ମହାପ୍ରୟାଣ ଗାଡ଼ି ଅଚଳ, ବାରଣ୍ଡାରେ ପଡ଼ି ରହିଲା ଶବ

ବରଗଡ଼ : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ମିଳୁନଥିବାରୁ ଶବ ଘଣ୍ଟାଘଣ୍ଟା ଧରି ଡାକ୍ତରଖାନା ବରଣ୍ଡାରେ ପଡ଼ି ରହିବା ଭଳି ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି। ପାଇକମାଳ ବ୍ଲକ୍‌ ସରେଇକେଲା ଅଞ୍ଚଳରୁ ଗରିବ ବାପ ଛେଉଣ୍ଡ ଭଉଣୀ କ୍ଷୀର ପଟେଲର ଚିକିତ୍ସା କରାଇବା ପାଇଁ ଆସିଥିଲେ ଭାଇ କୈବଲ୍ୟ ପଟେଲ। କୌଣସି କାରଣରୁ ସୋମବାର ରାତି ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ ଶରୀରକୁ ଘରକୁ କୈବଲ୍ୟ ନେବାକୁ ବାହାରିଥିଲେ।

କିନ୍ତୁ ତାକୁ କୌଣସି ଆଡ଼ୁ ସହଯୋଗ ମିଳିନଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏକ ମାତ୍ର ମହାପ୍ରୟାଣ ଗାଡି ଦୀର୍ଘ ଗୋଟିଏ ମାସ ହେଲା ଅଚଳ। ତେଣୁ କିଛି ଉପାୟ ନପାଇଁ କୈବଲ୍ୟ ଘରୋଇ ଗାଡ଼ି ଯୋଗାଡ଼ କରିବାକୁ ଲାଗିପଡ଼ିଥିଲେ। ହେଲେ ରାତିରେ ଘ‌େରାଇ ଗାଡ଼ି ସରେଇକେଲା ଯିବା ପାଇଁ ୧୦ହଜାର ଟଙ୍କା ଦାବି କରିଥିଲେ। ହେଲେ ଏତିକି ଟଙ୍କା ନଥିବାରୁ କୈବଲ୍ୟ ପ୍ରାୟ ୬ଘଣ୍ଟା ଧରି ଭଉଣୀର ଶବକୁ ହସ୍ପିଟାଲ ବାରଣ୍ଡାରେ ଜଗି ରହିଥିଲେ। ପରେ ସଂକଳ୍ପ ପରିବାରର ସଦସ୍ୟମାନେ ଶବକୁ ଘରକୁ ନେବାକୁ ବ୍ୟବସ୍ଥା କରିଥିଲେ। ଅନ୍ୟପକ୍ଷରେ ଏହି ଘଟଣା ବହୁ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ମହାପ୍ରୟାଣ ଗାଡ଼ି ତୁରନ୍ତ ସେବାରେ ଲଗାଇବାକୁ ଆପ୍‌ର ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମରିୟମ ବାର୍ଲା, ଅସିତ ସାହୁ, ପୌଲସ୍ତ୍ୟ ସାହା ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର