ଆଦିବାସୀଙ୍କ ଆର୍ଥିକ ସ୍ଥିତି ମଜବୁତ କରୁଛି ମହୁଲ

ମାଲକାନଗିରି: ଆସିଛି ମହୁଲ ଫୁଲର ଋତୁ। ଗାଁ ଠାରୁ ଆରମ୍ଭ କରି ଜଂଗଲ ଯାଏଁ ସବୁଠାରେ ମହୁଲ ଫୁଲ ଲୋଦି ହୋଇ ପଡିଛି। ବିଶେଷକରି ମାଲକାନଗିରି ଜିଲ୍ଲାର ବଣ ଜଂଗଲ ଘେରା ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏବେ ମହୁଲ ଫୁଲ ସଂଗ୍ରହ କରିବାର ବେଳ। ସେ ସଂଗ୍ରହ କରୁଥିବା ବିଭିନ୍ନ ପ୍ରକାର ଜଂଗଲଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ ଅର୍ଥକାରୀ ଦ୍ରବ୍ୟ। ଜଂଗଲରୁ ମହୁଲ ଫୁଲ ସଂଗ୍ରହକରି ନିଜ ବ୍ୟବହାର ପାଇଁ ଯେତିକ ଆବଶ୍ୟକ ସେତିକି ରଖିବା ସହ ବଳକା ଫୁଲକୁ ନିକଟସ୍ଥ ହାଟବଜାରରେ ବିକ୍ରି କରିଥାନ୍ତି। ପ୍ରାୟ ଦୁଇ ମାସରୁ ଅଧିକା ସମୟ ଧରି ଆଦିବାସୀ ମହିଳାମାନେ ମହୁଲ ଫୁଲ ବିକ୍ରି କରି ବେଶ ଦିପଇସା ରୋଜଗାର କରନ୍ତି। ମହୁଲ ଫୁଲ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସହାୟକ ହୋଇଛି।

ସାଧାରଣତଃ ଶୁଖିଲା ମହୁଲ ଫୁଲରୁ ମଦ ପ୍ରସ୍ତୁତ କରାଯାଇଥାଏ। ଏହି ମଦ ଆଦିବାସୀମାନଙ୍କ ସାଧାରଣ ଜୀବନ ସହିତ ଅଙ୍ଗାଙ୍ଗି ଭାବେ ଜଡିତ ଥିବାରୁ ସେମାନେ ଏହାକୁ ବିଶେଷ ପ୍ରାଧନ୍ୟ ଦେଇଥାନ୍ତି। ମହୁଲ ଗଛ ଉପରେ ଆଦିବାସୀମାନଙ୍କ ଏକ ପ୍ରକାର ଅଘୋଷିତ ମାଲିକାନା ରହିଥାଏ।ଯେଉଁମାନଙ୍କର ବିଲ, ଜଂଗର, ଖୋଳା, ବାଡିରେ ମହୁଲ ଗଛ ଥାଏ ତାହା ସେମାନଙ୍କର ନିଜସ୍ବ ସଂପତ୍ତି। କିନ୍ତୁ ଗାଁ ପାଖ ଜଂଗଲ ଠାରୁ ଆରମ୍ଭକରି ନିକଟସ୍ଛ ଘଂଚ ଜଂଗଲ ଭିତରେ ରହିଥିବା ମହୁଲ ଗଛ ଉପରେ ମଧ୍ୟ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିଥାନ୍ତି।

ଶୀତ ଋୁତୁ ସରିଆସିବା ବେଳକୁ ମହୁଲ ଗଛରେ ମହୁଲ ଫୁଲ ଫୁଟିବା ଆରମ୍ଭ ହୋଇଥାଏ। ବସନ୍ତ ଋୁତୁର ଆରମ୍ଭରେ ମହୁଲ ଗଛରେ ମହୁଲ ଫୁଲ ଲଦି ହୋଇଯାଇଥାଏ। ମହୁଲ ଫୁଲ ରଂଗ ଦେଖିବାକୁ ସାମାନ୍ୟ ଧଳା ଏବଂ ଗୋଲାକାର। ଯେତେବେଳେ ଗଛରେ ଫୁଲ ଭର୍ତ୍ତି ହୋଇଯାଏ ସେତେବେଳେ ଆଦିବାସୀ ପଲ୍ଲୀଗୁଡିକରେ ରହୁଥିବା ମଣିଷ ବେଶ୍ ଚଳଚଞ୍ଚଳ ହୋଇଉଠନ୍ତି। ନିଜ ଅଧିନରେ ରହିଥିବା ଗଛଗୁଡିକର ଫୁଲ ନିଜେ ସଂଗ୍ରହ କରୁଥିବା ବେଳେ ପାଖ ଜଂଗଲରେ ରହିଥିବା ଗଛଗୁଡିକର ଫୁଲ ଗୋଟାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ।ପିଲା ଠାରୁ ବୁଢାଯାଏଁ ସମସ୍ତେ ଫୁଲ ଗୋଟାଇବା ଗଛ ମୂଳରେ ଡେରା ପକାଇଥାନ୍ତି। ପ୍ରତିଯୋଗିତା ଏତେ ତୀବ୍ର ହୁଏଯେ ରାତି ନପାହୁଣୁ ଲୋକେ ଢୁକେ ମାଣ୍ଡିଆ ପେଜ ପିଇଦେଇ ସିଧା ଗଛ ମୂଳରେ ଯାଇ ହାଜର ହୋଇଯାନ୍ତି।

ନିଜ ସାଥିରେ ନେଇଯାଇଥିବା ବାଉଁଶ ଢାଲାରେ ଫୁଲ ଭର୍ତ୍ତି ନହେବା ଯାଏଁ ଗଛରୁ ଗଛକୁ ଧାଁ ଦୌଡ କରିଥାନ୍ତି। ରାତି ପାହିବା ପୂର୍ବରୁ ଜଂଗଲ ଭିତରକୁ ଫୁଲ ସଂଗ୍ରହ କରିବାକୁ ଯାଇ ଅନେକ ସମୟରେ ଭାଲୁ ହାବୁଡରେ ପଡି ମୃତାହତ ହେବାର ବହୁ ନଜିର ରହିଥିଲେ ମଧ୍ୟ ଲୋକେ ସେସବୁକୁ ଖାତିରି କରିନଥାନ୍ତି। ମହୁଲ ଫୁଲ ସ୍ବାଦ ମିଠା ଥିବା ଯୋଗୁଁ ଦଳ ଦଳ ଗାଈଗୋରୁ ଟାରୁ ଆରମ୍ଭକରି ଭାଲୁ ମହୁଲ ଫୁଲ ଖାଇବାକୁ ବଣରୁ ଓହ୍ଲାଇ ଆସିବା ବେଳେ ଲୋକମାନଙ୍କ ସହ ଭେଟାଭେଟି ହୋଇଯାନ୍ତି। ତେବେ ସଂଗ୍ରହ କରାଯାଇଥିବା ମହୁଲ ଫୁଲଗୁଡିକକୁ ପ୍ରଥମେ ଖରାରେ ଶୁଖାଇ ଦିଆଯାଇଥାଏ। ସଂପୂର୍ଣ୍ଣ ଶୁଖିବା ପରେ ଏହାକୁ ହାଟ ବଜାରରେ ବିକ୍ରି କରିଥାନ୍ତି।ଅବକାରୀ ବିଭାଗ ତଥା ପଞ୍ଚାୟତ ତରଫରୁ ଲାଇସେନସ ପାଇଥିବା ବେପାରୀମାନେ ଏହି ଶୁଖିଲା ମହୁଲ ଫୁଲକୁ କିଣିଥାନ୍ତି। ପରବର୍ତ୍ତୀ ସମୟରେ ବେପାରୀମାନେ ଏହାକୁ ଜିଲ୍ଲା ତତା ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି।

ମଦ ତିଆରି ପାଇଁ ବିଭିନ୍ନ ପ୍ରକାର ଶସ୍ୟ ରହିଥିଲେ ମଧ୍ୟ ମହୁଲ ଫୁଲରୁ ତିଆରି ହୋଇଥିବା ମଦ ଚହିଦା ଅଧିକା ଥାଏ। କିନ୍ତୁ ଏବେ ଛୋଟ ବେପାରୀମାନେ ଗାଁ ଗାଁରେ ପଶି ଲୋକମାନଙ୍କ ଠାରୁ ଅତି କମ୍ ଦାମରେ ମହୁଲ ଫୁଲ କିଣି ନେଇଥିବା ଦେଖିବାକୁ ମିଳିଛି। ମଦ ପ୍ରସ୍ତୁତ ଛଡା ଗାଈଗୋରୁମାନଙ୍କୁ ମଧ୍ୟ ମହୁଲ ଫୁଲ ଖାଦ୍ୟ ରୂପେ ଦିଆଯାଇଥାଏ।

ଏହାଦ୍ବାରା ଦୁଧିଆଳୀ ଗାଈ ଅଧିକା ଦୁଧ ଦେଉଥିବାରୁ ଗାଈମାଲିକମାନେ ଅନେକ ସମୟରେ ମହୁଲ କିଣିଥାନ୍ତି। ତେବେ ଆଜିକାଲି ବିଭିନ୍ନ କାରଣରୁ ଜଂଗଲ କ୍ଷୟ ହେଉଥିବାରୁ ମହୁଲ ଗଛ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଲାଣି। ଯାହାଫଳରେ ମହୁଲ ଫୁଲର ସଂଗ୍ରହ ଓ ଏହାର ବିକ୍ରି ମଧ୍ୟ କମିବାରେ ଲାଗିଲାଣି। ଏଠାରେ ଉଲ୍ଲେଖନୀୟ ଏହା ଯେ ମହୁଲ ଗଛର ଫଳକୁ ଟୋଲା କୁହାଯାଏ। ଏହା ମଧ୍ୟ ଆଦିବାସୀଙ୍କ ଅର୍ଥକାରୀ ଦ୍ରବ୍ୟ। ଟୋଲାରୁ ଆଦିବାସୀମାନେ ପାରଂପାରିକ ରୀତିରେ ତେଲ ବାହାର କରିଥାନ୍ତି। ଟୋଲା ତେଲର ଔଷଧୀୟ ଗୁଣ ରହିଥିବାରୁ ଆଦିବାସୀମାନେ ହାଟ ବଜାରରୁ ଏହାକୁ କିଣି ନେଉଥିବା ଦେଖିବାକୁ ମିଳିଥାଏ। ସେ ଯାହାବି ହେଉ ମାଲକାନଗିରି ଜିଲ୍ଲାର ଆଦିବାସୀମାନଙ୍କ ଜୀବନ ଜୀବିକାର ଏକ ମୁଖ୍ୟ ସ୍ରୋତ ହୋଇଥିବାରୁ ମହୁଲ ଫୁଲ ଦାମ ଅଧିକା ରଖାଯିବା ପାଇଁ ଦାବି ହୋଇ ଆସୁଛି। ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡକୁ ହଜାର ହଜାର କ୍ବିଣ୍ଟାଲ ମହୁଲ ମାଲକାନଗିରିରୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର