ଖୋର୍ଦ୍ଧା: ବହୁଚର୍ଚ୍ଚିତ ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ମାମଲାରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସଂଜୟ ପ୍ରଧାନ ଓରଫ ସଂଜୁକୁ ଗିରଫ କରିଛି। ଏହା ସହ ସଂଜୟ ନିକଟରେ ଥିବା ୫ଟି ଗାଡ଼ି, ଚାରିଟି ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି। ଗତ ୫-୬ ଦିନ ଧରି ପୁଲିସ ମୁଖ୍ୟ ଅଭିଯୁକ୍ତ ସଂଜୟର ୫ଜଣ ଘନିଷ୍ଠ ସହଯୋଗୀଙ୍କୁ ଆଣି ପଚରାଉଚୁରା କରୁଥିଲା। ସୂଚନା ଆଧାରରେ ଦୁଇ ଦିନ ପୂର୍ବେ ସଂଜୟ ଧରାପଡ଼ିଥିଲା। ତେବେ ଆଜି ପୁଲିସ ସଂଜୟର ଗିରଫଦାରିକୁ ସାର୍ବଜନୀନ କରିଛି। ଆଜି ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୮ ଜୁନ୍ ୨୦୨୩ରେ ସୋମନାଥଙ୍କ ମା’ ଭାନୁମତି ଭୂଜବଳ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ୩୫୧/୨୦୨୩ରେ ଆଇପିସି ଦଫା ୨୯୪, ୩୦୭, ୫୦୬, ୧୨୦ (ଖ), ୩୪, ବେଆଇନ ଅସ୍ତ୍ରଶସ୍ତ୍ର ମାମଲା ୨୫/୨୭ ଏକ ମାମଲା ରୁଜୁ କରିଥିଲା। ସୋମନାଥଙ୍କ ମୃତ୍ୟୁ ପରେ ଏଥିରେ ଅତିରିକ୍ତ ୩୦୨ ଦଫା ଯୋଡ଼ାଯାଇଥିଲା।

Advertisment

ଏନେଇ ଏସ୍ଡିପିଓ ଦିଲିପ କୁମାର ଦାସଙ୍କ ନେତୃତ୍ବରେ ତିନିଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ବର୍ତମାନ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ହତ୍ୟା ପଛରେ ସୋମନାଥ ଓ ସଂଜୟର ପୂର୍ବ ଶତ୍ରୁତା ମୁଖ୍ୟ କାରଣ ଅଟେ। ସୋମନାଥ ବ୍ରାଉନସୁଗାର କାରବାରରେ ଗିରଫ ହୋଇ ଜାମିନରେ ଫେରିବା ପରେ ମାଛ ବ୍ୟବସାୟ କରୁଥିଲା। ଏହି ସମୟରେ ସଂଜୟ ମଧ୍ୟ ୯ ମାସ ପୂର୍ବେ ଜେଲରୁ ଫେରି ନିଜର ପ୍ରତିଶୋଧ ସୁଝାଇବାକୁ ଯୋଜନା କରିଥିଲା। ଖୋର୍ଦ୍ଧା, ଭୁବନେଶ୍ବର, ନୟାଗଡ଼, ପୁରୀର ନିଜର ଅପରାଧିକ ବନ୍ଧୁଙ୍କ ସହ ମିଶି ୬ ଜୁନରେ ଯୋଜନା କରିଥିଲା। ୭ ଜୁନରେ ଏକ ଚୋରା ବୋଲେରୋ ପିକ୍ଅପ୍ ଭ୍ୟାନ ଯୋଗାଡ଼ କରିଥିଲେ। ୭ ଜୁନରେ ସୋମନାଥକୁ ଗୁଳି କରିଥିଲେ। ଏହି ମାମଲାରେ ୩୦ ଜୁନରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ସାହିତ୍ୟ ବେହେରା ଓରଫ କାହ୍ନା (୨୧), ଅବ୍ଦୁଲ ଜାମିଲର ପୁଅ ରାଜାକ ଦଳବେହେରା ଓରଫ ରାଜ (୨୩) ଗିରଫ କରାଯାଇଥିଲା। ଏହାପରେ ଗତକାଲି (୧୩ ଜୁଲାଇ)ରେ ଖୋର୍ଦ୍ଧା ଭାଲିଆବାଡ଼ିର ମନୋରଂଜନ ସାହୁ ଓରଫ ମିକି(୨୩), ପୁରୀ ଜିଲ୍ଲା କୌଶଲ୍ୟାପୁର ଉତ୍ତରାର ସନ୍ତୋଷ ସେଠୀ ଓରଫ ସିଦ୍ଧୁ (୨୯), ଖଣ୍ଡଗିରିର ବଳରାମ ରାଉତରାୟ ଓରଫ ଗେଡ଼ା ବଳିଆ (୨୪), ମୃତ୍ୟୁଂଜୟ ସେଠୀ ଓରଫ ଡେଙ୍ଗା ବଳିଆ (୨୪) ଓ ବିଶେଶ୍ବର ଷଡ଼ଙ୍ଗୀ ଓରଫ ଆକାଶ (୨୪)କୁ ଗିରଫ କରାଯାଇଛି।

ଏହି ମାମଲାରେ ଅଭିଯୁକ୍ତ ଥିବା ଜଟଣୀ ବେଣାପଂଜରୀର ଅମଜାଦ୍ ଖାଁ (୨୫) ଓ ଖୋର୍ଦ୍ଧା ଭାଲିଆବାଡ଼ିର ଆଶିଷ ପ୍ରଧାନ ଓରଫ ପୁଣ୍ଡୁ (୨୫) ଫେରାର ଅଛନ୍ତି | ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ, ୭.୬୫ ଏମ୍ଏମର ତିନିଟି ଦେଶୀ ପିସ୍ତଲ, ୯ ଏମ୍ଏମର ଗୋଟିଏ ଦେଶୀ ପିସ୍ତଲ, ୭.୬୫ ଏମ୍ଏମର ୬ଟି ଜୀବନ୍ତ ଗୁଳି, ୯ଏମ୍ଏମର ୫ଟି ଜୀବନ୍ତ ଗୁଳି, ଦୁଇଟି ଖଣ୍ଡା, ୧୦ଟି ମୋବାଇଲ୍ ଫୋନ୍, ଗୋଟିଏ ଚୋରା ବୋଲେରୋ ପିକ୍ଅପ୍ ଭ୍ୟାନ୍ (ଓଡି ୦୭ଏମ୍ ୩୫୫୬), ଜାଲ ପଂଜୀକରଣ ନମ୍ବର ଥିବା ଗୋଟିଏ ବୋଲେରୋ (ଓଆର୍ ୦୨ ଏକ୍ୟୁ ୪୫୪୫), ଦୁଇଟି ସ୍କୋର୍ପିଓ (ଓଡି ୦୧ ଜେ ୯୬୬୨ ଓ ଓଡି ୩୩ ୨୧୫୪), ଗୋଟିଏ ଆଇ-୨୦ କାର୍ (ଓଡି ୦୨ ଭି ୩୮୮୦)। ସୋମନାଥ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋମନାଥ ଗ୍ୟାଙ୍ଗର ମୁଖ୍ୟ ଥିଲା। ଏହି ଗ୍ୟାଙ୍ଗରେ ୨୫ରୁ ୩୦ଜଣ ସଦସ୍ୟ ଅଛନ୍ତି। ସେହିଭଳି ଗିରଫ ଅଭିଯୁକ୍ତ ମିକି ବିରୋଧରେ ୧୦ଟି ଅପରାଧିକ ମାମଲା ରହିଛି। ସେ ଖୋର୍ଦ୍ଧାର ବ୍ରାଉନସୁଗାର କାରବାରକୁ ସମ୍ଭାଳୁଥିଲା।

ସିଦ୍ଧୁ ଭୁବନେଶ୍ବର ଓ କଟକ ଗ୍ରାମାଂଚଳର ବ୍ରାଉନସୁଗାର କାରବାର ପରିଚାଳନା କରୁଥିବା ବେଳେ ତା’ ବିରୋଧରେ ୯ଟି ଅପରାଧିକ ମାମଲା ରହିଛି। ଖଣ୍ଡଗିରିର ଗେଡ଼ା ବଳିଆ ବିରୋଧରେ ୧୫ଟି ଅପରାଧିକ ମାମଲା ରହିଥିବା ବେଳେ ଡେଙ୍ଗା ବଳିଆ ବିରୋଧରେ ୧୨ଟି ଓ ଆକାଶ ବିରୋଧରେ ୧୨ଟି ଅପରାଧିକ ମାମଲା ରହିଥିବା ବେଳେ ସେ ଭୁବନେଶ୍ବର ଅଂଚଳରେ ସୋମନାଥର ବ୍ରାଉନସୁଗାର କାରବାର ସମ୍ଭାଳୁଥିଲା ବୋଲି ଏସପି କଟ୍ଟାରିଆ ସୂଚନା ଦେଇଛନ୍ତି। ସେହିଭଳି ଫେରାର୍ ଥିବା ଅମଜାଦ ଖାଁ ବିରୋଧରେ ୬ଟି ମାମଲା ଥିବା ଓ ଆଶିଷ ବିରୋଧରେ ୩ଟି ଅପରାଧିକ ମାମଲା ରହିଛି। ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସପି ଆଶା ପ୍ରକାଶ କରିଛନ୍ତି।