ଦଲାଲ ନିୟନ୍ତ୍ରଣରେ ମହୁଲ ଗୋଟାଳି, ମିଳୁ ନାହିଁ ଉଚିତ ପ୍ରାପ୍ୟ  

ଝାରସୁଗୁଡ଼ା: ଗୋଟିଏ ପଟେ ଝାରସୁଗୁଡ଼ା ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କୁହାଯାଉଥିବା ବେଳେ ଅନ୍ୟ ପଟେ ଖଟିଖିଆ, ଚାଷୀ, ଶ୍ରମିକ ପ୍ରତିକ୍ଷେତ୍ରରେ ଶୋଷଣର ଶିକାର ହୋଇ ଆସୁଛନ୍ତି। ଚାଷ କ୍ଷେତ୍ର ହେଉ କିମ୍ବା ଅନ୍ୟ କ୍ଷେତ୍ରରେ ହେଉ ସବୁଠାରେ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏହାର ପ୍ରତିକାର ହେଉନାଥିବା ଜଣାଯାଇଛି। ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ନଥିବା ଯୋଗୁଁ  ବର୍ଷକ ଥରେ ଏଠାରେ ଚାଷ ହୋଇଥାଏ। ଚାଷ କାର୍ଯ୍ୟରେ ଲାଗୁଥିବା ଶ୍ରମିକ ଅନ୍ୟ ସମୟରେ କେନ୍ଦୁପତ୍ର ତୋଳିବା ଓ ମହୁଲ ଗୋଟାଇବା କାମରେ ନିୟୋଜିତ ହୋଇଥାନ୍ତି। ମାତ୍ର ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ଉଚିତ ପ୍ରାପ୍ୟ ପାଉନଥିବା ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ଏବେ ମହୁଲ ଋତୁ ଚାଲିଥିବାରୁ  ମହୁଲ ଫୁଲ ସଂଗ୍ରହ କାର୍ଯ୍ୟରେ ଏବେ ହଜାର ହଜାର ଲୋକ ନିଜକୁ ନିୟୋଜିତ କରିଛନ୍ତି। ତେବେ ଏହି ମହୁଲ ଗୋଟାଳି ମାନେ ତାଙ୍କର ଉଚିତ ପ୍ରାପ୍ୟ ପାଉନଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାର ଲଖନପୁର, କୋଲାବିରା, ଲଇକେରା, କର୍ମିରା ଆଦି ବ୍ଲକରେ ବହୁ ଲୋକ ଏହି ମହୁଲ ଫୁଲ ସଂଗ୍ରହ କରି କିଛି ଅର୍ଥ ରୋଜଗାର କରିଥାନ୍ତି।

ତେବେ ମହୁଲ ଫୁଲ ବିକ୍ରୟ ବ୍ୟବସ୍ଥା ଠିକ୍‌ ଭାବରେ ହେଉନଥିବା ଏବଂ ଏହାକୁ  ରଖିବା ପାଇଁ ଉପଯୁକ୍ତ ସ୍ଥାନର ଅଭାବ ଯୋଗୁଁ   ଗରିବ ‌ଲୋକ  ମାନେ ଦିନ ତମାମ ସଂଗ୍ରହ କରୁଥିବା ମହୁଲ ଫୁଲକୁ  ଦଲାଲ ମାଧ୍ୟମରେ ବିକ୍ରି କରନ୍ତି। ଦଲାଲ ମାନେ ୧୦ ରୁ ୧୫ ଟଙ୍କା ଦେଇ ଏହି ମହୁଲ ଫୁଲ କ୍ରୟ କରି ମଦଭାଟିକୁ ଯୋଗାଇ ଥାନ୍ତି। ଜଙ୍ଗଲିଆ ଗ୍ରାମ ଗୁଡ଼ିକରେ ରହୁଥିବା ମହୁଲ ଗୋଟାଳି ମାନେ ପ୍ରତିଦିନ ଭୋର ୪ ଟାରୁ ପଖାଳ ଧରି ମହୁଲ ଫୁଲ ଗୋଟାଇବାକୁ  ଜଙ୍ଗଲକୁ ଚାଲି ଯାଆନ୍ତି। ଏହି କାମରେ ବିଶେଷ କରି ଆଦିବାସୀ ସଂପ୍ରଦାୟର ଲୋକ ବେଶୀ ସଂଖ୍ୟାରେ ସାମିଲ ଥାନ୍ତି।

ଧାନଚାଷ ଓ ପନିପରିବା ପରେ ମହୁଲ ଏମାନଙ୍କୁ କିଛି ରୋଜଗାର ଯୋଗାଇ ଦେଉଥିବାରୁ  ଏମାନେ ଗ୍ରୀଷ୍ମ ଋତୁରେ ଏହି ସମୟରେ ମହୁଲ ଗୋଟାଇବା କାମରେ ଲାଗିଥାନ୍ତି। ତେବେ ମହୁଲ ଫୁଲ ସଂଗ୍ରହ କରି ତାକୁ ବିକ୍ରି କରି ପାରୁନଥିବାରୁ ଏମାନେ ଆର୍ଥିକ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି। ଗୋଟିଏ ପଟେ ମହୁଲ ଫୁଲ ଆଦାୟ କମି ଯାଉଥିବା ବେଳେ ବିକ୍ରିବଟାରେ ସମସ୍ୟା ଉପଯୁକ୍ତ ବଜାରର ଅଭାବ ମହୁଲ ଗୋଟାଳିଙ୍କୁ କ୍ଷତିଗ୍ରସ୍ତ କରିଛି। ଲଖନପୁର ବ୍ଲକର ୧୯ ଖଣ୍ଡମୌଜା ଚାଟିପାଲି, କନକତୋରା, ଜାମଗାଁ, କଦମଡିହି, ଗୋବିନ୍ଦପୁର, ତିଲିଆ, ଚାରମାଲ, ପଞ୍ଚଗାଁ, ନ‌ାଚେନମୁରା, ଲଖନପୁର ସମତେ ବିଭିନ୍ନ ଗ୍ରାମର ମହୁଲ ଗୋଟାଳି ପ୍ରକୃତ ମୂଲ୍ୟ ପାଇ ପାରୁନାହାନ୍ତି। ସରକାର ବନଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧ‌ାରଣ ଦାୟିତ୍ବ  ୨୦୧୧ ମସିହାରୁ ପଞ୍ଚାୟତକୁ ହସ୍ତାନ୍ତର କରିଥିଲେ ମଧ୍ୟ କୌଣସି ପଞ୍ଚାୟତ ଏଥିରେ ହସ୍ତକ୍ଷେପ କରୁନଥିବା ଅଭିଯୋଗ ହୋଇଛି। ସରକାର ତୁରନ୍ତ ମହୁଲ ଦର ଧାର୍ଯ୍ୟ କରି ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର