ରାୟଗଡ଼ା: ଗଞ୍ଜେଇ କିଙ୍ଗ୍ପିନ୍ ଆନନ୍ଦ ମିଶ୍ରଙ୍କୁ ଜେରା କରିବାକୁ ରାୟଗଡ଼ା ଆସିବ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ। ମହାରାଷ୍ଟ୍ରରେ ଜବତ ହୋଇଥିବା ଗଞ୍ଜେଇ ଭର୍ତ୍ତି କଣ୍ଟେନର ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ଆନନ୍ଦଙ୍କୁ। ମାମଲାର ତଦନ୍ତ ଏବେ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଖୁବଶୀଘ୍ର କ୍ରାଇମବ୍ରାଞ୍ଚର ଏକ ଟିମ୍ ରାୟଗଡ଼ା ଆସିବା ନେଇ ଜିଲ୍ଲା ପୁଲିସ ସହ ଆଲୋଚନା କରିଛି। ୨୦୨୦ ମସିହାରେ ଆନନ୍ଦ ମିଶ୍ର ନିଜ ସହଯୋଗୀଙ୍କ ସହ ଓଡ଼ିଶାରୁ ଏକ କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରି ମହାରାଷ୍ଟ୍ରକୁ ଚାଲାଣ କରୁଥିଲେ। ଏକ କାରରେ ବସି ଆନନ୍ଦ ଗଞ୍ଜେଇ ଭର୍ତ୍ତି କଣ୍ଟେନରକୁ ଏସକଟ୍ କରି ନେଉଥିବା ମହାରାଷ୍ଟ୍ର ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲେ।
ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ନିକଟରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ କଣ୍ଟେନରକୁ ଅଟକାଇଥିଲେ। ପୁଲିସକୁ ଦେଖି କଣ୍ଟେନର ଛାଡ଼ି ଏସକଟ୍ ଗାଡ଼ି ମାଧ୍ୟମରେ ନିଜ ସହଯୋଗୀଙ୍କ ସହ ଆନନ୍ଦ ମିଶ୍ର ଫେରାର ହୋଇ ଯାଇଥିଲେ। ଭଣ୍ଡାରା ଜିଲ୍ଲା ପୁଲିସ ଗଞ୍ଜେଇ ଭର୍ତ୍ତି କଣ୍ଟେନରକୁ ଜବତ କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବା ପରେ ଚୋରା ଚାଲାଣର ଚେର ଓଡ଼ିଶାକୁ ଲମ୍ବିଥିବା ସୂଚନା ପାଇଥିଲା। ଖୋଳତାଡ଼ ସମୟରେ ମହାରାଷ୍ଟ୍ର ପୁଲିସ ଆନନ୍ଦ ମିଶ୍ରଙ୍କ ସଂପର୍କରେ ଜାଣିବା ପରେ ମାମଲା ରୁଜୁ କରିବା ସହ ମୋଷ୍ଟ ୱାଣ୍ଟେଡ୍ ତାଲିକା ଜାରି କରିଥିଲା। କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ଯୋଗୁ ମହାରାଷ୍ଟ୍ର ଗୃହ ବିଭାଗ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଥିଲା। ମହାରାଷ୍ଟ୍ରରେ ଗଞ୍ଜେଇ ଚୋରା ଚାଲାଣକୁ ନେଇ ରୁଜୁ ହୋଇଥିବା ବିଭିନ୍ନ ମାମଲାର ଲିଙ୍କକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ସହ ଆନନ୍ଦଙ୍କ ନେଟୱାର୍କ ସଂପର୍କରେ ଓଡ଼ିଶା ପୁଲିସ ସହ ଆଲୋଚନା କରିଥିଲା।
ହେଲେ ଓଡ଼ିଶା ପୁଲିସ କିମ୍ବା ମହାରାଷ୍ଟ୍ର ପୁଲିସ ଆନନ୍ଦଙ୍କ ସଂପର୍କରେ କୌଣସି ଟେର୍ ପାଇ ପାରୁନଥିଲେ। ମହାରାଷ୍ଟ୍ର ପୁଲିସକୁ ଚକମା ଦେଇ ଖସି ଆସିବା ପରେ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡ଼ା ସମେତ ଗଜପତି ଜିଲ୍ଲାର ଅଡ଼ବା, ମୋହନା ଅଞ୍ଚଳରୁ ଆନନ୍ଦ ପୂର୍ବଭଳି ଗଞ୍ଜେଇ ଚୋରା ଚାଲାଣ ଜାରି ରଖିଥିଲେ। ଚଢ଼ାଉ ସମୟରେ ୨/୩ଟି ଚୋରା ଚାଲାଣ ଗ୍ୟାଙ୍ଗକୁ ବିଷମକଟକ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ କାବୁ କରିବା ପରେ ଆନନ୍ଦ ମିଶ୍ରଙ୍କ ଲିଙ୍କ୍ ପାଇଥିଲା। ବହୁ ଚେଷ୍ଟା ପରେ ଶେଷରେ ଗତ ୨ ତାରିଖରେ ଚନ୍ଦ୍ରପୁର ପୁଲିସ ବିଷମକଟକ ଏସ୍ଡିପିଓ ଶ୍ରୀ ସାହୁଙ୍କ ନେତୃତ୍ବରେ ହନୁମନ୍ତପୁରରୁ ଆନନ୍ଦଙ୍କ ସହ ୫ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।
ଆନନ୍ଦଙ୍କ ନିକଟରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ ହେବା ପରେ ପୁଲିସ ଚିନ୍ତାରେ ପଡ଼ିବା ସହ ଆନନ୍ଦଙ୍କ ଗଞ୍ଜେଇ କଳା ସାମ୍ରାଜ୍ୟକୁ ନେଇ ଖୋଳତାଡ଼ ଜାରି ରଖିଛନ୍ତି। ଆନ୍ତଃ ରାଜ୍ୟ ମାଫିଆଙ୍କ ସହ ଆନନ୍ଦଙ୍କ ଲିଙ୍କ୍ ଏବଂ ଓଡ଼ିଶାର ଅନ୍ୟ କୌଣସି ଥାନାରେ ଆନନ୍ଦଙ୍କ ନାଁରେ ମାମଲା ରହିଛି କି ନାହିଁ ସେ ଦିଗରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଆନନ୍ଦଙ୍କ ଗିରଫ ଖବର ମହାରାଷ୍ଟ୍ର କ୍ରାଇମ୍ରବାଞ୍ଚ ପାଇବା ପରେ ଇନସପେକ୍ଟର ରାଙ୍କ୍ର ଜଣେ ଅଧିକାରୀଙ୍କ ନେତୃତ୍ବରେ ଖୁବଶୀଘ୍ର ଏକ ଟିମ୍ ରାୟଗଡ଼ା ଆସୁଥିବା ସୂଚନା ମିଳିଛି। ଗଞ୍ଜେଇ କିଙ୍ଗ୍ପିନ୍ ଆନନ୍ଦଙ୍କ ମୁଖ୍ୟ ସହଯୋଗୀ ହନୁମନ୍ତପୁରର ସୁନୀଲ ବଳିଆରକୁ ମଧ୍ୟ ଚନ୍ଦ୍ରପୁର ପୁଲିସ ଗିରଫ କରିଥିବାରୁ ଆଗାମୀ ଦିନରେ ଗଞ୍ଜେଇ ଚୋରା ଚାଲାଣ ଥମିବା ନେଇ ପୁଲିସ ଆଶାବାଦୀ ଅଛି।