କେନ୍ଦ୍ରାପଡ଼ାରେ ବିପର୍ଯ୍ୟସ୍ତ ବ୍ୟବସ୍ଥାର ବିକଳ ଚିତ୍ର; ମହାପ୍ରୟାଣ ମିଳିଲାନି; ହସ୍ପିଟାଲ୍‌ରୁ ଘରକୁ କାନ୍ଧରେ ବୋହିଲେ ଶବ

ଗଣମାଧୢମର ହସ୍ତକ୍ଷେପ ପରେ ମିଳିଲା ଘରୋଇ ଆମ୍ବୁଲାନ୍ସ

କେନ୍ଦ୍ରାପଡ଼ା: ଅସୁସ୍ଥ ହେଇ ମେଡିକାଲ୍‌ ଆସିଥିଲେ। କିନ୍ତୁ ଚିକିତ୍ସା ଅବହେଳାରୁ ପ୍ରାଣ ଚାଲିଗଲା। ତା’ ପରେ ବି କର୍ତୃପକ୍ଷ ଚେତିଲେନି। ବାରମ୍ବାର ଗୁହାରି ପରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ କାନ୍ଧରେ ଶବ ଧରି ମେଡିକାଲ୍‌ରୁ ଘର ଅଭିମୁଖେ ଚାଲିଲେ ପରିଜନ। ଇଏ କୌଣସି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ, ଉପକୂଳବର୍ତ୍ତି ଅନ୍ୟତମ ଆଗଧାଡିର ଜିଲ୍ଲାର କୁହାଯାଉଥିବା କେନ୍ଦ୍ରାପଡ଼ାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର। ଟଙ୍କା ପାଇଁ ମହାପ୍ରୟାଣ ଗାଡ଼ି ନ ଦେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶବ କାନ୍ଧରେ ବୋହି ରାସ୍ତାରେ ଯିବା ଘଟଣା ସାଧାରଣରେ ଆଲୋଡ଼ନ ଖେଳାଇ ଦେଇଛି। ଗୋଟିଏପଟେ କେନ୍ଦ୍ରାପଡ଼ାରେ ମେଡିକାଲ୍‌ କଲେଜ ଦାବି ଉପରେ ସରକାର ବିଚାର କରୁଥିବା କହୁଛନ୍ତି। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୀବିତ ଅବସ୍ଥାରେ ବିଭିନ୍ନ ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ ମୃତ୍ୟୁ ପରେ ବି ମହାପ୍ରୟାଣ ଗାଡ଼ି ନ ମିଳିବା ଘଟଣା ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଆଉ କର୍ତୃପକ୍ଷଙ୍କ ବେଫିକର ନୀତିକୁ ପଦାରେ ପକାଇଛି।

Sambad

ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ବ୍ଲକ୍‌ ଅନୁଆପଡ଼ା ଗ୍ରାମର ସୁଲୋଚନା ରାଉତ(୭୨) ଅସୁସ୍ଥ ହୋଇ ଗତ ୨୫ ତାରିଖ ସ˚ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଚିକିତ୍ସା ଅବହେଳା କରାଯିବାରୁ ଶ୍ରୀମତୀ ରାଉତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ସୋମବାର ସ˚ଧ୍ୟାରେ ମେଡିକାଲ୍‌ରେ ଭର୍ତ୍ତି କରାଯିବା ପରେ ସାଲାଇନ୍‌ ଦିଆଯାଇଥିଲା। ମାତ୍ର ଏହାପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଏ ସ˚ପର୍କରେ ଜଣାଇବା ପରେ ଡାକ୍ତର ଥରୁଟିଏ ବି ଦେଖିବାକୁ କେହି ଆସିଲେ ନାହିଁ। ଫଳରେ ସାରା ରାତି ଯନ୍ତ୍ରଣାରେ ଛଟପଟ ହେଇ ଆଇ ମା’ର ପ୍ରାଣ ଚାଲିଗଲା ବୋଲି ନାତି ସୌଭାଗ୍ୟ ମହାନ୍ତି ଅଭିଯୋଗ କରିଛନ୍ତି। ଏହାପରେ ଶବ ନେବା ପାଇଁ ମହାପ୍ରୟାଣ ଗାଡ଼ି ସହିତ ପରିବାର ଲୋକ ଯୋଗାଯୋଗ କରିଥିଲେ। ମାତ୍ର ୮୦୦ଟଙ୍କା ଦେଲେ ଗାଡ଼ି ଯିବ ବୋଲି ଚାଳକ କହିଥିଲେ। ମାତ୍ର ଏତେ ଟଙ୍କା ଦେବାକୁ ପରିବାର ଲୋକ ଅସମର୍ଥ ପ୍ରକାଶ କରିଥିଲେ ମଧୢ କେହି ତାଙ୍କ କଥା ଶୁଣିନଥିଲେ। ଦୀର୍ଘ ସମୟ ପରେ ତହସିଲଦାର, ସିଡିଏମ୍‌ଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।

ହେଲେ ଅବହେଳାକୁ ନେଇ ପରିବାର ଲୋକ ଏତେ ଅତିଷ୍ଠ ହୋଇପଡ଼ିଥିଲେ ଯେ ବାଧୢ ହୋଇ ଗ୍ରାମୀଣ ଯୁବକ ସ˚ଘ ସଦସ୍ୟଙ୍କ ସହାୟତାରେ ଶବକୁ କାନ୍ଧରେ ବୋହି ଅନୁଆପଡ଼ା ଅଭିମୁଖେ ବାହାରି ଥିଲେ। ହସ୍ପିଟାଲ୍‌ରୁ ପାଖାପାଖି ଦୁଇ ଶହ ମିଟର ଯାଏ କାନ୍ଧରେ ନେଇ ଯିବା ପରେ ଗଣମାଧୢମ ପ୍ରତିନିଧିଙ୍କ ହସ୍ତକ୍ଷେପ କ୍ରମେ ଏକ ଘରୋଇ ଆମ୍ବୁଲାନ୍ସରେ ଶବ ଯିବା ସମ୍ଭବ ହୋଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗରିବ ଲୋକଙ୍କ ପାଇଁ ମହାପ୍ରୟାଣ ଗାଡ଼ିରେ ଶବ ନେଲେ କୌଣସି ଭଡ଼ା ଦେବାକୁ ପଡ଼ିବ ନାହିଁ ବୋଲି ସରକାରଙ୍କ ନିୟମ ଥିବା ବେଳେ ସ୍ବର୍ଗତ ମହାନ୍ତିଙ୍କ ପରିବାର ଏହି ସୁବିଧାରୁ କିଭଳି ବ˚ଚିତ ହେଲେ? ବାରମ୍ବାର ଗୁହାରି ପରେ ବି ଯନ୍ତ୍ରଣାର ଛଟପଟ ରୋଗୀଙ୍କୁ କାହିଁକି ଚିକିତ୍ସା କଲେନି ଡାକ୍ତର? ଗରିବ ରୋଗୀ ବୋଲି କ’ଣ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ସୁବିଧା ମିଳିବନି ବୋଲି ଏବେ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ମେଡିକାଲ୍‌ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ଆଚାର୍ଯ୍ୟ କହିଛନ୍ତି ଯେ ମହାପ୍ରୟାଣ ଗାଡ଼ି ୩୦କି.ମି ଭିତରେ ଯିବା ଆସିବା ପାଇଁ ସରକାର ୮୦୦ଟଙ୍କା ଧାର୍ଯ୍ୟ କରିଛନ୍ତି। ସ˚ପୃକ୍ତ ରୋଗୀଙ୍କ ସ˚ପର୍କିୟ ମାତ୍ର ୩୦୦ଟଙ୍କା ଦେବାକୁ ରାଜି ହେବାରୁ ଗାଡ଼ି ସୁବିଧା ମିଳିଲା ନାହିଁ ବୋଲି ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର