କେନ୍ଦୁଝର: ହରିଚନ୍ଦନପୁର ବ୍ଲକ୍ ଜଂଘିରା ମହାପାଟ ମହାବିଦ୍ୟାଳୟରେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ଅର୍ଥରେ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ପକ୍ଷରୁ ନିର୍ମାଣ କରାଯାଇଥିବା ଅତିରିକ୍ତ ଶ୍ରେଣୀ ଗୃହ ଅଧାପନ୍ତରିଆ ହୋଇପଡ଼ିଛି। ଆଇଟିଡିଏ ପକ୍ଷରୁ ୨ଟି ଫାଇଲ୍ରେ ୧୦ଲକ୍ଷ ଟଙ୍କାର ବିଭାଗୀୟ କାର୍ଯ୍ୟାଦେଶ ଦିଆଯାଇଥିଲା। ଯନ୍ତ୍ରୀଙ୍କ ନାମରେ ହେଉଥିବା ଏହି କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ସମ୍ପୂର୍ଣ୍ଣ ବିଲ୍ ଉଠାଯାଇଥିବା ଅଭିଯୋଗ ହୋଇଛି। ୨୦୧୪-୧୫ରେ ଶ୍ରେଣୀଗୃହ ନିର୍ମାଣ କାମ ଆରମ୍ଭ ହୋଇଥିଲା।
ଗୃହ ନିର୍ମାଣ ହୋଇ ଛାତ ପଡ଼ିଥିବା ବେଳେ ବାହାର ପ୍ଲାଷ୍ଟର, ଝରକା, କବାଟ ଲଗାଯାଇ ନଥିଲା। ଫଳରେ ଏହି ଅସମ୍ପୂର୍ଣ୍ଣ ଘରଟି ଛାତ୍ରଛାତ୍ରୀଙ୍କ କାମରେ ଲାଗୁ ନଥିଲା। କଲେଜ ପକ୍ଷରୁ କବାଟ, ଝରକା ଲଗାଯାଇ ଏଠାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଛି। ଏଯାଏ ଶ୍ରେଣୀଗୃହର ପ୍ଲାଷ୍ଟର ମଧ୍ୟ ହୋଇନି। ଏନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାସତ୍ତ୍ବେ ମଧ୍ୟ ଅବଶିଷ୍ଟ କାମ ଶେଷ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏନେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକଙ୍କୁ ପଚାରିବାରୁ, ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜ୍ଞାନରଞ୍ଜନ ପଣ୍ଡା କହିଛନ୍ତି, କାମ ସମ୍ପୂର୍ଣ୍ଣ ହୋଇ ନଥିଲେ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତୁରନ୍ତ ଅବଶିଷ୍ଟ କାମ କରି ଶ୍ରେଣୀଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/22-10.jpg)