ଅଗଷ୍ଟ ୧୫ରୁ ଖୋଲିବ ମା’ ମଝିଘରିଆଣୀଙ୍କ ମନ୍ଦିର

ଦର୍ଶନ ପାଇଁ ଟିକା ପ୍ରମାଣପତ୍ର, ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ରାୟଗଡ଼ା: ଅଗଷ୍ଟ ୧୫ରୁ ଖୋଲିବ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର। ୪ ମାସର ବ୍ୟବଧାନ ପରେ ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବା ନେଇ ଘୋଷଣା କରିବା ପରେ ମନ୍ଦିର ପରିସରକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି। ଜିଲ୍ଲା ପ୍ରଶାସନ ଜାରି କରିଥିବା କୋଭିଡ଼୍ ଗାଇଡଲାଇନ୍ ମଧ୍ୟରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ। ଦର୍ଶନ ପାଇଁ ଟିକା ପ୍ରମାଣପତ୍ର (ପ୍ରଥମ ଡୋଜ୍), ଆଧାରକାର୍ଡ ଓ ୪୮ ଘଣ୍ଟା ବୈଧତା ଥିବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟକୁ ଶ୍ରଦ୍ଧାଳୁଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। ଅଗଷ୍ଟ ୧୩ ତାରିଖରୁ ରାୟଗଡ଼ା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗତକାଲି ଘୋଷଣା କରିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ମା’ ମଝିଘରିଆଣୀ ମନ୍ଦିର ପାଇଁ ଜିଲ୍ଲାପାଳ ସ୍ବତନ୍ତ୍ର ନିୟମ କରିଛନ୍ତି।

‌ମନ୍ଦିର ଭିତରେ ନଡ଼ିଆ ଭାଙ୍ଗିବା ଓ ଭୋଗ ଲଗାଇବା ଉପରେ କଟକଣା ଜାରି କରାଯାଇଛି। ମନ୍ଦିର ବାହାରେ ଥିବା ପାଦୁକା କୁଣ୍ଡ ନିକଟରେ ନଡ଼ିଆ ଭାଙ୍ଗିବା ପରେ କେବଳ ଦର୍ଶନ ପାଇଁ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ। ସେହିପରି ମନ୍ଦିର ଭିତରେ ତାବିଜ୍ ବିକ୍ରିକୁ ମଧ୍ୟ ନିଷେଧ କରାଯାଇଛି। ରବିବାର, ମଙ୍ଗଳବାର, ବୁଧବାର ପ୍ରବଳ ଭିଡ଼ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ସପ୍ତାହର ଏହି ୩ ଦିନ ପୁଲିସ୍ ନିୟୋଜିତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଥରକେ ମନ୍ଦିର ଭିତରକୁ ୩୦ ଶ୍ରଦ୍ଧାଳୁଙ୍କ ଛାଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର, ଚର୍ଚ୍ଚ, ଗୁରୁଦ୍ବାର, ମସଜିଦ୍ ଗର୍ଭଗୃହର କ୍ଷମତା ଅନୁଯାୟୀ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ଥରକେ ଦର୍ଶନ ଲାଗି ଛାଡ଼ିବାକୁ ନିର୍ଦେଶ ହୋଇଛି। ସମସ୍ତ ଧର୍ମାନୁଷ୍ଠାନ ବାହାରେ ମନ୍ଦିର ଭିତରେ କଣ ହେବା କଣ ନିଷେଧ ରହିଛି ସେ ନେଇ ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତ ସାନିଟାଇଜ୍ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ୧୦ ବର୍ଷରୁ କମ ବାଳକ ଧର୍ମାନୁଷ୍ଠାନ ନ ଯିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର