତଛିଟାକୁ ପାଣିରେ ଧୋଇ ଦେଇଥିଲା। କିଛି ସମୟ ପରେ ଲୁଗା ପିନ୍ଧି ଛାତ ଉପରେ ବୁଲି ପବନ ଖାଇଥିଲା। କାଳେ ସେମାନେ ବଂଚିଥିବେ ପ୍ରମାଣ ନଷ୍ଟ ପାଇଁ ପୁର୍ନବାର ତଳକୁ ଆସି ଚମାର କଟୁରି ସାହାଯ୍ୟରେ ସମସ୍ତଙ୍କ ହାତର ଶିରା ଓ ଗୋଡ଼ ଗୋଛିକୁ କାଟିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଲୁଗାପଟାରେ ଲାଗିଥିବା ରକ୍ତଛିଟାକୁ ଧୋଇ ଶୌଚ ହୋଇଥିଲା। ଭୋର୍‌ ସମୟରେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ଭଡ଼ାଘରକୁ ପଳାଇ ଆସିଥିଲା। ସକାଳ ୧୦ଟା ପର୍ଯ୍ୟନ୍ତ ଗାଁରେ ବୁଲା ବୁଲି କରିବା ସହ ଏକ ଦୋକାନରୁ ଇଟିଲି ଖାଇ ଚା’ ପିଇଥିଲା। ଏହାପରେ ଭଡ଼ାଘର ନିକଟରେ ଥିବା ଏକ ବିଲକୁ ଯାଇ ଖଜୁରି ଗଛ ନିକଟରେ ନିଜର ଦୋଷ ସ୍ବୀକାର କରି ଭିଡିଓ ଭାଇରାଲ୍‌ କଲା ପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା।

ବଡ଼ଭାଇ ପରିବାରକୁ ରାସ୍ତାରୁ ହଟାଇବା ପାଇଁ ପୂର୍ବରୁ ଯୋଜନା କରିଥିଲା
ଶିବ ଓ ବଡ଼ଭାଇ ଅଲେଖଙ୍କ ମଧ୍ୟରେ ଦୀର୍ଘବର୍ଷ ହେଲା ଜମିଜମା ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ବାଟ ଫିଟି ନଥିଲା। ମାତ୍ର ଦେଢଗୁଣ୍ଠ ଘରବାରି ଭାଗବଣ୍ଟାକୁ ନେଇ ଉପୁଜିଥିଲା ବିବାଦ। ଶାନ୍ତ, ସରଳ ସ୍ବଭାବର ଶିବ ନିଜର ପୈତୃକ ଭାଗ ପାଇବା ନିମନ୍ତେ ବିଭିନ୍ନ ସମୟରେ ମୁରବି ଓ ଥାନାର ସାହାଯ୍ୟ ଲୋଡୁଥିଲା। କିନ୍ତୁ ସେଥିରେ ସେ ସଫଳତା ପାଇ ନଥିଲା। ଏହାକୁ ନେଇ ସେ ନିଜ ଇଚ୍ଛା ଅଥବା କାହା ପ୍ରରୋଚନାରେ ବଡଭାଇ ପରିବାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ମନସ୍ଥ କରିଥିଲା। କିପରି ସେମାନଙ୍କୁ ହତ୍ୟା କରିବ, ସେ ଯୋଜନା କରିଥିଲା। ପ୍ରଥମେ ସ୍ଥାନୀୟ ଅଂଚଳର ଜଣେ ଚମାର ପାଖକୁ ଯାଇ ଆଣିଥିଲା କଟୁରି। ଉକ୍ତ କଟୁରିକୁ ପୈତୃକ ଘରେ ଲୁଚାଇ ରଖିବା ସହ ହତ୍ୟା କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲା। ଉକ୍ତ ଚମାର କଟୁରିରେ ସମସ୍ତଙ୍କୁ ହାଣି ହତ୍ୟା କରିଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇ କଟୁରିକୁ ଜବତ କରିଛି। ରକ୍ତ ଜୁଡୁବୁଡୁ କଟୁରିକୁ ପୋଛି ଶିବ ଫୋପାଡି ଦେଇଥିଲା। ସମସ୍ତ ୫ଗୋଟି ମୃତଦେହକୁ ଗୋଟିଏ ଘରେ ରଖି ବାହାରପଟୁ ତାଲାପକାଇ ରହୁଥିବା ଭଡା ଘରକୁ ଚାଲିଯାଇଥିଲା।

ଭିଡିଓ ନିଜେ ଉଠାଇଥିଲା ନା’ ଆଉ କିଏ?
ଶିବ କେଉଁ ପରିସ୍ଥିତିରେ କେଉଁ ସ୍ଥାନରେ ଉକ୍ତ ଭିଡିଓଟିକୁ ରେକର୍ଡିଂ କରି ଭାଇରାଲ କରିଥିଲା, ତା’କୁ ନେଇ ସନ୍ଦେହ ଦୂର ହୋଇ ପାରିନି। ସେ ନିଜେ ରେକର୍ଡିଂ କରିଥିଲା ନା’ ଏହି ଭିଡିଓ ଉତ୍ତୋଳନ ପଛରେ ଆଉ କାହାର ହାତ ରହିଛି? ଭଡ଼ାଘର ଠାରୁ ମାତ୍ର ଶହେ ଫୁଟ ଦୂରରେ ଭିଡିଓ ରେକର୍ଡିଂ ସ୍ଥାନ ହୋଇଥିବାରୁ ତାହା ମଧ୍ୟ ସନ୍ଦେହକୁ ବଢ଼ାଉଛି। ଅପରପକ୍ଷେ ଗାଁ ମଝିରେ ଗୋଟିଏ ଘରେ ଶିବ ଏକୁଟିଆ ୫ଜଣଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଂଚଳର ଲୋକଙ୍କୁ ସହଜରେ ହଜମ ହେଉନି। ଆଜି ସିନ୍ ରିକ୍ରିଏସନ୍‌ରୁ ଜଣାପଡିଛି ଏହି ହତ୍ୟାକାଣ୍ତ ପୂର୍ବ ପ୍ରାୟୋଜିତ ବୋଲି। ତେବେ, ଏହା ପଛରେ କେହି ନା କେହି ପ୍ରଭାବଶାଳୀ ବ୍ୟକ୍ତି ରହି ତଦନ୍ତକୁ ବାଟବଣା କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ଆଜି ରିମାଣ୍ଡ୍‌ ସରିବ
ଅଭିଯୁକ୍ତ ଶିବର ରିମାଣ୍ତ୍‌ ଶନିବାର ଶେଷ ହେଉଥିବାରୁ ଆଉ କେତେ ସତ ଓଗାଳୁଛି ପାରୁଛି ପୁଲିସ ତାହା ଦେଖିବାକୁ ବାକି ରହିଲା। ଶିବଠାରୁ ଜବତ ହୋଇଥିବା ମୋବାଇଲରୁ ମିଳିବ କି ଅନ୍ୟ କାହାର ସଂପୃକ୍ତି? ହତ୍ୟାକାଣ୍ତ ପରେ ପୁଲିସ ଅଭିଯୁକ୍ତ ଶିବଠାରୁ ସେ ବ୍ୟବହାର କରୁଥିବା ମୋବାଇଲ୍‌ ଜବତ କରିଛି। ସଠିକ ତଦନ୍ତ କରାଗଲେ ଏଥିରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତାହା ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି। ହତ୍ୟାକାଣ୍ତ ପରେ ଶିବ କେଉଁମାନଙ୍କୁ ଯୋଗଯୋଗ କରିଛି, ତାହା ଜଣାପଡ଼ିଲେ ହତ୍ୟାକାଣ୍ତର ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେୁଛି।

ପୁଲିସ ପାଖରେ ଅନୁତାପ କରୁଛି ଶିବ
ଏତେ ବଡ଼ ଜଘନ୍ୟ ନରସଂହାର ପରେ ସାଇକଲରେ ଯାଇ ଜଳଖିଆ ଖାଇବା, ହତ୍ୟାକାଣ୍ଡ ସଂପର୍କିତ ଭିଡିଓ ସ୍ବୀକାରୋକ୍ତି ସମସ୍ତଙ୍କ ମୋବାଇଲକୁ ଛାଡିବା ଓ ଥାନାରେ ଆତ୍ମସମର୍ପଣ ପର୍ଯ୍ୟନ୍ତ...; ସବୁ ଘଟଣାକ୍ରମ ଦେଖିଲେ ଶିବ ମନରେ ତିଳେମାତ୍ର ଅନୁଶୋଚନା ଥିବା ଜଣାପଡୁ ନାହିଁ। ଭିଡିଓ ସ୍ବୀକାରୋକ୍ତିରେ ସେ ଅତି ହାଲୁକା ଭାବରେ କହିଚାଲିଥିଲା ହତ୍ୟାକାଣ୍ଡ ସମ୍ପର୍କରେ ଓ ଆଇନ ଯାହା ଦଣ୍ଡ ଦେବ ତାକୁ ଗ୍ରହଣ କରିବ ବୋଲି। ଏବେ କିନ୍ତୁ ୫ଜଣଙ୍କୁ ହତ୍ୟା କରିଥିବାକୁ ନେଇ ପୁଲିସ ପାଖରେ ବାରମ୍ବାର ଅନୁତାପ କରୁଛି। ବାରମ୍ବାର କହୁଛି.. କ’ଣ ପାଇଁ ଏମିତି କଲି, କି ବୁଦ୍ଧି ମୋତେ ଦିଶିଲା...?