ଯାଜପୁର: ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଭଗବାନ ମହାରଣା ଏବଂ ଅପହରଣରେ ସହଯୋଗ କରିଥିବା ମହିଳା ପୁନମ୍‌ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ଅପହୃତା ନାବାଳିକାକୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରୁ ଉଦ୍ଧାର କରିଛି।

Advertisment

ଘଟଣା ଅନୁଯାୟୀ ଗତ ସେପ୍ଟେମ୍ବର ୧୮ ତାରିଖରେ ଲେମ୍ବୋ ପଞ୍ଚାୟତ ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକା ସ୍କୁଟିରେ ନିଜ ମା'ଙ୍କୁ ନେଇ ସୁକିନ୍ଦାରେ ଛାଡ଼ିବାକୁ ଯାଇଥିଲେ। ତେବେ ଏହାପରେ ସେ ଆଉ ଘରକୁ ଫେରି ନଥିଲେ। ଏହାର କିଛି ଦିନ ପୂର୍ବରୁ ପୀଡ଼ତାଙ୍କ ଘରକୁ କାଠକାମ କରିବାକୁ ଯାଇଥିବା ଭଗବାନ ମହାରଣା ଅପହରଣ କରି ନେଇଥିବା ପରିବାରର ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେସ ନମ୍ବର ୧୫୧/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା l ଝିଅକୁ ଠାବ କରିବାରେ ବିଳମ୍ବ ହେଉଥିବାରୁ ପୀଡ଼ିତାଙ୍କ ପିତାମାତା ଅକ୍ଟୋବର ୧୫ ତାରିଖରେ ଯାଜପୁର ଏସ୍‌ପିଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ l ଏହାପରେ ସୁକିନ୍ଦା ପୁଲିସ ନଭେମ୍ବର ୫ ତାରିଖ ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚଢ଼ଉ କରି ଅପହୃତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଭଗବାନ ମହାରଣାଙ୍କୁ ଧରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଭଗବାନ ନିଜ ଭିଣୋଇ ଘର ସୁକିନ୍ଦାରେ ରହି କାଠ କାମ କରୁଥିଲା। ଉକ୍ତ ନାବାଳିକା ଘରେ କିଛି ଦିନ କାଠକାମ କରିଥିଲେ l ଘଟଣାଦିନ ନାବାଳିକା ଜଣକ ମା'ଙ୍କୁ ତହସିଲ କାର୍ଯ୍ୟାଳୟରେ ଛାଡି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଭଗବାନ ତାଙ୍କୁ ରାସ୍ତାରେ ଅଟକାଇ ସାଙ୍ଗରେ ଯିବାକୁ କହିଥିଲେ l ନାବାଳିକା ଜଣକ ଅରାଜି ହେବାରୁ ତାଙ୍କୁ ଜବରଦସ୍ତ ସ୍କୁଟିରେ ବସାଇ ନେଇ ଯାଇଥିଲା l ନାବାଳିକା ଜଣକୁ ଭଗବାନ ନେଇ ସୁକିନ୍ଦା କେନ୍ଦୁଢିପ ଗାଁର ପୁନମ ଅଗ୍ରୱାଲ ନାମକ ଜୈନିକ ମହିଳାଙ୍କ ଘରେ ରଖି ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ସହ ବିବାହ କରିବାକୁ ଚାପ ପକାଇଥିଲେ। ସେଠାରେ ଦୁଇଦିନ ରଖିବା ପରେ ପୀଡ଼ିତାଙ୍କ ମୁହଁ, ହାତ ବାନ୍ଧି ପୁନମ ଏବଂ ଭଗବାନ ମିଶି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳକୁ ନେଇ ରଖିଥିଲେ l ସେଠାରେ ମଧ୍ୟ ଭଗବାନ ନାବାଳିକାକୁ ମାରଧର କରିବା ସହ ଦୁଷ୍କର୍ମ କରିଥିଲା। ନାବାଳିକାର ମୋବାଇଲ ଲୋକେସନ ଟ୍ରାକ କରୁଥିବା ସୁକିନ୍ଦା ପୁଲିସ ଜୈନିକ ଟ୍ରକ ଡ୍ରାଇଭର ଉକ୍ତ ମୋବାଇଲ ବ୍ୟବହାର କରୁଥିବା ଜାଣିପାରି ଜେରା କରିବା ଦ୍ବାରା ପୁନମଙ୍କ ସଂପୃକ୍ତି ବିଷୟ ପଦାକୁ ଆସିଥିଲା। ଉଭୟ ପୀୀଡ଼ିତା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତ ଭଗବାନ ଏବଂ ପୁନମଙ୍କୁ କୋର୍ଟ ଚାଲାଣ ପରେ ରଗଡ଼ି ଉପକାରାଗାରକୁ ପଠାଇ ଦିଆଯାଇଛି। ସୁକିନ୍ଦା ଥାନାଧିକାରୀ ଶିବ ଚରଣ ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଏହି ଚଢ଼ଉରେ ସାମିଲ ଥିଲା।