ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସହାୟକ ହୋଇଛି ମହୁଲ ଫୁଲ

ବୈପାରିଗୁଡା: ଶୀତ ଋତୁ ସରି ସରି ଯାଉଛି। ଏବେ ବସନ୍ତ ଋତୁର ରାଜୁତି। ପତ୍ର ଝଡା ପରେ ସବୁ ଗଛରେ ନୂଆ କଅଁଳ ପତ୍ର କଅଁଳିଛି। ଏଥିସହ ଆସିଛି ମହୁଲ ଫୁଲର ଋତୁ। ଗାଁ ଠାରୁ ଆରମ୍ଭ କରି ଜଙ୍ଗଲ ଯାଏଁ ସବୁଠାରେ ମହୁଲ ଫୁଲ ଲଦି ହୋଇ ପଡିଛି। ଏଥିସହ ଆଦିବାସୀ ପଲ୍ଲୀ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତଙ୍କ ଭିତରେ ଯେମିତି ଚାଲିଛି ମହୁଲ ଫୁଲ ଗୋଟାଇବାରେ ଏକପ୍ରକାର ପ୍ରତିଯୋଗିତା।

ବିଶେଷକରି କୋରାପୁଟ ଜିଲ୍ଲାର ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକରେ ବସବାସ କରୁଥିବା ଲୋକ ମାନଙ୍କ ମଧ୍ୟରେ ଏବେ ମହୁଲ ଫୁଲ ସଂଗ୍ରହ କରିବାର ବେଳ। କେଉଁ କେତେ ଯୁଗରୁ ଆଦିବାସୀ ମଣିଷ ମହୁଲ ଗଛ ଉପରେ ନିର୍ଭର କରି ଚଳି ଆସୁଛି। ସେ ସଂଗ୍ରହ କରୁଥିବା ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ ଅର୍ଥକାରୀ ଦ୍ରବ୍ୟ। ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ନିଜ ବ୍ୟବହାର ପାଇଁ ଯେତିକି ଆବଶ୍ୟକ ସେତିକି ରଖିବା ସହ ବଳକା ଫୁଲକୁ ନିକଟସ୍ଥ ହାଟବଜାରରେ ବିକ୍ରି କରିଥାନ୍ତି। ପ୍ରାୟ ଦୁଇ ମାସରୁ ଅଧିକା ସମୟ ଧରି ଆଦିବାସୀ ମହିଳା ମାନେ ମହୁଲ ଫୁଲ ବିକ୍ରି କରି ବେଶ ଦିପଇସା ରୋଜଗାର କରନ୍ତି। ମହୁଲ ଫୁଲ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସହାୟକ ହୋଇଛି। ସାଧାରଣତଃ ଶୁଖିଲା ମହୁଲ ଫୁଲରୁ ମଦ ପ୍ରସ୍ତୁତ କରାଯାଇଥାଏ। ଏହି ମଦ ଆଦିବାସୀ ମାନଙ୍କ ସାଧାରଣ ଜୀବନ ସହିତ ଅଙ୍ଗାଙ୍ଗି ଭାବେ ଜଡିତ ଥିବାରୁ ସେମାନେ ଏହାକୁ ବିଶେଷ ପ୍ରାଧନ୍ୟ ଦେଇଥାନ୍ତି। ମହୁଲ ଗଛ ଉପରେ ଆଦିବାସୀ ମାନଙ୍କ ଏକ ପ୍ରକାର ଅଘୋଷିତ ମାଲିକାନା ରହିଥାଏ। ଯେଉଁ ମାନଙ୍କର ବିଲ, ଡଙ୍ଗର, ଖୋଳା, ବାଡିରେ ମହୁଲ ଗଛ ଥାଏ ତାହା ସେମାନଙ୍କର ନିଜସ୍ବ ସଂପତ୍ତି। କିନ୍ତୁ ଗାଁ ପାଖ ଜଙ୍ଗଲ ଠାରୁ ଆରମ୍ଭକରି ନିକଟସ୍ଥ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ମହୁଲ ଗଛ ଉପରେ ମଧ୍ୟ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିଥାନ୍ତି। ଶୀତ ଋତୁ ସରିଆସିବା ବେଳକୁ ମହୁଲ ଗଛରେ ମହୁଲ ଫୁଲ ଫୁଟିବା ଆରମ୍ଭ ହୋଇଥାଏ। ବସନ୍ତ ଋୁତୁର ଆରମ୍ଭରେ ମହୁଲ ଗଛରେ ମହୁଲ ଫୁଲ ଲୋଦି ହୋଇ ଯାଇଥାଏ।

ମହୁଲ ଫୁଲ ରଙ୍ଗ ଦେଖିବାକୁ ସାମାନ୍ୟ ଧଳା ଏବଂ ଗୋଲାକାର। ଯେତେବେଳେ ଗଛରେ ଫୁଲ ଭର୍ତ୍ତି ହୋଇଯାଏ ସେତେବେଳେ ଆଦିବାସୀ ପଲ୍ଲୀ ଗୁଡିକରେ ରହୁଥିବା ମଣିଷ ବେଶ ଚଳଚଞ୍ଚଳ ହୋଇ ଉଠନ୍ତି। ନିଜ ଅଧିନରେ ରହିଥିବା ଗଛ ଗୁଡିକର ଫୁଲ ନିଜେ ସଂଗ୍ରହ କରୁଥିବା ବେଳେ ପାଖ ଜଙ୍ଗଲରେ ରହିଥିବା ଗଛ ଗୁଡିକର ଫୁଲ ଗୋଟାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ। ମହିଳା ଠାରୁ କିଶୋରୀ ଯାଏଁ ସମସ୍ତେ ଫୁଲ ଗୋଟାଇବା ଗଛ ମୂଳରେ ଡେରା ପକାଇଥାନ୍ତି। ପ୍ରତିଯୋଗିତା ଏତେ ତୀବ୍ର ହୁଏଯେ ରାତି ନ ପାହୁଣୁ ଲୋକେ ଢୁକେ ମାଣ୍ଡିଆ ପେଜ ପିଇଦେଇ ସିଧା ଗଛ ମୂଳରେ ଯାଇ ହାଜର ହୋଇଯାନ୍ତି। ନିଜ ସାଥିରେ ନେଇଯାଇଥିବା ବାଉଁଶ ଢାଲାରେ ଫୁଲ ଭର୍ତ୍ତି ନହେବା ଯାଏଁ ଗଛରୁ ଗଛକୁ ଧାଁ ଦୌଡ କରିଥାନ୍ତି। ରାତି ପାହିବା ପୂର୍ବରୁ ଜଙ୍ଗଲ ଭିତରକୁ ଫୁଲ ସଂଗ୍ରହ କରିବାକୁ ଯାଇ ଅନେକ ସମୟରେ ଭାଲୁ ହାବୁଡରେ ପଡି ମୃତାହତ ହେବାର ବହୁ ନଜିର ରହିଥିଲେ ମଧ୍ୟ ଲୋକେ ସେସବୁକୁ ଖାତିରି କରିନଥାନ୍ତି। ମହୁଲ ଫୁଲ ସ୍ବାଦ ମିଠା ଥିବା ଯୋଗୁଁ ଦଳ ଦଳ ଗାଈଗୋରୁ ଟାରୁ ଆରମ୍ଭକରି ଭାଲୁ ମହୁଲ ଫୁଲ ଖାଇବାକୁ ବଣରୁ ଓହ୍ଲାଇ ଆସିବା ବେଳେ ଲୋକମାନଙ୍କ ସହ ଭେଟାଭେଟି ହୋଇଯାନ୍ତି। ତେବେ ସଂଗ୍ରହ କରାଯାଇଥିବା ମହୁଲ ଫୁଲ ଗୁଡିକକୁ ପ୍ରଥମେ ତିନି ଚାରି ଦିନ ଖରାରେ ଶୁଖାଇ ଦିଆଯାଇଥାଏ। ସଂପୂର୍ଣ୍ଣ ଶୁଖିବା ପରେ ଏହାକୁ ହାଟ ବଜାରରେ ବିକ୍ରି କରିଥାନ୍ତି। ଅବକାରୀ ବିଭାଗ ତଥା ପଞ୍ଚାୟତ ତରଫରୁ ଲାଇସେନସ ପାଇଥିବା ବେପାରୀମାନେ ଏହି ଶୁଖିଲା ମହୁଲ ଫୁଲକୁ କିଣିଥାନ୍ତି।

ପରବର୍ତ୍ତୀ ସମୟରେ ବେପାରୀ ମାନେ ଏହାକୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। ମଦ ତିଆରି ପାଇଁ ବିଭିନ୍ନ ପ୍ରକାର ଶସ୍ୟ ରହିଥିଲେ ମଧ୍ୟ ମହୁଲ ଫୁଲରୁ ତିଆରି ହୋଇଥିବା ମଦ ଚାହିଦା ଅଧିକା ଥାଏ। କିନ୍ତୁ ଏବେ ଛୋଟ ବେପାରୀ ମାନେ ଗାଁ ଗାଁରେ ପଶି ଲୋକ ମାନଙ୍କ ଠାରୁ ଅତି କମ୍ ଦାମରେ ମହୁଲ ଫୁଲ କିଣି ନେଇଥିବା ଦେଖିବାକୁ ମିଳିଛି। ମଦ ପ୍ରସ୍ତୁତ ଛଡା ଗାଈଗୋରୁମାନଙ୍କୁ ମଧ୍ୟ ମହୁଲ ଫୁଲ ଖାଦ୍ୟ ରୂପେ ଦିଆଯାଇଥାଏ। ଏହାଦ୍ବାରା ଦୁଧିଆଳୀ ଗାଈ ଅଧିକା ଦୁଧ ଦେଉଥିବାରୁ ଗାଈ ମାଲିକମାନେ ଅନେକ ସମୟରେ ମହୁଲ କିଣିଥାନ୍ତି। ତେବେ ଆଜିକାଲି ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେଉଥିବାରୁ ମହୁଲ ଗଛ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଲାଣି। ଯାହାଫଳରେ ମହୁଲ ଫୁଲର ସଂଗ୍ରହ ଓ ଏହାର ବିକ୍ରି ମଧ୍ୟ କମିବାରେ ଲାଗିଲାଣି। ଏଠାରେ ଉଲ୍ଲେଖନୀୟ ଏହା ଯେ ମହୁଲ ଗଛର ଫଳକୁ ଟୋଲା କୁହାଯାଏ। ଏହା ମଧ୍ୟ ଆଦିବାସୀଙ୍କ ଅର୍ଥକାରୀ ଦ୍ରବ୍ୟ। ଟୋଲାରୁ ଆଦିବାସୀମାନେ ପାରମ୍ପରିକ ରୀତିରେ ତେଲ ବାହାର କରିଥାନ୍ତି। ଟୋଲା ତେଲର ଔଷଧୀୟ ଗୁଣ ରହିଥିବାରୁ ଆଦିବାସୀ ମାନେ ହାଟ ବଜାରରୁ ଏହାକୁ କିଣି ନେଉଥିବା ଦେଖିବାକୁ ମିଳିଥାଏ। ସେ ଯାହାବି ହେଉ କୋରାପୁଟ ଜିଲ୍ଲା ବୈପାରିଗୁଡାର ଆଦିବାସୀମାନଙ୍କ ଜୀବନ ଜୀବିକାର ଏକ ମୁଖ୍ୟ ସ୍ରୋତ ହୋଇଥିବାରୁ ମହୁଲ ଫୁଲ ଦାମ ଅଧିକା ରଖାଯିବା ପାଇଁ ଦାବି ହୋଇ ଆସୁଛି। ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡକୁ ହଜାର ହଜାର କ୍ବିଣ୍ଟାଲ ମହୁଲ କୋରାପୁଟରୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର