ଭବାନୀପାଟଣା : ଓଡ଼ିଶାରେ କଳା, ସାହିତ୍ୟ , ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ମହାଵୀର ସାଂସ୍କୃତିକ ଅନୁଷ୍ଠାନ ର ଭୂମିକା ଅତୁଳନୀୟ ଅଟେ । କୋଭିଡ ନିୟମକୁ ପାଳନ କରି ନିରବଚ୍ଛିନ୍ନ ପାରମ୍ପରିକ ଭାବରେ ୫୬ ତମ ମହାଵୀର ମହୋତ୍ସବ ପାଳନ କରିବା ଜିଲ୍ଲା ପାଇଁ କମ ଗର୍ଵର କଥା ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବର୍ଷିଆନ ସାହିତ୍ୟିକ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ ।
ଭବାନୀପାଟଣା ସହରସ୍ଥିତ ମହାଵୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା ଯୋଗ ଦେଇଥିଲେ । ସହ ସମ୍ପାଦକ ସଞ୍ଜୀବ ସିଂହ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପସଭାପତି ଶାନ୍ତନୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସ୍ମରଣୀକା ଗିରିଝର ଓ ସହ ସମ୍ପାଦକ ସଞ୍ଜୀବ ସିଂହଙ୍କ "ଗୀତି କବିତାର ଝରାଫୁଲ ଆଶା"କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଗିରିଝର ର ସମ୍ପାଦକ ସଞ୍ଜୟ କୁମାର ସ୍ମରଣିକା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପରେ ଚଳିତ ବର୍ଷ କ୍ରୀଡା କ୍ଷେତ୍ରରେ ବିଭୁତି ଭୂଷଣ ପଣ୍ଡା, ଚିତ୍ରକଳା ରେ ଡ଼ା. ଦୀନବନ୍ଧୁ ସାହୁ, ସାମ୍ବାଦିକତାରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି, ସମାଜସେବୀ ଅଶୋକ କୁମାର ଦାସ, ନାଟକ ରେ ଶୁସିଲ ଗହୀର, ଘୁମୁରା ରେ ପ୍ରଦୀପ କୁମାର ସିଂହ ଓ କ୍ଷୀରସିନ୍ଧୁ ନାଏକ, ସାହିତ୍ୟରେ ସୁଧୀର ମେହେର, କୃତୀସଭ୍ୟ କାର୍ତ୍ତିକେଶ୍ୱର ପଣ୍ଡା, ନୃତ୍ୟରେ ମାନସ ରଞ୍ଜନ ଧଙ୍ଗଡ଼ାମାଝୀ ଏବଂ କାହ୍ନା ବେହେରା ଓ ଶୁଭ୍ରପ୍ରିୟା ବାଗଙ୍କୁ ମହାଵୀର ଯୁବ କଳାକାର ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ।
ପୁରସ୍କାର ବିତରଣ ଉତ୍ସବ ପରେ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାର ମେଡ଼ିସିନ ସ୍ପେସାଲିଷ୍ଟ ଡ଼ା. ଦୀନବନ୍ଧୁ ସାହୁଙ୍କ ଦ୍ଵାରା କରୋନା ସମ୍ପର୍କିତ ସଚେତନତା ୧୬ତମ ସୋଲୋ ଫାଇନ ଆର୍ଟ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିଥିଲା । ମହାଵୀର ମହୋତ୍ସବ କୋଭିଡ ଗାଇଡ଼ଲାଇନ ଓ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ପ୍ରଦୀପ କୁମାର ସିଂହ , ପ୍ରତାପ ଚନ୍ଦ୍ର ଦାସ, ଜଗଦୀଶ ମଣ୍ଡଳ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ ସିଂହ, ଲଳିତ କୁମାର ପଣ୍ଡା, କ୍ରୀଡ଼ା ସମ୍ପାଦକ ସୁଶୀଳ ଗହୀର, ଶୁଭ୍ରାଂଶୁ ଶେଖର ସାହୁ, ସୁରୁ ବାରିକ, ଭୀମସେନ ସାହୁ, ଗିରିଜା ଶଙ୍କର ବାବୁ, ମଳୟ ମୁଣ୍ଡ, ରାଜେନ୍ଦ୍ର ବେହେରା, ସୁରେଶ ଥନାପତି ପ୍ରମୁଖ ସହଯୋଗ କରିଥିଲେ ।