ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱର ଏକ ବିରଳ ବ୍ୟକ୍ତିତ୍ୱର ଅଧିକାରୀ: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି

‘ଗାନ୍ଧିଜୀଙ୍କର ସ୍ୱପ୍ନର ଆତ୍ମନିର୍ଭର ଭାରତ’ ଶୀର୍ଷକ ଅନ୍‌ଲାଇନ ପାଠଚକ୍ର

ବାରିପଦା: ମହାମାନବ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଦିବସ ଅବସରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ମୁକ୍ତ ଶାଖା ପକ୍ଷରୁ ମିଳିତ ଭାବେ ‘ଗାନ୍ଧିଜୀଙ୍କର ସ୍ୱପ୍ନର ଆତ୍ମନିର୍ଭର ଭାରତ’ ପ୍ରସଙ୍ଗରେ ଏକ ଅନଲାଇନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଏହି ପାଠଚକ୍ରକୁ ଉଦ୍‌ଘାଟନ କରିଥିଲେ।

ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କୁଳପତି ପ୍ରଫେସର ଚାନ୍ଦ ମହାତ୍ମା ଗାନ୍ଧୀଙ୍କୁ ସମଗ୍ର ବିଶ୍ୱର ଏକ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ଅଭିହିତ କରିବା ସହିତ ଗାନ୍ଧିଜୀଙ୍କର ସୁଦୂରପ୍ରସାରୀ ଚିନ୍ତାଧାରା ଆଧାରରେ ସୁଚିନ୍ତିତ ପରିକଳ୍ପନା ଭିତ୍ତିକ ଏକ ନବଜାଗରଣ ସୃଷ୍ଟିକୁ ପାଥେୟ କରି ସକରାତ୍ମକ ସାଂଗଠନିକ କାର୍ଯ୍ୟକ୍ରମ, ସରକାରୀ ପ୍ରୋତ୍ସାହନ, ଅଭିନବ ତଥା ବଳିଷ୍ଠ ଜାତୀୟ ନୀତି ନିର୍ଦ୍ଧାରଣ ଏବଂ ପ୍ରଚଳନ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନ ଏବଂ ବିଶ୍ୱରେ ଭାରତର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାର ଗାନ୍ଧିଜୀଙ୍କର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସଂକଳ୍ପ ବଦ୍ଧ ହେବା ପାଇଁ ଆହ୍ୱାନ ଜଣାଇଥିଲେ ।

ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜିକା ଉଷା ଶତପଥୀ, ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଜାତୀୟ ସେବା ଯୋଜନା ନିର୍ଦ୍ଦେଶକ ତଥା ସରକାରୀ କାର୍ଯ୍ୟକ୍ରମ ପରାମର୍ଶଦାତା କମଲ କୁମାର କର ପ୍ରମୁଖ ବିଗତ ୫୦ ବର୍ଷ ଧରି ଜାତୀୟ ସେବା ଯୋଜନା ତାର କାର୍ଯ୍ୟକ୍ରମ ସୁଚିନ୍ତିତ ମାର୍ଗରେ କରୁଥିବା ବେଳେ କୋଭିଡ-୧୯ ସମୟରେ ମଧ୍ୟ ଉପଯୁକ୍ତ ଢଙ୍ଗରେ କାର୍ଯ୍ୟନିର୍ବାହ କରିଥିବାର ଉଦାହରଣ ଦେଇଥିଲେ ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପସଚିବ ତଥା ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ସୁରେଖା ସୁନ୍ଦରୀ ସ୍ୱାଇଁ, ମୟୂରଭଞ୍ଜ, ଗାନ୍ଧୀ କମିଟୀର ସଭାପତି ତଥା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବନଜା ମହାନ୍ତି ଗାନ୍ଧିଜୀଙ୍କର ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ଚରିତାର୍ଥ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବିଗାନ୍ଧୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମାଜ ସେବୀ ଆଦିତ୍ୟ ପଟ୍ଟନାୟକ, ଜାତୀୟ ସେବାଯୋଜନା ତାଲିମ ଶିକ୍ଷକ ନୀରଦ ବରଣ ଖୁଣ୍ଟିଆ, ଏନଏସଏସ ଆଞ୍ଚଳିକ ନିର୍ଦ୍ଦେଶକ ରମାୱତ.ସାଇଦା ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶୁଭେନ୍ଦୁ ଦାସ ପ୍ରମୁଖ ଏହି ଅବସରରେ ମତବ୍ୟକ୍ତ କରିଥିଲେ। ପରିଶେଷରେ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ମୁକ୍ତ ଶାଖା କାର୍ଯ୍ୟକ୍ରମ ଅଧିକାରୀ ତଥା ୱେବିନାର୍‌ ସଂଯୋଜକ ସ୍ମୃତିରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର