ସୁନ୍ଦରଗଡ଼ : ସବୁଜ ସୁନା କେନ୍ଦୁପତ୍ର ପରେ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କ ଜୀବିକା ବା ଅନ୍ନ ସ˚ସ୍ଥାନର ବଡ଼ ଉପାଦାନ ହେଉଛି ମହୁଲ। କିନ୍ତୁ ଏହାର ସଂଗ୍ରହ ଓ କ୍ରୟର ସରକାରୀ ବ୍ୟବସ୍ଥାକୁ ଦେଖିଲେ ଅନ୍ୟ ଲଘୁବନଜାତ ଦ୍ରବ୍ୟ ଭଳି ଏହା ମଧ୍ୟ ବେପାରୀଙ୍କ କବ୍ଜାରେ। ନିୟମ ଅନୁସାରେ, ପ୍ରତି ବର୍ଷ ପଞ୍ଚାୟତସ୍ତରରେ ମହୁଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ। ଏହା ଛଡ଼ା ଅବକାରୀ ବିଭାଗର ଅନୁମତିପ୍ରାପ୍ତ ଏଜେଣ୍ଟ ବା ସଂଗ୍ରହକାରୀ ହିଁ ମହୁଲ ସଂଗ୍ରହ କରିବାକୁ ନିୟମ ରହିଛି। କିନ୍ତୁ ଜଙ୍ଗଲ ମୁଲକରେ ଏସବୁ ନିୟମର ମାନେ କିଛି ନାହିଁ। ମହୁଲର ଦର ଓ ମାନ ନିର୍ଦ୍ଧାରଣ ଠାରୁ କିଣାବିକା ସବୁ ବେପାରୀଙ୍କ ମନମର୍ଜିରେ। କିଏ କିଣୁଛି, କେତେ ଟଙ୍କାରେ କିଣୁଛି, ତା’ର କିଛି ଠିକଣା ନାହିଁ। ଏହା ମଧ୍ୟରେ ଛତିଶଗଡ଼ର ବେପାରୀ ମଧ୍ୟ ଜିଲ୍ଲା ଭିତରକୁ ପଶି ଆସି କମ୍ ବେଶୀ ଦରରେ ମହୁଲ କିଣି ନେଉଥିବା ସୂଚନା ମିଳିଛି। ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିବର୍ଷ ରେକର୍ଡ ପରିମାଣର ମହୁଲ ସଂଗ୍ରହ ହେଉଥିବା ବେଳେ ଅନୁରୂପ ମାତ୍ରାରେ ଶୋଷଣ ବି ରହିଛି। ୧୯୯୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମହୁଲର ଦର ୨ଟଙ୍କାରୁ ୩ ଟଙ୍କାକୁ ବୃଦ୍ଧି କରାଇବା ସହ ଟିଡିସିସି ଓ ବନବିଭାଗକୁ ସମ୍ମିଳିତ ଭାବେ କ୍ରୟ ଦାୟିତ୍ବ ଦେଇଥିଲେ। ସେ ସମୟରେ ମହୁଲ ବେପାରକୁ ଜାତୀୟକରଣ କରି ଦେବା ଫଳରେ ଜିଲ୍ଲା ଓ ରାଜ୍ୟ ବାହାରରୁ ମଧ୍ୟ ମହୁଲ ସୁନ୍ଦରଗଡ଼ ବଜାରକୁ ପଶିଥିଲା। ସେହି ବର୍ଷ ଜିଲ୍ଲା ୧ ଲକ୍ଷ କ୍ବିଣ୍ଟାଲ ମହୁଲ ସଂଗ୍ରହ କରିବାର ରେକର୍ଡ ଅର୍ଜନ କରିଥିଲା। କିନ୍ତୁ ମହୁଲର ବ୍ୟବହାର ପାଇଁ ବିଶେଷ ସୁଯୋଗ ନଥିବାରୁ ଟିଡିସିସିକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ଏହା ପରେ ପଞ୍ଚାୟତକୁ ମହୁଲ ଓ ଅନ୍ୟ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଅନୁମତି ଓ ଦର ନିର୍ଦ୍ଧାରଣ କ୍ଷମତା ଦିଆଗଲା। କିନ୍ତୁ ଜିଲ୍ଲାରେ ଅନେକ ପଞ୍ଚାୟତଗୁଡ଼ିକ ଏ ଦିଗରେ ଆଦୌ ସଚେତନ ନଥିବା ବେଳେ ମହୁଲ ସଂଗ୍ରହ ଶେଷ ପରେ ବିକ୍ରି ଆରମ୍ଭ ହୋଇଯାଇଥିଲେ ମଧ୍ୟ କୌଣସି ଗୋଟିଏ ପଞ୍ଚାୟତରେ ଏହାର ଦର ନିର୍ଦ୍ଧାରଣ ହୋଇପାରି ନଥିବା ଅଭିଯୋଗ ରହିଛି। ଫଳରେ ବେପାରୀମାନେ ନିଜେ ନିଜେ ଦର ନିର୍ଦ୍ଧାରଣ କରି ଆଦିବାସୀଙ୍କୁ ଶୋଷଣ କରିବାକୁ ସୁଯୋଗ ପାଇଥିବା ଅଭିଯୋଗ ରହିଛି। ବିଶେଷ ଭାବେ କେବଳ ମଦ ପ୍ରସ୍ତୁତିରେ ମହୁଲର ବ୍ୟବହାର ହେଉଥିବାରୁ ମହୁଲି ମଦଭାଟି ମାଲିକ ହିଁ ଏହାର ଦର ନିୟନ୍ତ୍ରକ ହୋଇଥିବା ଅଭିଯୋଗ ରହିଛି। ନିୟମ ଅନୁସାରେ, ୧୫ କ୍ବିଣ୍ଟାଲରୁ କମ୍ ମହୁଲ କିଣୁଥିବା ବେପାରୀଙ୍କୁ ଅନୁମତିପତ୍ରର ଆବଶ୍ୟକ ନାହିଁ। ଯାହା ଦଲାଲମାନଙ୍କୁ ବେଶ ସୁଯୋଗ ଆଣିଦେଇଛି। ସେମାନେ ଅତି ଚତୁରତାର ସହ ୧୫ କ୍ବିଣ୍ଟାଲ ଷ୍ଟୋରେଜ୍ କ୍ଷମତା ଦର୍ଶାଇ ଶହ ଶହ କ୍ବିଣ୍ଟାଲ ମହୁଲ କିଣି ନେଇ ମାଲାମାଲ ହୋଇଛନ୍ତି। ସୁନ୍ଦରଗଡ଼ ଅବକାରୀ ବିଭାଗ ପକ୍ଷରୁ ଯଦିଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଷ୍ଟୋରେଜ କ୍ଷମତାପ୍ରାପ୍ତ ଏଜେଣ୍ଟ ନିୟୋଜିତ ଅଛନ୍ତି। ତଥାପି ଭାଟି ମାଲିକ ସିଧାସଳଖ ଦଲାଲ ଓ ଖୁଚୁରା ବେପାରୀଙ୍କୁ ଲଗାଇ ନାମକୁ ମାତ୍ର ମୂଲ୍ୟରେ ଆଦିବାସୀଙ୍କ ଠାରୁ ମହୁଲ ସ˚ଗ୍ରହ କରି ନେଉଥିବା ଅଭିଯୋଗ ରହିଛି। ହାଟରେ, ବାଟରେ ବେପାରିଙ୍କ ମର୍ଜିର ଦର ଚାଲିଛି। ବିଶେଷ କରି ଜିଲ୍ଲାର ହେମଗିର, ବାଲିଶଙ୍କରା, ସବଡେଗା, ଲେଫ୍ରିପଡ଼ା, ଟାଙ୍ଗରପାଲି, ବଣାଇଁଗଡ଼, ଲହୁଣିପଡ଼ା, ଲାଠିକଟା ଅଞ୍ଚଳରେ ଆଦିବାସୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। କିନ୍ତୁ ସବୁ ଜାଣି ବି ଆଖି ବୁଜି ଦେଇଛି ପ୍ରଶାସନ। ଜିଲ୍ଲାରେ ଚଳିତ ବର୍ଷ ଅବକାରୀ ବିଭାଗ ପକ୍ଷରୁ ୧୫ ଜଣ ଏଜେଣ୍ଟକୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ପ୍ରକୃତରେ କେତେ କିଣିଲେ, କେତେ ଦରରେ କିଣିଲେ, ଆଦିବାସୀ ବିକ୍ରେତା ତାର ଉଚିତ ମୂଲ୍ୟ ପାଇଲେ କି ନାହିଁ ତାର ତଦାରଖ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅଧିକାରୀମାନେ ସବୁ ଜାଣୁଥିଲେ ମଧ୍ୟ ବେପାରୀ ଓ ଏଜେଣ୍ଟଙ୍କ ଠାରୁ ହାତ ଚିକ୍କଣ କରି ବନବାସୀଙ୍କୁ ଶୋଷଣ ଭିତରେ ଛାଡ଼ି ଦେଉଛନ୍ତି। ଫଳରେ ଜଙ୍ଗଲ ଭିତରେ ପୂରା ପରିବାର ସହ ଖରାତରାରେ ବୁଲି ମହୁଲ ଗୋଟାଉଥିବା ବନବାସୀଙ୍କ ପେଟ ଅପୂରା ରହୁଛି। ଆଉ ସେପଟେ ମହୁଲ ବେପାରୀ, ଦଲାଲ ଓ ମଦ ବେପାରୀ କିନ୍ତୁ କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଦରରେ ମହୁଲ କିଣାଯାଉଥିବା ସୂଚନା ରହିଛି। ବାଲିଶଙ୍କରା, ସବଡେଗା ଅଞ୍ଚଳରେ ୨୫ରୁ ୩୦ ଟଙ୍କାରେ କିଣାଯାଉଥିବା ବେଳେ ହେମିଗିର, ଲେଫ୍ରିପଡ଼ା ଅଞ୍ଚଳରେ ୩୦, ଟାଙ୍ଗରପାଲି ଅଞ୍ଚଳରେ ୨୫ ଟଙ୍କାରେ କିଣାଯାଉଛି। ଜିଲ୍ଲାର ଅନେକ ଅଞ୍ଚଳରେ ବିଶେଷ ଭାବେ ଛତିଶଗଡ଼ର ବେପାରୀମାନେ କବଜା କରି ମନମର୍ଜି ଦରରେ ମହୁଲ କିଣି ନେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ସଚେତନ ଆଦିବାସୀ ଦେବେନ୍ଦ୍ର ପ୍ରସାଦ ମାଝୀଙ୍କ କହିବା ଅନୁସାରେ, ‘ଆଦିବାସୀଙ୍କ ଜୀବନଜୀବିକାର ମୁଖ୍ୟ ଉପାଦାନ ମହୁଲ ସହ ଲଘୁ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ହେଉଥିଲେ ମଧ୍ୟ ତାହା ଆଦିବାସୀ ପାଉ ନାହାନ୍ତି। ସେମାନଙ୍କ ଝାଳବୁହା ଶ୍ରମର ମୂଲ ମଝିରେ ଥିବା ଦଲାଲ ବା ବେପାରୀ ମାରି ନେଉଛି। ବର୍ଷ ବର୍ଷ ଧରି ଆଦିବାସୀ ଶୋଷିତ ହେଉଥିଲେ ମଧ୍ୟ ସରକାର ଓ ପ୍ରଶାସନ ନିରବ। ଆଜି ଯାଏ ଲଘୁବନଜାତ ଦ୍ରବ୍ୟର ବିକ୍ରି ପାଇଁ କୌଣସି ଠୋସ୍ ବ୍ୟବସ୍ଥା କରାଯାଇପାରି ନାହିଁ। ଫଳରେ ଆଦିବାସୀ ହାଟରେ, ବାଟରେ ଶାଗମାଛ ଦରରେ ତାକୁ ବିକି ଦେବାକୁ ବାଧ୍ୟ ହେଉଥିବା’ ସେ ପ୍ରକାଶ କରିଛନ୍ତି। ତେବେ ମହୁଲ କେବଳ ମଦରେ ବ୍ୟବହାର ହେଉଥିବା ଓ ଆଦିବାସୀଙ୍କ ପାଖରେ ଏହାର ବିକଳ୍ପ ନଥିବାରୁ ନିଜ କଷ୍ଟ ଉପାର୍ଜିତ ଦ୍ରବ୍ୟକୁ କମ୍ ମୂଲ୍ୟରେ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି। ଏବେ ମହୁଲରେ ମଦ ବ୍ୟତୀତ ଅନ୍ୟ ଖାଦ୍ୟ ପିଠା, କାକ, ଚକଲେଟ, ମହୁଲ ଭଜା, ମହୁଲ ରସ ଚକୁଳି ଆଦି ତିଆରି କରାଯାଇପାରିବ। ତେବେ ଏଥିପାଇଁ ଉପଯୁକ୍ତ ତାଲିମ ଆବଶ୍ୟକ। ସରକାରଙ୍କ ଜୀବିକା ମିଶନ ଏ ଦିଗରେ ପଦକ୍ଷେପ ନେଲେ ଆଦିବାସୀଙ୍କ ଜୀବିକା ଶୋଷଣମୁକ୍ତ ହୋଇ ସୁରକ୍ଷିତ ରହିପାରିବ।
ଦର ନିର୍ଦ୍ଧାରଣ ହେବ କେବେ ! ମହୁଲର ମୂଲ ଲୁଟି ମଦ ବେପାରୀ କୋଟିପତି
ଗୋଟାଳି ଆଦିବାସୀ ଭୋକିଲା