ସଂପାଦନା କ୍ଷେତ୍ରରେ ‘ମହୁରି’ ରାଜ୍ୟର ଏକ ନମ୍ବର ପତ୍ରିକା

ସୁକାନ୍ତ ସାହୁଙ୍କୁ ଶ୍ରେଷ୍ଠ ସଂପାଦକ ସମ୍ମାନ

ଭବାନୀପାଟଣା: ୨୦୦୮ ମସିହାରୁ ଭବାନୀପାଟଣାରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି’ ଚଳିତ ବର୍ଷ ଶାରଦୀୟ ପତ୍ରିକାମାନଙ୍କ ମଧ୍ୟରେ ରାଜ୍ୟରେ ଏକ ନମ୍ବର ପତ୍ରିକାର ମାନ୍ୟତା ପାଇଛି । ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ତରଫରୁ ବ୍ରହ୍ମପୁରଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସାହିତ୍ୟ ପତ୍ରିକା ସଂପାଦନା କ୍ଷେତ୍ରରେ ଉତ୍କର୍ଷତା ପାଇଁ ‘ମହୁରି’ର ସଂପାଦକ ସୁକାନ୍ତ ସାହୁଙ୍କୁ ଶ୍ରେଷ୍ଠ ସଂପାଦକ ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାର ବାବଦକୁ ପାଂଚ ହଜାର ଟଙ୍କାର ଅର୍ଥରାଶି ସହ ଏକ ଫଳକ ପ୍ରଦାନ କରାଯାଇଛି । ଏହି ସମ୍ମାନ ପ୍ରଦାନ ଅବସରରେ ମଂଚାସୀନ ଅତିଥିମାନେ ‘ମହୁରି’ ଓଡ଼ିଆ ପତ୍ରିକା ଜଗତରେ ସବୁଠୁ ଭଲ ଓ ସୁସଂପାଦିତ ପତ୍ରିକା ବୋଲି ମତ ରଖିଥିଲେ ।

‘ମହୁରି’ରେ ସାହିତ୍ୟର ସମସ୍ତ ବିଭାଗ ସ୍ଥାନ ପାଇବା ସହ ଏଥିରେ ଓଡ଼ିଶାରେ ପ୍ରାୟ ସମସ୍ତ ସୁଲେଖକଙ୍କ ଲେଖା ସ୍ଥାନିତ ହୋଇଥାଏ । କେବଳ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଏହା ଗୁରୁତ୍ୱ ନଦେଇ ସମସ୍ତ ଓଡ଼ିଆ ଲେଖକଙ୍କ ବଛାବଛା ଲେଖାକୁ ସ୍ଥାନିତ କରିଥାଏ । ତ୍ରୁଟିରହିତ ମୁଦ୍ରଣ ସାଙ୍ଗକୁ ସଫାସୁତରା ପରିପାଟୀ ମହୁରିକୁ ଅନନ୍ୟ କରି ଗଢ଼ି ତୋଳିଛି । ଏଥିନିମନ୍ତେ ଚଳିତ ବର୍ଷ ମହୁରିକୁ ଶ୍ରେଷ୍ଠ ପତ୍ରିକା ଓ ମହୁରିର ସଂପାଦକ ସୁକାନ୍ତ ସାହୁଙ୍କ ଶ୍ରେଷ୍ଠ ସଂପାଦକ ସମ୍ମାନ ପ୍ରଦାନ କରାଯାଇଥିଲା । ଗତ ୨୦୦୮ ମସିହାରୁ କଳାହାଣ୍ଡିରୁ ମହୁରି ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଛି । ମହୁରିର ମୁଖ୍ୟ ସଂପାଦକ ଭାବେ କବି ଭବାନୀଶଙ୍କର ନିଆଲ ଓ ସଂପାଦକ ଭାବେ ଗାଳ୍ପିକ, ଔପନ୍ୟାସିକ, ଅନୁବାଦକ ସୁକାନ୍ତ ସାହୁ ଅଛନ୍ତି । ସହ ସଂପାଦକ ଭାବେ ସକିତ ରତେ, ସୁଧୀର କୁମାର ଧଙ୍ଗଡ଼ାମାଝୀ, ବିରଂଚି ନାରାୟଣ ମୁଣ୍ଡ, ସୁଶୀଲ କୁମାର ବାଗ, ଡିଲେଶ୍ୱର ରଣା କାର୍ଯ୍ୟ କରୁଛନ୍ତି। ପ୍ରକାଶ ଥାଉକି, ଗାଳ୍ପିକ ସୁକାନ୍ତ ସାହୁଙ୍କର ସଂପାଦନା କ୍ଷେତ୍ରରେ ସୁଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ସେ ପ୍ରଥମରୁ ‘ନିର୍ମାତା’, ‘ନୀଳପତ୍ର’ର ସଂପାଦନା ସହ ଜଡ଼ିତ ଥିଲେ ।

ପରବର୍ତ୍ତୀ ସମୟରେ ‘ମହୁରି’, ‘ସମୟର ଆକାଂକ୍ଷା’ ଓ ‘ସାହିତ୍ୟ କଥା’ର ସଂପାଦନା କରୁଛନ୍ତି । ଜଣେ ସୁଲେଖକ ଓ ସଂଗଠକ ଭାବେ ସେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି । ‘ମହୁରି’ର ଏହି ସଫଳତା ପାଇଁ କଳାହାଣ୍ଡି ଯୁବ ଲେଖକ ସମାବେଶ, କଳାହାଣ୍ଡି ଥିଏଟର, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତଥା ଜିଲ୍ଲାର ଅନ୍ୟ ଅନୁଷ୍ଠାନମାନେ ଅଭିନନ୍ଦନ ଜଣାଇବା ସହ ସମଗ୍ର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି ।

ସମ୍ବନ୍ଧିତ ଖବର